ସାଗରବାଳା ରାଉଳ ସ୍ମାରକୀ ପ୍ରତିଯୋଗିତା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ହାଇସ୍କୁଲ ପରିସରରେ ସାଗରବାଳା ରାଉଳ ସ୍ମାରକୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୀତା ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଡ. ମନ୍ମଥ କୁମାର ରାଉଳଙ୍କ ମାତା ସ୍ୱର୍ଗତା ସାଗରବାଳା ରାଉଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାକୁ ବିଦ୍ୟାଳୟର ପ୍ରତିଷ୍ଠାତା ସମାଜସେବୀ ସେକ୍ ଜଲାଲଉଦ୍ଦୀନ ଉଦ୍ଘାଟନ କରିଥିଲେ । ଏଥିରେ ବନ ବିହାରୀ ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ପୃଷ୍ଟି ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ତର୍କ, ସଙ୍ଗୀତ ଓ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଧୁଷୁରୀସ୍ଥିତ ଝାଡେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ଅଧ୍ୟାପକ କୀର୍ତ୍ତନ ବିହାରୀ ନାୟକ, ସମ୍ମାନୀତ ଅତିଥି ଭାବେ ନୃତ୍ୟଗୁରୁ ସ୍ୱାଧୀନ କୁମାର ନାୟକ, ଶିକ୍ଷକ ସୁରଜ କୁମାର ପଟ୍ଟନାୟକ ଯୋଗଦେଇ ଥିଲେ । ଶିକ୍ଷକ ହେମନ୍ତ କୁମାର ପରିଡା ଅତିଥି ପରିଚୟ ଓ ଶୁଭେନ୍ଦୁ ଶେଖର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ମାନେ ସହଯୋଗ କରିଥିଲେ ।