ସାଧୁସନ୍ଥ ମାନଙ୍କ ପ୍ରାଚୀ ପରିକ୍ରମା ପଦଯାତ୍ରା ଆରମ୍ଭ

ନିମାପଡ଼ା, (ସନ୍ତୋଷ ଦାଶ):ପୁଣ୍ୟତୋୟା ପ୍ରାଚୀ ନଦୀର ହୃତଗୌରବ ପୁନଃ ପ୍ରକଟ ଚେଷ୍ଟା ଓ ଅବକ୍ଷୟମୁଖୀ ନଦୀ ର ପୁନଃରୁଦ୍ଧାର ଦାବି ରେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦର ଉଦ୍ୟମ ତଥା ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜଙ୍କ ପୌରୋହିତ୍ୟ ରେ ପ୍ରାଚୀ ପରିକ୍ରମା ପଦଯାତ୍ରା ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱର କୋଣ ଅନୁକୋଣ ର ସାଧୁସନ୍ଥ ,ଯୋଗୀ, ଶ୍ରଦ୍ଧାଳୁ, ଐତିହାସିକ ,ଗବେଷକ, ପରିବେଶପ୍ରେମୀ ଓ ପ୍ରାଚୀ ଉପତ୍ୟକାର ବିଭିନ୍ନ ମଠ ମନ୍ଦିରର ବାବାଜୀ ମାନେ ଖାଲି ପାଦରେ ଚାଲି ଚାଲି ପବିତ୍ର ପ୍ରାଚୀ ନଦୀର ପରିକ୍ରମା ଆରମ୍ଭ କରିଛନ୍ତି । ଦୀର୍ଘ ୧୨ବର୍ଷ ହେବ ଏହି ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ପୁରାଣ ରେ ବର୍ଣନା ଅନୁଯାୟୀ ଭକ୍ତଶ୍ରେଷ୍ଠ ଜୟଦେବ ଓ ଶ୍ରୀ ଚୈତନ୍ୟ ଦେବ ଭକ୍ତ ମାନଙ୍କ ସହ ପୁଣ୍ୟତୋୟା ପ୍ରାଚୀ ନଦୀର ପରିକ୍ରମା କରିଥିଲେ ।ଭାରତବର୍ଷରେ ନର୍ମଦା ପରିକ୍ରମା ପରେ ଏହି ପ୍ରାଚୀ ପରିକ୍ରମା ଦ୍ଵିତୀୟ ନଦୀ ପରିକ୍ରମା କାର୍ଯ୍ୟକ୍ରମ । ଜୟଦେବ ଓ ଶ୍ରୀଚୈତନ୍ୟଙ୍କର ସେହି ପଦାଙ୍କ ଅନୁସରଣ କରି ସାଧୁସନ୍ଥ ମାନେ ପ୍ରାଚୀ ଉପତ୍ୟକା ର ଅନ୍ଧ କପିଳେଶ୍ୱର ମନ୍ଦିର (କପିଳ ମୁନି ଆଶ୍ରମ) ଠାରୁ ପ୍ରାଚୀ ନଦୀର ଉତ୍ତର ଦିଗରେ ଯାତ୍ରା ଆରମ୍ଭ କରି ବାଟରେ ବିଭିନ୍ନ ପୀଠ, ମନ୍ଦିର ଓ ତୀର୍ଥ ମାନଙ୍କରେ ପ୍ରାଚୀ ଆଳତି, ଗୋ ପୂଜନ, ବୃକ୍ଷ ପୂଜନ, ମାତୃପୂଜନ, ପ୍ରବଚନ, କଥା ଆଦି କାର୍ଯ୍ୟ କରି ଅସ୍ତରଙ୍ଗର ପ୍ରାଚୀ-ସାଗର ସଙ୍ଗମସ୍ଥ ବେଲେଶ୍ୱର ମନ୍ଦିର(ମୁକ୍ତେଶ୍ଵର) ଠାରେ ପହଞ୍ଚିବେ। ସେଠାରେ ମନ୍ଦିର ନିକଟରେ ସାଗର ଆଳତି କରିବା ସହ ପ୍ରାଚୀର ଦକ୍ଷିଣ ଦିଗରେ ପୁଣି ପ୍ରାଚୀ ନଦୀ କଡେକଡେ ଫେରି ପୁନଶ୍ଚ ଅଡସପୁର ନିକଟସ୍ଥ ଅନ୍ଧ କପିଳେଶ୍ୱର ମନ୍ଦିର ରେ ପହଞ୍ଚି ଯଜ୍ଞାଦି କର୍ମ ସାଧନ ପୂର୍ବକ ଯାତ୍ରା ସମାପନ କରିବାର କାର୍ଯକ୍ରମ ରହିଛି ।ଯାତ୍ରା ର ବାଟରେ ସ୍ଥାନେ ସ୍ଥାନେ ବିଶ୍ରାମ ପାଇଁ ରାତ୍ରୀ ରହଣି ଓ ଭଗବତ ପ୍ରବଚନ ତଥା ପ୍ରାଚୀ ମହାତ୍ମ୍ୟର ଆଲୋଚନା କଥା ଅନୁଷ୍ଠିତ ହେବ। ପଥରେ ପ୍ରାଚୀ କୂଳର ଗ୍ରାମବାସୀମାନେ ସାଧୁସନ୍ଥ ମାନଙ୍କୁ ଫୁଲମାଳ ଦେଇ, ହରିବୋଲ ହୁଳହୁଳି ପକାଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି। ପଦଯାତ୍ରୀ ମାନଙ୍କୁ ପଣା ପାଣି ବଣ୍ଟନ କରୁଛନ୍ତି ।ପ୍ରାୟତଃ ଅଡସପୁରର ମୂଷିବାବା ମଠ (ଆର୍ତତ୍ରାଣ ଗାଦି),ନିଆଳି ମାଧବ ମନ୍ଦିର,ନୟାହାଟର ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର, ରାମେଶ୍ୱର ଘାଟ, କାକଟପୁରର ବିଶ୍ଵାମିତ୍ର ଆଶ୍ରମ, ଦେଉଳି ମଠ, ଅପସରା ମଠ, ଶଙ୍କରେଶ୍ୱର,ଓଥକା ରାମ ମନ୍ଦିର, ପରାସର ଋଷି ଆଶ୍ରମ (କ୍ଷୀରଗଛ ମଠ),ଅନ୍ତର୍ବେଦୀ ମଠ, ବୁଦ୍ଧିକେଶ୍ୱର ମନ୍ଦିର ଆଦି ସ୍ଥାନରେ ପଦଯାତ୍ରୀ ମାନେ ବିଶ୍ରାମ କରିବାର ସ୍ଥିର ହୋଇଛି। ବିଶ୍ରାମ ସ୍ଥାନମାନଙ୍କ ରେ ଭଜନ, କୀର୍ତ୍ତନ, ପ୍ରାଚୀନଦୀ ର ଐତିହ୍ୟ ସଂପର୍କ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଉକ୍ତ ପଦ ଯାତ୍ରାରେ ପ୍ରଜ୍ଞାନାନନ୍ଦ ସହ ଗୋଠଦା ମହନ୍ତ ଚିନ୍ତାମଣି ପର୍ବତ ମହାରାଜ, ରାଧାବଲ୍ଳଭ ମହନ୍ତ ରାମକୃଷ୍ଣ ଦାସ ମହାରାଜ,ନୂଆମଠ ର ନାମାଚାର୍ଯ୍ୟ ବାବାଜୀ ଦାମୋଦର ଦାସ, ବାବାଜୀ ରାମ ଦାସ, ନାଉଗାଁ ର ବ୍ରହ୍ମଚାରି ସତ୍ୟାନନ୍ଦ ଦାସ ମହାରାଜ, ବାବା ଦୀନବନ୍ଧୁ ଦାସ,ସୁଧାନନ୍ଦ ଗିରି ମହାରାଜ, ପର୍ଶୁରାମକ୍ଷେତ୍ର ମହନ୍ତ ଜଗନ୍ନାଥ ଦାସ,ମହନ୍ତ ଦିବ୍ୟକୃଷ୍ଣ ଦାସ ମହାରାଜ,ମହନ୍ତ ତ୍ରିଲୋଚନ ଦାସ, ସମର୍ପଣାନନ୍ଦ ଗିରି, ଆଖଣ୍ଡାନନ୍ଦ, ନନ୍ଦବାବା,ବୈଦିକ ବ୍ରlହ୍ମଣ ପରିଷଦର ସମ୍ପାଦକ ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର, ବାବାଜୀ ବ୍ରଜବନ୍ଧୁ ଦାସ,ପ୍ରାଚୀ ସୁରକ୍ଷା ସମିତି ର ଇଞ୍ଜିନିଅର ଦୁର୍ଗାଚରଣ ମିଶ୍ର ଓ କ୍ରିୟା ଯୋଗ ଆଶ୍ରମ ର ସାଧୁ ଓ ବ୍ରହ୍ମଚାରି ମାନେ ତଥା ମା ମଙ୍ଗଳା ପୀଠର ବ୍ରlହ୍ମଣମାନେ ଯୋଗଦେଇଛନ୍ତି । ଅନେକ ବିଦେଶୀ ଭକ୍ତ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ପ୍ରାଚୀ ସଂସ୍କୃତି ପୁନଃରୁଦ୍ଧାର ପାଇଁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଉପତ୍ୟକାବାସୀ, ସାଧାରଣ ଲୋକଙ୍କ ମନରେ ପ୍ରାଚୀନଦୀ ପ୍ରତି ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ