ସାଇବର ଠକେଇ
ଏବେ ଦେଶରେ କ୍ୟାସ୍ଲେସ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ପ୍ରାୟ ସମସ୍ତ କାରବାର ଅନ୍ଲାଇନ୍ରେ ହେଉଛି । ଦିନକୁ ଦିନ ଅନ୍ଲାଇନ୍ କାରବାର ବୃଦ୍ଧିପାଉଥିବାବେଳେ ଭାରତରେ ପ୍ରାୟ ପ୍ରତି ୧୦ ମିନିଟ୍ରେ ସାଇବର ଅପରାଧ ଘଟୁଛି । ଚଳିିତ ବର୍ଷ ଜାନୁଆରିରୁ ଜୁନ୍ ମଧ୍ୟରେ ପାଖାପାଖି ୨୭,୪୮୨ରୁ ଅଧିକ ସାଇବର୍ ମାମଲା ରୁଜୁ କରାଯାଇଛି । ବିଗତ ୩ ବର୍ଷ ମଧ୍ୟରେ ଏହି ମାମଲା ୧.୭୧ ପ୍ରତିଶତ ବୃଦ୍ଧିପାଇଚାଲିଛି । ତେବେ ସୂଚନା ଅନୁସାରେ ସାଇବର ଅପରାଧ ଲଗାତାର ବୃଦ୍ଧିପାଇବାରେ ଲାଗିଛି । ଏଥିମଧ୍ୟରୁ ସବୁ ସାଇବର୍ ମାମଲା ପୁଲିସ ପାଖକୁ ଆସିପାରେନି । ଆଉ ଅନେକ ବ୍ୟକ୍ତିି ଏ କଥା ଜାଣିନାହାନ୍ତି ଯେ, ଅନ୍ଲାଇନ୍ ଠକେଇର ଶିକାର ହେଲେ କିପରି ଅଭିଯୋଗ କରାଯାଏ ।
କେଉଁଠି କରିବେ ଅଭିଯୋଗ :
ସାଇବର୍ ଅପରାଧର ପ୍ରାୟତଃ ମାମଲା ଇନ୍ଫର୍ମେସନ୍ ଟେକ୍ନୋଲୋଜି ଆକ୍ଟ (ଆଇଟି) ନିୟମ ୨୦୦୦ ଅନୁସାରେ ରୁଜୁ କରାଯାଏ । ଏଥିରୁ ସ୍ପଷ୍ଟ ହେଉଛି ସାଇବର ଅପରାଧ ଅନୁସାରେ ସମସ୍ତ ମାମଲା କେବଳ ଆଇଟି ନିମୟ କଭର୍ କରିପାରେନି । ଆଇପିସିରେ ମଧ୍ୟ ମାମଲା ରୁଜୁ କରାଯାଏ ।
ଏହା ବ୍ୟତୀତ ସାଇବର୍ ଅପରାଧ ସମ୍ପର୍କିତ ଅଭିଯୋଗ ମଧ୍ୟ ପୁଲିସ ଷ୍ଟେସନ୍ରେ କରାଯାଇପାରିବ । ସମସ୍ତ ଥାନାରେ ସାଇବର୍ କ୍ରାଇମ୍ ସେଲ୍ ରହିଛି । ଯଦି ଆପଣଙ୍କ ସହ ଅନ୍ଲାଇନ୍ ଠକେଇ ହୋଇଛି, ତେବେ ଆପଣ ସାଇବର୍ ସେଲ୍ରେ ଅଭିଯୋଗ କରିପାରିବେ । ଗୃହ ମନ୍ତ୍ରଣାଳୟରେ ମଧ୍ୟ ମହିଳା ଓ ଶିଶୁଙ୍କ ସହ ହେଉଥିବା ଅପରାଧ ବିରୁଦ୍ଧରେ ଅଭିଯୋଗ କରାଯାଇପାରିବ । ଖୁବ୍ ନିକଟରେ ଏଥିପାଇଁ ଗୃହ ମନ୍ତ୍ରଣାଳୟ ତା’ର ଆପ୍ ଲଞ୍ଚ୍ କରିବାକୁ ଯାଉଛି ।
କେଉଁ ମାମଲାରେ କେଉଁ ଧାରା ଲାଗେ:
ହାକିଂ, ଡାଟା ଚୋରି, ଭାଇରସ୍ ଆଟାକ୍ ଓ କୌଣସି ପ୍ରକାର କୋଡ୍କୁ ଡିକୋଡ୍ କରିବା ଆଦି ମାମଲା ପାଇଁ ଆଇଟି ନିୟମର ଧାରା ୬୬ ଓ ଧାରା ୪୩ ଅନୁସାରେ ମାମଲା ରୁଜୁ କରାଯାଏ । ଅନ୍ୟ ପଟେ କ୍ରେଡିଟ୍ ଏବଂ ଡେବିଟ୍ ଚୋରି, ମୋବାଇଲ୍ ସିମ୍ କାର୍ଡର ନକଲ ଓ ଏହି ସମ୍ବନ୍ଧିତ ମାମଲା ପାଇଁ ଆଇପିସି ଧାରାରେ ମାମଲା ରୁଜୁ କରାଯାଏ । ଏହି ମାମଲାଗୁଡ଼ିକ ପାଇଁ ଆଇପିସି ଧାରା ୪୬୩ ଓ ଧାରା ୪୭୧ ଅନୁସାରେ ମାମଲା ରୁଜୁ କରାଯାଏ । ଏହା ବ୍ୟତୀତ ଅନ୍ଲାଇନ୍ ଠକେଇ ମାମଲାରେ ଆଇଟି ନିୟମର ଧାରା ୬୬ଡି ଅନୁସାରେ ମାମଲା ରୁଜୁ କରାଯାଇପାରିବ । ଏହା ସହ ଅଶ୍ଳୀଳତା ମାମଲାରେ ଆପିସି ସହ ଆଇଟି ନିୟମର ଧାରା ୬୬ଇ ଓ ୭୬ଏ ଅନୁସାରେ କେସ୍ ଫାଇଲ୍ କରାଯାଇପାରିବ ।


