ସାଧାରଣ ରୋଗୀଙ୍କୁ ଡ଼ାକ୍ତରଖାନା ମନା : ସାବାଡ଼୍ ହେବେ ମିଛୁଆ ରୋଗୀ
ଲକ୍ଡ଼ାଉନ୍କୁ କଡ଼ାକଡ଼ି କଲା ପ୍ରଶାସନ
ହିଞ୍ଜିଳିକାଟୁ (ଶେଷଦେବ ସାହୁ) : ସାରା ବିଶ୍ୱରେ କରୋନା ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭାଇରସକୁ ନେଇ ଲୋକେ ଆତଙ୍କିତ । କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଏଯାବତ୍ କୌଣସି ପ୍ରତିଷେଧମୂଳକ ଔଷଧ ଆବିଷ୍କାର ହୋଇନଥିବା ବେଳେ କେବଳ ସଚେତନତା ହିଁ ଏକମାତ୍ର ପନ୍ଥା ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣାଂ କରିଛନ୍ତି । ଗତ ୨୨ ତାରିଖକୁ ସାରା ଭାରତ ବର୍ଷରେ ଜନତା କର୍ଫ୍ୟୁ ଘୋଷଣା କରାଯାଇଥିବା ବେଳେ ଏହା ପରଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସାରା ଭାରତରେ ଲକଡ଼ାଉନ ଘୋଷଣା କରାଯାଇଛି । ଔଷଧ ଦୋକାନକୁ ବାଦ ଦେଲେ ପନିପରିବା ଓ ତେଜରାତି ଦୋକାନ ମାତ୍ର ୫ ଘଂଟା (ସକାଳ ୭ଟାରୁ ମଧ୍ୟାନ୍ନ ୧୨ଘଂଟା ପର୍ଯ୍ୟନ୍ତ) ଖୋଲା ରହିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ଅତ୍ୟା ଆବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯିବା ସହ କୌଣସି ସ୍ଥାନରେ ୭ କିମ୍ବା ଉର୍ଦ୍ଧ୍ୱ ବ୍ୟକ୍ତି ଏକାଠି ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାକୁ କେହି ଉଲଂଘନ କଲେ ଧାରା ୧୮୮ ଅନୁଯାୟୀ ଦଣ୍ଡିତ କରାଯିବାକୁ ଘୋଷଣା କରାଯାଇଛି । ମିଛ ପ୍ରେସ୍କ୍ରିପସନ ଧରି ଗାଡ଼ି ମୋଟରରେ ଘୁରି ବୁଲିବା ଏଣିକି ମହଙ୍ଗା ପଡ଼ିବ । ସାବାଡ଼୍ ହେବେ ମିଛୁଆ ରୋଗୀ । ମିଛୁଆ ରୋଗୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୁଲିସ । ଏଣିକି ନିହାତି ଆବଶ୍ୟକତା ନଥିଲେ କିମ୍ବା ସାଧାରଣ ରୋଗୀ ଡ଼ାକ୍ତରଖାନାକୁ ଯିବାକୁ ଛଡ଼ାଯିବ ନାହିଁ । ଏଭଳି ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି ହିଂଜିଳିକାଟୁ ପ୍ରଶାସନ । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକଡ଼ାଉନ ସମୟରେ ମେଡ଼ିକାଲରେ ସାଧାରଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସହରର କିଛି ଅମାନିଆ ଯୁବକ ମାନେ ସ୍ୱାସ୍ଥ୍ୟ ଖରାଫ ଥିବା ମିଛ ବାହାନା କରି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭିଡ଼ଜମାଇବା ସହ ଡ଼ାକ୍ତରଙ୍କ ଠାରୁ ପ୍ରେସକ୍ରିପସନ ହାତେଇବା ସହ ନିରାମୟ ଯୋଜନାରୁ ଔଷଧ ଆଣି ବାହାରେ ଫୋପାଡ଼ୁଥିବା ଦେଖିବାକୁ ମିଳିଛି । ସହରର ବିଭିନ୍ନ ଛକ ସ୍ଥାନରେ ଥିବା ପୁଲିସ ପ୍ରଶାସନକୁ ଆଣିଥିବା ପ୍ରେସକ୍ରିପସନକୁ ଦେଖାଇ ମୋଟର ସାଇକେଲରେ ଚକ୍କର କାଟୁଥିବା ଜଣାପଡ଼ିଛି । ଯାହା ସ୍ଥାନୀୟ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏ ନେଇ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ଆଲୋଚପନା କରି ଗୁରୁବାର ଠାରୁ ଜରୁରୀ ଚିକିତ୍ସା ଆବଶ୍ୟକ ନଥିଲେ ଡ଼ାକ୍ତରଖାନାକୁ ଯିବାକୁ ମନା କରିବା ସହ ଆବଶ୍ୟକ ସ୍ଥଳରେ ସ୍ୱାସ୍ଥ୍ୟକର୍ମୀ, ଏଏନଏମ କିମ୍ବା ଆଶା ଦିଦିଙ୍କ ଠାରୁ ଔଷଧ ଆଣିବା ଲାଗି ଡ଼ାକବାଜି ଯନ୍ତ୍ରୀ ସାହାର୍ଯ୍ୟରେ ସହରର ଜନସାଧାରଣଙ୍କୁ ଅବଗତ କରିଛନ୍ତି ।