ସାଇବର ଠକେଇର ଶିକାର ହେଲେ ବିଚାରପତି

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡ଼ା ଅଦାଲତର ଜଣେ ବିଚାରପତି ସାଇବର ଠକେଇର ଶିକାର ହୋଇଥିବା ସୂଚନା ମିଳିଛି । ସାଇବର ଠକମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୧ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଠକି ନେଇଛନ୍ତି । ଏ ସମ୍ପର୍କରେ ସଂପୃକ୍ତ ବିଚାରପତି କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ସାଇବର ସେଲ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି । ବିଚାରପତି ଜଣକ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଖାରବେଳ ନଗର ଆଇସିଆଇସିଆଇ ବ୍ୟାଙ୍କ ଶାଖାରେ ଏକ ବ୍ୟାଙ୍କ ଜମାବହି ରହିଛି । ତାଙ୍କ ଜମାବହି ଅପଡେଟ କରିବା ବେଳେ ସେ ଜାଣିବାକୁ ପାଇଲେ ଯେ ୧୦୬୨ ଟଙ୍କା ଗତ ଜୁଲାଇ ୧୯ ତାରିଖରେ କେହି ଉଠାଇନେଇଛି । ଏ ସମ୍ପର୍କରେ ସେ ବ୍ୟାଙ୍କର ୱେବ୍ ସାଇଟ୍‌କୁ ଯାଇ ମ୍ୟାନେଜରଙ୍କ ନମ୍ବର ଅନ୍ୱେଷଣ କରିଥିଲେ । ଏହି ସମୟରେ ୱେବ ସାଇଟ୍‌ରେ କଷ୍ଟମର କେୟାର ନମ୍ବର ପାଇଲେ । ସେହି ନମ୍ବରରେ ସେ ତାଙ୍କ ଟଙ୍କା ସମ୍ପର୍କରେ ଜାଣିବା ପାଇଁ ଫୋନ କରିଥିଲେ । ହେଲେ ପ୍ରଥମେ ଫୋନ କେହି ଗ୍ରହଣ କରି ନ ଥିଲେ । ଏହାର କିଛି ସମୟ ପରେ ସେହି ନମ୍ବରରୁ କଲ ଆସିଲା । ଠକ ଜଣକ ନିଜକୁ କଷ୍ଟମର କେୟାର ଷ୍ଟାଫ କହି କଥା ହୋଇଥିଲେ । ପ୍ଳେ-ଷ୍ଟୋରରୁ ରିଫଣ୍ଡ ଏନି ଡେସ୍କ ଆପ ଡାଉନ୍‌ଲୋଡ କରିବା ପାଇଁ କହିଥିଲେ । ଫଳରେ ବିଚାରପତି ଜଣକ ତାହା କରିଥିଲେ । ଏହାପରେ ଯେଉଁ ଯେଉଁ ବଟନ ଟିପିବା ପାଇଁ କହିଥିଲେ ବିଚାରପତି ତାହା କରିଥିଲେ । ହେଲେ କିଛି ସମୟ ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟରୁ ପୁନର୍ବାର ୯ ହଜାର ୯୦ ଟଙ୍କା ଓ ପରେ ୨୧୦ ଟଙ୍କା କଟିଗଲା । ତାଙ୍କ ଆକାଉଣ୍ଟରେ ମାତ୍ର ୪ ଟଙ୍କା ୪୮ ପଇସା ରହିଥିଲା । ଏହିଭଳି ସାଇବର ଠକଙ୍କ ଶିକାର ହେବା ପରେ ବିଚାରପତି ଜଣକ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଛନ୍ତି । ସାଇବର ଠକଙ୍କୁ ଗିରଫ କରିବା ସହ ଠକେଇ ହୋଇଥିବା ଟଙ୍କା ଫେରି ପାଇବା ପାଇଁ ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏ ସମ୍ପର୍କରେ ସଦର ଥାନାଅଧିକାରୀ ପବିତ୍ର ମହାରଣାଙ୍କ ମତାମତ ନେବାରେ ସେ କହିଲେ ଏ ସଂକ୍ରାନ୍ତରେ ୪୨୦/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅନୁସନ୍ଧାନ କରାଯାଉଛି । ଏସ୍‌ପି ଅଫିସ ସାଇବର ସେଲ କର୍ମଚାରୀମାନେ ଏହାର ମନିଟର କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ