ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଇସିଙ୍କ ନୋଟିସ୍
ନୂଆଦିଲ୍ଲୀ(ଏଜେନ୍ସି): ସହିଦ୍ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେବା ପ୍ରସଙ୍ଗରେ ବିଜେପିର ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଶନିବାର ନିର୍ବାଚନ ଆୟୋଗ (ଇସି) ନୋଟିସ୍ ପଠାଇଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାଧ୍ୱୀଙ୍କୁ ନୋଟିସ୍ର ଜବାବ ଦେବାକୁ ହେବ ବୋଲି ଇସି ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯେ, ଭୋପାଳରେ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେବା ବେଳେ ସାଧ୍ୱୀ ପ୍ରଜ୍ଞା କହିଥିଲେ ସହିଦ୍ କରକରେ ତାଙ୍କୁ ମାଲେଗାଁଓ ବିସ୍ଫୋରଣ ଘଟଣାରେ ନିର୍ଯାତନା ଦେଇଥିଲେ । ଏଥିପାଇଁ କର୍କରେଙ୍କୁ ସେ ଅଭିଶାପ ଦେଇଥିଲେ । ତାଙ୍କ ଅଭିଶାପ ଯୋଗୁଁ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ କରକରେଙ୍କ ମୃତ୍ୟୁ ହୋଇଥିଲା ବୋଲି ସାଧ୍ୱୀ ପ୍ରଜ୍ଞା କହିଥିଲେ । ପରେ ସାଧ୍ୱୀ ପ୍ରଜ୍ଞାଙ୍କ ସହିଦ୍ଙ୍କ ପ୍ରତି ଏପ୍ରକାର ଅପମାନସୂଚକ ମନ୍ତବ୍ୟ ପାଇଁ ବିବାଦ ସୃଷ୍ଟି ହେବା ପରେ ସାଧ୍ୱୀ ସମସ୍ତଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ । ସେ କହିଥିଲେ, ଯଦି ତାଙ୍କ ମନ୍ତବ୍ୟ କାହାକୁ ଦୁଃଖ ଦେଇଛି ତେବେ ସେ ଏଥିପାଇଁ କ୍ଷମାପ୍ରାର୍ଥନା କରୁଛନ୍ତି ଏବଂ ସେ ତାଙ୍କ ମନ୍ତବ୍ୟ ଫେରାଇ ନେଉଛନ୍ତି । ତେବେ ସାଧ୍ୱୀଙ୍କ ଏହି ମନ୍ତବ୍ୟକୁ ନେଇ ବିରୋଧୀ ଗୋଷ୍ଠୀ ପ୍ରତିବାଦ କରିବା ପରେ ବିଜେପି ଏନେଇ ସ୍ପଷ୍ଟୀକରଣ ରଖିଥିଲା । ସାଧ୍ୱୀ ଦେଇଥିବା ମନ୍ତବ୍ୟ ତାଙ୍କ ନିଜସ୍ୱ, ଏହା ଦଳର ମତ ନୁହେଁ ବୋଲି ବିଜେପି କହିଥିଲା ।