ସାନଖେମୁଣ୍ଡି ବ୍ଳକସ୍ତରୀୟ କର୍ମ ନିଯୁକ୍ତି ମେଳା ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ତଥା ଓରମାସ ଓଡ଼ିଶା ଜୀବିକା ମିଶନ ଶକ୍ତି ବିଭାଗର ମିଳିତ ଆନୁକୁଲ୍ୟରେ ଗୁରୁବାର ଦିନ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ମଧ୍ୟରେ ବ୍ଳକସ୍ତରୀୟ କର୍ମ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଶିବିର କାର୍ଯ୍ୟକ୍ରମକୁ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର କାର୍ଯ୍ୟକ୍ରମ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଉପାଧ୍ୟକ୍ଷା ରିଙ୍କି ନାୟକ , ଜିଲ୍ଲା ସଂଯୋଜକ ସୁଶାନ୍ତ କୁମାର ପଲାଇ , ପୋଡାମାରୀ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ , ଗଣମାଧ୍ୟମ ପ୍ରତିନିଧି ପଦ୍ମଲୋଚନ ପାଣିଗ୍ରାହୀ ମଞ୍ଚାସୀନ ରହିଥିଲେ । ଗ୍ରାମାଞ୍ଚଳ ରେ ବହୁ ଯୁବକ ଯୁବତୀ ମାନେ ଉଚ୍ଚଶିକ୍ଷା ଲାଭ କରି ମଧ୍ୟ ଚାକିରି ଖଣ୍ଡେ ପାଇବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି ତ ଅନ୍ଯକ୍ଷେତ୍ରରେ ଗରିବ ଶ୍ରେଣୀର ପିଲାମାନେ ଆର୍ଥିକ ଅଭାବ ଅନଟନ ଯୋଗୁଁ ବେକାର ହୋଇ ରହିଥାନ୍ତି । ଯାହାକୁ ନେଇ ରାଜ୍ୟ ସରକାର ୧୮ – ୩୫ ବର୍ଷ ବୟସ୍କ ବେରୋଜଗାର ଯୁବକ ଯୁବତୀମାନଙ୍କୁ ରୋଜଗାର କ୍ଷମ କରି ଆତ୍ମ ନିର୍ଭରଶୀଳ କରିବା ବେକାରୀ ସମସ୍ୟା ଦୂର କରିବା ପାଇଁ ଏଭଳି ଯୋଜନା କରିଛନ୍ତି । ଆଜି ଆୟୋଜିତ ଶିବିରରେ ବ୍ଳକ ର ୨୬ ଗୋଟି ପଞ୍ଚାୟତର ୯୨ ଜଣ ଯୁବକ ଯୁବତୀ ଏହି ଯୋଜନାରେ ନିଜର ନାମ ପଞ୍ଜିକରଣ କରିବା ସହିତ ୯ ଗୋଟି ବିଭିନ୍ନ କମ୍ପାନୀରୁ ଆସିଥିବା ଆୟୋଜକ ମାନଙ୍କ ସହ ଯୋଜନା ବାବଦରେ ଆଲୋଚନା କରିଥିଲେ । ଏଥିସହ ୬୭ ଜଣ ଯୁବକ ଯୁବତୀ ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ରାଜ୍ୟର ଭୁବନେଶ୍ୱର , କଟକ ଓ ଖୋର୍ଦ୍ଧାରେ ଥିବା ବିଭିନ୍ନ କମ୍ପାନୀରେ ସାମିଲ କରିବା ପାଇଁ ୩ ମାସ ତାଲିମ ପ୍ରଦାନ କରାଯିବ ବୋଲି ଅତିଥି ମାନେ ନିଜ ଅଭିଭାଷଣରେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିପିଏମ୍ ନରେନ୍ଦ୍ର କୁମାର ତ୍ରିପାଠୀ ପରିଚାଳନା କରିଥିବା ବେଳେ ବିପିସି ଦୁର୍ଯୋଧନ ମଲ୍ଲିକ ସମେତ ବ୍ଳକର କେତେକ କର୍ମଚାରୀ ସହଯୋଗ କରିଥିଲେ ।


