ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ କଟକଣା ମଧ୍ୟରେ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ପ୍ରାରମ୍ଭରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ହେମନ୍ତ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ପାଠ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା ଯୋଗଦେଇ ଏହି ଜାତୀୟ ଦିବସକୁ ଶୃଙ୍ଖଳାର ସହ କୋଭିଡ ନିୟମ ଅନୁସାରେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ଆଲୋଚନା ପରେ ସ୍ଥିର କରାଯାଇଥିଲା ଯେ ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ସାଢେ ୪ଟା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ପୈାରାଞ୍ଚଳରେ ରାମଧୂନ ପରିବେଷଣ କରାଯିବ । ସକାଳ ସାଢେ ୭ଟା ସୁଦ୍ଧା ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ବାଣିଜ୍ୟାନୁଷ୍ଠାନ ଓ ନିଜସ୍ୱ ଗୃହମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସନ୍ଧ୍ୟା ପୂର୍ବରୁ ସମ୍ମାନର ସହ ଅବତରଣ କରାଯିବ । ସକାଳ ସାଢେ ୮ଟା ସମୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟ ପଡିଆରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଓ ଅଭିଭାଷଣ ପ୍ରଦାନ କରାଯିବ । ଏହି ଜାତୀୟ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ବାହିନୀ ବ୍ୟାଣ୍ଡପାର୍ଟି ପକ୍ଷରୁ ରାଷ୍ଟ୍ରୀୟ ସଙ୍ଗୀତ ପରିବେଷଣ କରାଯିବ । ଉତ୍ସବ ପ୍ୟାରେଡରେ କେବଳ ଆରକ୍ଷୀ ବାହିନୀ ଉପସ୍ଥିତ ରହିବେ । ଆମନ୍ତ୍ରିତ ଅତିଥି ଭାବେ କେବଳ ସ୍ୱଳ୍ପ ସଂଖ୍ୟକ କୋଭିଡ ଯୋଦ୍ଧାଙ୍କୁ ସାମିଲ କରାଯିବ । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକ, ଉପ ଆରକ୍ଷୀ ଅଧିକାରୀ (ଡି.ଆଇ.ବି.) ଲକ୍ଷ୍ମୀନାରାୟଣ ତିୱାରୀ, ରିଜର୍ଭ ଇନସପେକ୍ଟର ହେମନ୍ତ କୁମାର ଦାସ, ସହକାରୀ ଅଗ୍ନିନିର୍ବାପକ ଅଧିକାରୀ ଦିଲ୍ଲିପ କୁମାର ରାଉତ, ଜିଲ୍ଲା ସମାଜକଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ, ପୈାରଯନ୍ତ୍ରୀ ଇଂ ଦିଲ୍ଲିପ କୁମାର ସେଠୀଙ୍କୁ କୋଭିଡ ଯୋଦ୍ଧା ତାଲିକା ଆସନ୍ତା ୧୫ତାରିଖ ସୁଦ୍ଧା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟକୁ ପ୍ରେରଣ କରିବାକୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ଅଜିତ କୁମାର ସ୍ୱାଇଁ, ପୂର୍ତ୍ତ ଡିଭିଜନ ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ମାଝି, ସହକାରୀ ଉଦ୍ୟାନ ନିର୍ଦେଶକ କନ୍ଦ ଜେନା, ଜନସ୍ୱାସ୍ଥ୍ୟ ସହକାରୀ ଯନ୍ତ୍ରୀ ରମଣ କୁମାର ଦାଶ, ଅଗ୍ନି ନିର୍ବାପକ କେନ୍ଦ୍ରର ସୁଦର୍ଶନ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ