ସାନଖେମୁଣ୍ଡିରେ କରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର କରୋନା ସଂକ୍ରମଣ ନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଲୋଚନା କରି ସମୀକ୍ଷା କରିଛନ୍ତି । ଏହି ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ସାନେଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, କୋଭିଡ଼ ୧୯ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରଟ୍ ତପନ କୁମାର ପରିଡ଼ା, ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ବାହାନା ଦାସ, କୃଷି ଅଧିକାରୀ ବିଶ୍ୱରଂଜନ ରାଉତ ଉପସ୍ଥିତ ଥିଲେ । କରୋନା ସଚେତନତା ବ୍ୟାପକ କରିବା ସହ ପ୍ରତି ପଞ୍ଚାୟତରେ କୋଭିଡ଼ କେୟାର ହୋମ୍ ପ୍ରସ୍ତୁତ ରଖି କରୋନାର ପ୍ରାଥମିକ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ କୋଭିଡ଼ କେୟାର୍ ହୋମ୍ରେ ରଖିବା ସହ ଔଷଧ ଡାକ୍ତର ରହିବା ନେଇ ଗୁରୁତ୍ୱ ଦେଇଛନ୍ତି । କୌଣସି ବାହାର ଲୋକଙ୍କ ଠାରେ କରୋନା ପଜିଟିଭ ହେଲେ ତାଙ୍କ ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ପାଇଁ ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ଘରକୁ ଫେରୁଥିବା ପ୍ରବାସୀଙ୍କୁ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଇବା, ସରକାରଙ୍କ ଘୋଷଣା ମୁତାବକ ଦୁଇ ହଜାର ଟଙ୍କା ପ୍ରଦାନ କରିବା, ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ପାଇ ଗୁରୁତ୍ୱାରୋପ କରିଥିଲେ । ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ନେଇ ମଧ୍ୟ ଗୁରୁତ୍ୱ ଦେବାକୁ ହେବ । ଗ୍ରାମାଞ୍ଚଳରେ ମଣ୍ଡପରେ ଗୋଷ୍ଠୀ ହୋଇ ଜୁଆ ଖେଳିବା, ପୋଖରୀକୁ ଗାଧୋଇ ଯିବା, ବିନା କାରଣରେ ବାହାରେ ବୁଲିବା ଲୋକଙ୍କ ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାକୁ ପ୍ରବାସୀ ଓଡ଼ିଆମାନେ ଆସିନଥିବା ବେଳେ ଯେଉଁ ଭଳି ଭାବେ ଲୋକଙ୍କୁ ସଚେତନତା କରାଇ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ ତାହା ବର୍ତ୍ତମାନ ପରିଲଖିତ ହେଉନାହିଁ ଏଣୁ ଆମକୁ ବହୁ କାର୍ଯ୍ୟ କରିବାକୁ ବାକି ଅଛି ଏବଂ ଆଗକୁ ଏହାର ମୁକାବିଲା ଅତି ଦୃଢ଼ତାର ସହ କରିବା ପାଇଁ ଏହି ସମୀକ୍ଷା ବୈଠକରେ ସମସ୍ତ ପଞ୍ଚାୟତ ଅଧିକାରୀମାନଙ୍କ ଉପସ୍ଥିତିରେ ପରାମର୍ଶ ଦେଇଥିଲେ ।


