ସାଧୁସନ୍ଥ ମାନଙ୍କ ଶ୍ରୀକ୍ଷେତ୍ର ପରିକ୍ରମା

ନିମାପଡା, (ସନ୍ତୋଷ ଦାଶ):ଶ୍ରୀକ୍ଷେତ୍ର ପୁରୀ ରେ ବାର ମାସରେ ତେର ଯାତ୍ରା ଛଡ଼ା ଅନେକ ଯାନି ଯାତ୍ରା,ପର୍ବ ପର୍ବାଣୀ ପାଳିତ ହୁଏ। ତନ୍ମଧ୍ୟରୁ ଶ୍ରୀକ୍ଷେତ୍ର ପରିକ୍ରମା ଅନ୍ୟତମ। ମାର୍ଗଶିର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଏହା ସାଧୁ, ସନ୍ଥ, ସନ୍ୟାସୀ ଓ ଭକ୍ତମାନଙ୍କ ଦ୍ଵାରା ପାଳିତ ହୋଇଥାଏ। ପଞ୍ଚମୀ ତିଥିରେ ଏହି ପରିକ୍ରମା ହେଉଥିବାରୁ ଏହାକୁ ପଞ୍ଚୁତୀର୍ଥ ପରିକ୍ରମା ମଧ୍ୟ କୁହାଯାଏ। ଧର୍ମ ମାସ କାର୍ତ୍ତିକ ସରିଯାଇଥିଲେ ମଧ୍ୟ ଶ୍ରୀକ୍ଷେତ୍ର ପରିକ୍ରମା ପର୍ଯ୍ୟନ୍ତ କିଛି ସାଧୁ, ସନ୍ୟାସୀ ପ୍ରତ୍ୟେକ ଦିନ ଶ୍ରୀକ୍ଷେତ୍ର ପରିକ୍ରମା କରିଥାଆନ୍ତି। ଆଉ ଏହି ପରିକ୍ରମା ସମାପ୍ତ ହୁଏ ଶ୍ରୀକ୍ଷେତ୍ର ପରିକ୍ରମା ଦିନ। ଏହି ଦିନ ଭୋର ରୁ ବିଭିନ୍ନ ସ୍ଥାନରୁ ଆସିଥିବା କୀର୍ତ୍ତନ ମଣ୍ଡଳୀ,ସାଧୁସନ୍ଥ ଓ ଭକ୍ତମାନେ ଶ୍ରୀ ମନ୍ଦିର ସିଂହଦ୍ଵାର ଠାରୁ ଏହି ପରିକ୍ରମା ଆରମ୍ଭ କରିଥାନ୍ତି। ଗୋଟିଏ ଗୋଟିଏ ଦଳରେ ପ୍ରାୟ ୨୦୦ ରୁ ୩୦୦ ଜଣ ଏକାଠି ହୋଇ ଆରମ୍ଭ କରିଦିଅନ୍ତି ପରିକ୍ରମା। ପରିକ୍ରମା ଦଳରେ ଉତ୍ସାହର ସହ ବହୁ ଯାତ୍ରୀ, ଦର୍ଶନାର୍ଥୀ ମଧ୍ୟ ଯୋଗଦାନ କରନ୍ତି। ଖୋଳ, ଝାଞ୍ଜ,ଗିନି,ଢୋଲ ଇତ୍ୟାଦି ଧରି ପରିକ୍ରମା ମଣ୍ଡଳୀ ଗ୍ରସ୍ତ କରିଥାନ୍ତି। ସିଂହଦ୍ଵାର ରୁ ପତିତପାବନ ଓ ନୀଳଚକ୍ର ଙ୍କ ଦର୍ଶନ ସହ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ର ସୀମାକୁ ପାଦରେ ପରିକ୍ରମା କରି ଏହା ସିଂହଦ୍ଵାର ଠାରେ ହିଁ ସମାପ୍ତ ହୋଇଥାଏ। ପରିକ୍ରମା ଦଳ ସିଂହଦ୍ଵାର ରୁ ବାଲିସାହି ଉଆଁସ ଦାଣ୍ଡ ଦେଇ ସ୍ଵର୍ଗଦ୍ଵାର ର ନାରାୟଣ ଘାଟରେ ପହଞ୍ଚନ୍ତି। ସେଠାରେ ମହୋଦଧି କୁ ସ୍ପର୍ଶ କରି ଜଳ ସିଞ୍ଚନ ସହ ଡାହାଣ ପଟରେ ମହୋଦଧି ର କୂଳେ କୂଳେ ବଳିଆ ପଣ୍ଡା ଦେଇ ଆଗକୁ ବଢନ୍ତି।ଆଗେ ସେଠାରେ ଯମୁନା କୂଳ ମଙ୍ଗଳା ନଦୀ ର ଧାରେ ଧାରେ ଯାଉଥିଲେ।କିନ୍ତୁ ଏବେ କିଛି ବର୍ଷ ହେଲା, ମାତା ମଠ ଏହି ପରିକ୍ରମା ମଣ୍ଡଳୀ ଙ୍କୁ ଆତିଥ୍ୟ ପ୍ରଦାନ କରୁଥିବାରୁ ମଙ୍ଗଳା ମୁହାଣର ଅନତିଦୂରରୁ ଡାହାଣ କୁ ମୋଡି ମାତା ମଠ ବା ଗୌର ବିହାର ଠାରେ କିଛି ସମୟ ବିଶ୍ରାମ ନେଇ , ପ୍ରସାଦ ସେବନ କରି ପୁନଶ୍ଚ ଆଗକୁ ବଢ଼ି ଥାନ୍ତି।ଶ୍ରୀ ଲୋକନାଥ ମନ୍ଦିର ର ପାର୍ବତୀ ସାଗର ରେ ଜଳ ସିଞ୍ଚନ କରି ସେଠାରେ ଦର୍ଶନ କରି ଶଙ୍କରେଶ୍ଵର ଙ୍କ ଦର୍ଶନ ସାରି ଘାଟ ମଙ୍ଗଳା ଙ୍କ ମନ୍ଦିର ରେ ଦର୍ଶନ କରି ମଙ୍ଗଳା ଘାଟ ବ୍ରିଜ ପାଖରେ ପହଞ୍ଚନ୍ତି। ସେଠାରେ ତଳକୁ ଓହ୍ଲାଇ ମୂଷାନଈର ଦେବୀ ଘାଟ ଦେଇ ମାଟି ତୋଟା ରେ ପହଞ୍ଚି କିଛି ସମୟ ବିଶ୍ରାମ ନିଅନ୍ତି। ଏଠାରେ ମଧ୍ୟ ଏକ ଭକ୍ତ ପରିବାର କିଛି ବର୍ଷ ଧରି ପରିକ୍ରମା ମଣ୍ଡଳୀ ଙ୍କୁ ଅନ୍ନ ମହାପ୍ରସାଦର ପଖାଳ ଓ ଡାଲି ଦେଇ ଆସୁଛନ୍ତି। ଏହା ପରେ କୀର୍ତ୍ତନ ସହ ପରିକ୍ରମା ଦଳ ପହଞ୍ଚନ୍ତି ପଥର ପୋଖରୀ ନିକଟରେ। ସେଠାରେ ଗୋଡ ଧୋଇ ମା ଅଲାମଚଣ୍ଡି ଓ ମକରଧ୍ବଜ ହନୁମାନ ଙ୍କୁ ଦର୍ଶନ କରି ଅଠର ନଳା ଠାରୁ ଡାହାଣ ପଟରେ ନବ କଳେବର ରୋଡ ଦେଇ ଆଖଣ୍ଡଳମଣି ମନ୍ଦିର ,ହୁଳୁହୁଳିଆ ପୋଲ, ରେଳଲାଇନ କୁ ଟପି ସେନାପତି ବଗିଚା ଠାରେ ବାହାରି ସିଦ୍ଧ ମହାବୀର ଙ୍କ ମନ୍ଦିର ପାଖରେ ପହଞ୍ଚିଥାଆନ୍ତି।ସେଠାରେ ମୌନୀ ବାବା ଙ୍କ ଆଶ୍ରମ ରେ କିଛି ସମୟ ବିଶ୍ରାମ କରିବାର ବ୍ୟବସ୍ଥା ହୋଇଥାଏ। ମୌନୀ ବାବା ଜୀବିତ ଥିବା ସମୟରେ ଏଠାରେ ଆହୁରି ବଡ଼ ଧରଣ ର ଅଭ୍ୟାଗତି ର ଆୟୋଜନ ହେଉଥିଲା। ଏବେ କିଛି କମି ଯାଇଥିଲେ ମଧ୍ୟ ଆୟୋଜନ ହେଉଛି। ସିଦ୍ଧ ମହାବୀର ଙ୍କ ମନ୍ଦିର ସାମ୍ନାରେ ଥିବା ପୋଖରୀ ରେ ଗୋଡ ହାତ ଧୋଇ ସିଦ୍ଧ ମହାବୀର ଙ୍କୁ ନାଗା ବେଶ ରେ ଦର୍ଶନ କରନ୍ତି। ଏଇ ଗୋଟିଏ ଦିନ ସିଦ୍ଧ ମହାବୀର ଭକ୍ତ ଙ୍କୁ ନାଗା ବେଶରେ ଦର୍ଶନ ଦିଅନ୍ତି। ସିଦ୍ଧ ମହାବୀର ଙ୍କ ଦର୍ଶନ ସାରି ତାଳବଣିଆ ଦେଇ ସୁନାର ଗୌରାଙ୍ଗ,ବେଡି ହନୁମାନ ଓ ଚକ୍ର ନାରାୟଣ ଙ୍କୁ ଦର୍ଶନ କରି ପୁନର୍ବାର ମହୋଦଧୀ କୂଳରେ ଆଗକୁ ବଢନ୍ତି। ସେଠାରୁ କିଛି ଭକ୍ତ କୂଳରେ ନ ଆସି ଚକ୍ରତୀର୍ଥ ରୋଡ଼ ରେ ଆସିବାକୁ ଉଚିତ ମନେ କରୁଛନ୍ତି। କାହିଁକି ନା କୂଳ ରେ ଆସିବା ସମୟରେ ତାଙ୍କୁ ବାଙ୍କୀ ମୁହାଣ ଠାରେ ନର୍ଦ୍ଦମା ପାଣି ପାର ହେବାକୁ ପଡୁଛି। ଆଉ ଏବେ ଦୁଇ ବର୍ଷ ହେଲାଣି ବ୍ଲୁଫ୍ଲାଗ ବିଚ ପାଇଁ ସରକାର ମହୋଦଧି ରେ ବାଡ଼ ପକାଇ ଦୁଇଟି ସ୍ଥାନ କୁ ଆବଦ୍ଧ କରି ରଖିଛନ୍ତି।ଚକ୍ର ନାରାୟଣ ଙ୍କ ଠାରୁ ଏହି ପରିକ୍ରମା ଆସି ପହଞ୍ଚେ ପୁଣି ନାରାୟଣ ଘାଟରେ। ସେଠାରୁ ଡାହାଣ ପଟେ ପୁଣି ବାଲିସାହି ଉଆଁସ ଦାଣ୍ଡ ଦେଇ ସିଂହଦ୍ଵାର ଠାରେ ଏହି ପଞ୍ଚୁ ତୀର୍ଥ ପରିକ୍ରମା ବା ଶ୍ରୀକ୍ଷେତ୍ର ପରିକ୍ରମା ସମ୍ପୂର୍ଣ୍ଣ ହୋଇଥାଏ। କେହି କେହି ଏହାକୁ ଗୌଡିୟ ପରମ୍ପରା ବୋଲି କହୁଥିଲେ ମଧ୍ୟ ଏହି ପରିକ୍ରମା ରେ ସମସ୍ତେ ଭାଗ ନେଇ ଶ୍ରୀକ୍ଷେତ୍ର ପରିକ୍ରମା ର ଅପୂର୍ବ ସୁଯୋଗ ପାଇ ପୁଣ୍ୟ ଅର୍ଜନ କରନ୍ତି। ଶ୍ରୀ କ୍ଷେତ୍ର ପରିକ୍ରମା କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି। ଜୟ ଜଗନ୍ନାଥ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ