ସାଇବର ସୁରକ୍ଷା କ୍ୟାମ୍ପେନ -୨୦୨୩ ପାଇଁ ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସାରା ରାଜ୍ୟରେ ସାଇବର ସୁରକ୍ଷା କ୍ୟାମ୍ପେନ – ୨୦୨୩ ଆସନ୍ତା ସେଫ୍ଟେମ୍ବର ୩୦ରୁ ଅକ୍ଟୋବର ମାସ ୧୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ଅବସରରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳନ୍ଧର ଜାଲି, କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକ, ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର କହିଥିଲେ ଯେ ଅପରାଧୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେବି କେବଳ ଓଡିଶାରେ ନୁହେଁ ସାରା ଭାରତବର୍ଷରେ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଏହାର କାରଣ ହେଉଛି ବିଭିନ୍ନ ପ୍ରକାର ସାଇବର ଅପରାଧ ସମ୍ପର୍କରେ ସମାଜର ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି । ଏଥିସହିତ ଆଜିର ଡିଜିଟାଲ ଯୁଗରେ ସୁରକ୍ଷା ପ୍ରତି ବିଶେଷ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଏହି ଉପଲକ୍ଷେ ଓଡିଶା ପୋଲିସ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗ ଗୁଡିକ ସମେତ ୧୫ଟି ବ୍ୟାଙ୍କ ସହିତ ମିଳିତ ଭାବରେ ଆସନ୍ତା ୩୦ତାରିଖ ଠାରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏକ ସାଇବର ସୁରକ୍ଷା କ୍ୟାମ୍ପେନର ଆୟୋଜନ କରିବାକୁ ଯାଉଛି । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ସମାଜର ପ୍ରତ୍ୟେକ ବର୍ଗଙ୍କ ମଧ୍ୟରେ ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ଶିକ୍ଷା ପ୍ରଦାନ କରିବା । ଏହି କ୍ୟାମ୍ପେନରେ କେବଳ ବ୍ୟାଙ୍କ ଶିଳ୍ପ ନୁହେଁ ଆଇ.ଟି. ଶିଳ୍ପ, ଅନେକ ଶିକ୍ଷାନୁଷ୍ଠାନ ଗୁଡିକ ସଚେତନତା ସୃଷ୍ଟି ପାଇଁ ଏକାଠି ହୋଇଛନ୍ତି । ଏହି କ୍ୟାମ୍ପେନ ଉଭୟ ଅଫ୍ ଲାଇନ ଏବଂ ଅନ୍ ଲାଇନ ମାଧ୍ୟମରେ ଉପଲବ୍ଧ ହେବାକୁ ଥିବା ବେଳେ ଆସନ୍ତା ୩୦ତାରିଖରେ କଳିଙ୍ଗ ଷ୍ଟାଡିୟମ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୪ଟି ସାଇବର ସୁରକ୍ଷା ରଥକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ରଥ ଗୁଡିକ ୧୫ଦିନ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟ ସମେତ ପ୍ରତ୍ୟେକ ଥାନା ଅଞ୍ଚଳକୁ ପ୍ରବେଶ କରି ସ୍ଥାନୀୟ ଭାଷାରେ ଅଡିଓ ଭିଜୁଆଲ ଓ ରିଫଲେଟ ବା ପାମ୍ପଲେଟ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି କରିବ । ଏହି ସାଇବର ସୁରକ୍ଷା ରଥ କେନ୍ଦ୍ରାପଡା ଜିଲ୍ଲାରେ ଅକ୍ଟୋବର ୨ତାରିଖରୁ ପ୍ରବେଶ କରି ପୂର୍ବରୁ ପ୍ରଚାର କରାଯାଇଥିବା ରୁଟରେ ସ୍ଥାନୀୟ ହାଟ, ମାର୍କେଟ, ସର୍ବସାଧାରଣ କାର୍ଯ୍ୟାଳୟ ଓ ପଡାଗ୍ରାମ ଗୁଡିକରେ ପ୍ରଚାରପ୍ରସାର ମାଧ୍ୟମରେ ସଚେତନତା ସୃଷ୍ଟି କରିବ । ଏହି ରଥରେ ସ୍ଥାନୀୟ ଭାଷାରେ ସାଇବର ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ବୁଝାଇ ପାରୁଥିବା ବିଶେଷଜ୍ଞ (ପ୍ରଫେସନାଲ) ରହିବେ । ଅକ୍ଟୋବର ୩ତାରିଖରୁ ପ୍ରତି ଜିଲ୍ଲାର ଅନୁନ୍ୟ ୨ଟି ଶିକ୍ଷାନୁଷ୍ଠାନରେ ପ୍ରତିଦିନ କର୍ମଶାଳା କିମ୍ବା କୁଇଜ ପ୍ରତିଯୋଗିତା ମାଧ୍ୟମରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅକ୍ଟୋବର ୯ତାରିଖରୁ ଏଥିରେ ମିଶନଶକ୍ତି, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ରେଡକ୍ରସ, ସ୍ୱେଛାସେବୀ ସଂଗଠନ ଗୁଡିକୁ ସଂଶ୍ଳିଷ୍ଟ କରାଯାଇ ଘରକୁ ଘର ବୁଲି ପ୍ରଚାରପତ୍ର ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିସହିତ ଅକ୍ଟୋବର ୧୪ତାରିଖ ସନ୍ଧ୍ୟାରେ ବରିଷ୍ଠ ନାଗରିକ, ମହିଳା ଓ ପିଲାମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟ ମଧ୍ୟରେ କ୍ରମାଗତ ଭାବେ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା ଅନଲାଇନ କ୍ୟାମ୍ପେନ ବିଭିନ୍ନ ସାମାଜିକ ଗଣମାଧ୍ୟମ, ରେଡିଓ, ଭିଜୁଆଲ ଏବଂ ଛପା ଗଣମାଧ୍ୟମ ଦ୍ୱାରା ପ୍ରସାରିତ ହେବ । ଏହି ସମୟ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଅନଲାଇନ ପ୍ରତିଯୋଗିତା ସମାଜର ସମସ୍ତ ବୟସ ବର୍ଗର ଲୋକମାନଙ୍କୁ ନେଇ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବ । ଏଥିସହିତ ସାମାଜିକ ଗଣମାଧ୍ୟମ, ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ମାଧ୍ୟମରେ ଏସମ୍ପର୍କରେ ପ୍ରଚାରପ୍ରସାର କରାଯିବ । ଏହି କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କର ନିବେଦନ କରିଥିଲେ । ଏହି ଅବସରରେ ଅତିଥିମାନେ ସାଇବର ସୁରକ୍ଷା ଲୋଗକୁ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଇନିସପେକ୍ଟର ଦିଲ୍ଲିପ କୁମାର ସାହୁ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।