ସାନମାଣିତିଆ ପଂଚାୟତ ସଙ୍ଗରୋଧକେନ୍ଦ୍ରରେ ପ୍ରବାସୀଙ୍କୁ ବିଦାୟ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ପଂଚାୟତର ଜରିଆବାଡ ସ୍ଥିତ ବଜ୍ରମହାକାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ଅପରାହ୍ନରେ ୧୪ଦିନ ସଙ୍ଗରୋଧ ଶେଷ କରିଥିବା ୫୨ଜଣ ପ୍ରବାସୀଙ୍କୁ ନିଜ ନିଜର ଗୃହ ସଙ୍ଗରୋଧରେ ୭ଦିନ ରହିବାକୁ ପରାମର୍ଶ ଦିଆଯାଇ ଏଠାରୁ ବିଦାୟ ପ୍ରଦାନ କରାଯାଇଛି । ଅତ୍ୟନ୍ତ ଭାବବିହ୍ୱଳ ପରିବେଶ ମଧ୍ୟରେ ମହାକାଳପଡା, ରାଜନଗର ଓ ରାଜକନିକା ବ୍ଲକ ଅଚଂଳର ଏହି ପ୍ରବାସୀମାନଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ଦେଇଥିଲେ ସାନମାଣିତିଆ ପଂଚାୟତ ସରପଂଚ କମଳା ଗିରି ଓ ତାଙ୍କ ପ୍ରତିନିଧି ଜୟପ୍ରକାଶ ଗିରି । ଗତ ୧୪ଦିନ ମଧ୍ୟରେ ଏହି ପ୍ରବାସୀମାନଙ୍କ ସହିତ ନିଜ ପରିବାର ଲୋକଙ୍କ ଭଳି ମିଶି ଯାଇଥିବା ଉଭୟ ସରପଂଚ ଓ ତାଙ୍କ ପ୍ରତିନିଧି ଦୈନିକ ସକାଳ,ମଧ୍ୟାହ୍ନ ଓ ରାତିରେ ଆସି ପ୍ରବାସୀଙ୍କ ଖାଇବା, ପିଇବା ଖବର ବୁଝିବା ସହିତ ସେମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରି ସେମାନଙ୍କ ମନବଳକୁ ବୃଦ୍ଧି କରିବାରେ ସହାୟତା ଦେଉଥିଲେ । ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ମଧ୍ୟରୁ ଅନେକ ଯୁବକ ସରପଂଚ ଏବଂ ତାଙ୍କ ପ୍ରତିନିଧିଙ୍କ ବ୍ୟବହାର, ନିଜ ପରିବାର ସଦସ୍ୟ ଭଳି ସେମାନଙ୍କୁ ଭଲପାଇବା ଏବଂ ସେମାନଙ୍କ ଭଲମନ୍ଦ ଯେଭଳି ବୁଝିଛନ୍ତି ତାହା ସେମାନଙ୍କର ସବୁଦିନେ ମନରହିବ ବୋଲି କହିଥିଲେ । ବିଦାୟ ସମୟରେ ସରପଂଚ ଶ୍ରୀମତୀ ଗିରି ପ୍ରବାସୀମାନଙ୍କୁ କରୋନା ମହାମାରୀ ସଂକ୍ରମଣରୁ କିପରି ସୁରକ୍ଷିତ ରହିପାରିବେ, ରାଜ୍ୟ ସରକାରଙ୍କ କୋଭିଡ-୧୯ ନିୟମକୁ ପାଳନ କରି ଆଉ ୭ଦିନ ଘରେ ସଙ୍ଗରୋଧରେ ରହିବା, ମୁହଁରେ ମାସ୍କ ପିନ୍ଧିବା, ହାତକୁ ସାବୁନରେ ବାରମ୍ବାର ଧୋଇବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏ.ଏନ.ଏମ. ମାନସୀମଞ୍ଜରୀ ସ୍ୱାଇଁ, ଅଙ୍ଗନୱାଡିକର୍ମୀ ଅନୁସୂୟା ସୂତାର, ଶିକ୍ଷୟତ୍ରୀ କାମିନୀକାଂଚନ ରାଉତ,ଶିକ୍ଷକ ବସନ୍ତ କୁମାର ମଲ୍ଲିକ,ସୁଲେଖ ସାହୁ,ଅଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ