ସାଙ୍ଗ ହେବ ତ ଏମିତି

ଭୁବନେଶ୍ବର : ଗତ ୧୦ ବର୍ଷ ହେବ ପୁରୀ ବଡ଼ଦାଣ୍ଡରେ ଏଣେତେଣେ ଘରୁ ବୁଲୁଥିବା ଶିକ୍ଷିତ ମାନସିକ ରୋଗୀ ସୁଜିତ ପାଢ଼ୀଙ୍କୁ ପବିତ୍ର ମହାଶିବରାତ୍ରିରେ ନୂଆ ଜୀବନ ଦେବା ପାଇଁ ତାଙ୍କର ବାଲ୍ୟବନ୍ଧୁମାନେ ସହାୟ ହୋଇଛନ୍ତି । ସୁଜିତଙ୍କୁ ତାଙ୍କର ସ୍କୁଲ ଓ ବାଲ୍ୟବନ୍ଧୁମାନେ ବଡଦାଣ୍ଡରୁ ଉଦ୍ଧାର କରି ପ୍ରଥମେ ପୁରୀ ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ବଡ଼ ମେଡିକାଲ ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରିଛନ୍ତି । ପୁରୀ ବଡ଼ଶଙ୍ଖ ନୂଆସାହିର ସୁଜିତ ଜଣେ ଆଭିଜାତ୍ୟ ଘରର ସଦସ୍ୟ । ସେ କିଛି ବର୍ଷ ତଳେ ମାନସିକ ଭାରସାମ୍ୟ ହରାଇଥିଲେ । ପରିବାର ଲୋକେ କିଛି ଦିନ ତାଙ୍କ ସେବା ଯତ୍ନ କରିଥିଲେ । ଚିକିତ୍ସା କରାଇଥିଲେ ବି ସୁଜିତ ଭଲ ହୋଇନଥିଲେ । ଏହା ପରେ ଗତ କିଛି ବର୍ଷ ହେବ ସୁଜିତ ମାନସିକ ଭାରସାମ୍ୟ ହରାଇ ବଡ଼ଦାଣ୍ଡରେ ଘୁରି ବୁଲୁଥିଲେ । ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହେବା ପରେ ଆଜି କଟକ, ଭୁବନେଶ୍ୱର ଓ ପୁରୀର କିଛି ବାଲ୍ୟ ବନ୍ଧୁ ଆସି ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ସେମାନେ ହେଲେ ଡାଇରେକ୍ଟର ଡାକ୍ତର ଲକ୍ଷ୍ମୀନାରାୟଣ ପଣ୍ଡା, ଏଆଇସିର ପ୍ରାଶାସନିକ ଅଧିକାରୀ କାଳୀକିଙ୍କର ସାହୁ, ଡାଇରେକ୍ଟର ରାଜ୍ୟ ସଡ଼କ ପରିବହନ ନିଗମ ତପନ ମିଶ୍ର, ଏଆଇସିର ଶାଖା ପରିଚାଳକ ପ୍ରଶାନ୍ତ ସେଠୀ, ଅଜିତ ସାହୁ, ଗୋବିନ୍ଦ ଦାସ, ଅବକାରୀ କଷ୍ଟମସର ଅଧୀକ୍ଷକ ସୁରେଶ ପ୍ରହରାଜଙ୍କ ସମେତ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଭଳି ସାଙ୍ଗ । ରେଭେନ୍ସାରେ ସେମାନେ ଏକାଠି ପାଠ ପଢ଼ୁଥିଲେ ।
ସୁଜିତ ପୁରୀ ଏସସିଏସ କଲେଜରୁ ବିଜ୍ଞାନ ସ୍ନାତକ କରିବା ପରେ ରେଭେନ୍ସାରେ ସ୍ନାତକୋତ୍ତର ପଢ଼ିଥିଲେ । ପରେ ଓଏଏସ ଦେଇଥିଲେ । ମେନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ବି ମୌଖିକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ । ଦୁଇ ଥର ବିଫଳ ହେବା ପରେ ସେ ମାନସିକ ଭାରସାମ୍ୟ ହରାଇଥିଲେ । ତାଙ୍କ ଭାଇ ଓ ଭଉଣୀମାନେ ଉଚ୍ଚ ପଦ ପଦବିରେ ରହିଛନ୍ତି । ଉତ୍ତମ ଚିକିତ୍ସା ମିଳୁନଥିବାରୁ ସେ ମାନସିକ ବିକାରଗ୍ରସ୍ତ ହୋଇ ପଡ଼ିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ