ସାଇବର ଲୁଟ୍‌: ଇଂଜିନ୍‌ୟରିଂ ଛାତ୍ର ଏକାଉଣ୍ଟରୁ ଲୁଟି ନେଲେ ୪୨ ହଜାର ଟଙ୍କା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମର ବିଦ୍ୟାଧର ଜେନାଙ୍କ ପୁଅ ତଥା ଇଂଜିନୟରିଂ ଛାତ୍ର ଶିବାନନ୍ଦ ଜେନାଙ୍କ ବ୍ୟାଙ୍କ ଏକାଉଣ୍ଟରୁ ସାଇବର ଲୁଟେରା ମାନେ ୪୨ ହଜାର ୮ ଶହ ୬୨ ଟଙ୍କା ଲୁଟି ନେଇଥିବା ଜଣାଯାଇଛି । ପ୍ରକାଶ ଯେ, ଶିବାନନ୍ଦ ବରପଦାସ୍ଥିତ ଇଂଜିନୟରିଂ କଲେଜର ୩ୟ ବର୍ଷର ବି.ଟେକ୍ ଛାତ୍ର ଅଟନ୍ତି । ତାଙ୍କର ବନ୍ତସ୍ଥିତ ପି.ଏନ୍‌.ବି ବ୍ୟାଙ୍କରେ ଏକ ଏକାଉଣ୍ଟ ରହିଛି । ଗତ ୫ ତାରିଖରେ ଶିବାନନ୍ଦଙ୍କ ମୋବାଇଲର ଫୋନ୍ ପେକୁ ଏକ ରିୱାର୍ଡ ମେସେଜ୍ ଆସିଥିଲା । ଯେଉଁଥିରେ ୧୯୯୯ ଟଙ୍କା ରିୱାର୍ଡ ଲେଖା ଯାଇଥିଲା । ଉକ୍ତ ମେସେଜ୍ ଉପରେ କ୍ଲିକ୍ କରିବା ମାତ୍ରେ ତାଙ୍କ ବ୍ୟାଙ୍କ ଏକାଉଣ୍ଟରୁ ୧୯୯୯ ଟଙ୍କା କଟି ଯାଇଥିଲା । ଏହି ଟଙ୍କା ଫୋନ୍ ପେ’ରେ ରାମ ମିଲନ ନାମକ ବ୍ୟକ୍ତିଙ୍କ ଏକାଉଣ୍ଟକୁ ଯାଇଥିବା ଜଣାପଡିଥିଲା । ପରେ ସେ ଗୁଗୁଲ୍ ସର୍ଚ୍ଚ କରି ୧୮୦୦୪୧୨୦୭୮୬ ନମ୍ବର ପାଇଥିଲେ । ଏହି ନମ୍ବରରେ ଫୋନ୍ କରିବା ପରେ ତାଙ୍କୁ ଲାଇନ୍‌ରେ ରହିବା ପାଇଁ କୁହାଯାଇ ଅପରପାଶ୍ୱର୍ରୁ ୮୩୮୯୦୫୪୭୧୯ ନମ୍ବରରୁ କଲ୍ ଆସିଥିଲା । ପରେ ସେମାନେ ଏକ ଆଇ.ଡି ନମ୍ବର ଦେଇ କହିଥିଲେ ଯେ, ଏହି ଆଇ.ଡିକୁ ମାରିଲେ କଟି ଯାଇଥିବା ଟଙ୍କା ଗୁଗୁଲ୍ ପେକୁ ପଳାଇଯିବ । ସେମାନେ ଦେଇଥିବା ଏକ ଗୁଗୁଲ୍ ପେ’ ନମ୍ବର ମାରିବା ମାତ୍ରେ ୨୩ ହଜାର ୨୧ ଟଙ୍କା କଟି ଯାଇଥିଲା । ପରେ ୧୬ ହଜାର ୨୧ ଓ ଶେଷରେ ୧୮ ଶହ ୨୧ ଟଙ୍କା ଗୁଗୁଲ୍ ପେ’ରେ ଟ୍ରାଞ୍ଜେକ୍ସନ ହୋଇଯାଇଥିଲା । ଏଭଳି ଦେଖି ଶିବାନନ୍ଦ ସଂପୃକ୍ତ ନମ୍ବରକୁ ଫୋନ୍ କରିବା ପରେ ଆସନ୍ତାକାଲି ୧୦ଟା ସୁଦ୍ଧା ଟଙ୍କା ଫେରସ୍ତ ପାଇବ ବୋଲି ଉତ୍ତର ମିଳିଥିଲା । ଏହା ମଧ୍ୟରେ ଦୈନିକ ପୃଥକ ପୃଥକ ନମ୍ବରରୁ ଫୋନ୍ କଲ୍ ଆସୁଥିବା ବେଳେ ଶିବାନନ୍ଦ ଅଭିଯୋଗ କରିଚାଲିଛନ୍ତି । ମାତ୍ର ଅପରପାଶ୍ୱର୍ରୁ ତାଙ୍କୁ ଗାଳିଗୁଲଜ କରାଯାଉଥିବା ଜଣାଯାଇଛି । ଚାହୁଁ ଚାହୁଁ ୪ ଥରରେ ଶିବାନନ୍ଦଙ୍କ ବ୍ୟାଙ୍କ ଏକାଉଣ୍ଟରୁ ୪୨ ହଜାର ୮ ଶହ ୬୨ ଟଙ୍କା ସାଇବର ଲୁଟେରା ମାନେ ଲୁଟି ନେଇଛନ୍ତି । ଉକ୍ତ ଟଙ୍କାକୁ ସେ କଲେଜ ଫି ଦେବା ପାଇଁ ରଖିଥିବା ବେଳେ ଏବେ କଲେଜ ଫି କିପରି ଦେବେ ତାହା ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏସଂପର୍କରେ ସେ ସଂପୃକ୍ତ ବ୍ୟାଙ୍କ ଠାରୁ ଆରମ୍ଭ କରି ଥାନା ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ କେହି ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇନଥିବା ଜଣାଯାଇଛି । ଶିବାନନ୍ଦ ଜଣେ ଗରିବ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ସେ କିପରି କଲେଜ ଫି ପ୍ରଦାନ କରିବେ ସେନେଇ ପରିବାର ଲୋକ ଚିନ୍ତାବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଶିବାନନ୍ଦଙ୍କ କ୍ଷେତ୍ରରେ ଘଟିଥିବା ସାଇବର କ୍ରାଇମକୁ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାରଲୋକେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ