ସାନି ବିବାଦରେ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କମ୍ପାନୀ ଆଇନ ସମୂହରେ ଥିବା କେତେକ ବ୍ୟବସ୍ଥାକୁ ଉଲଂଘନ କରିବାକୁ ନେଇ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ସାନି ବିବାଦରେ ଛନ୍ଦି ହୋଇଯାଇଛି । ଏଥିପାଇଁ ରେଜିଷ୍ଟ୍ରାର ଅଫ କମ୍ପାନୀଜ୍ (ଆରଓସି) ୟୁସିସିଆଇଏଲ ଏବଂ ଏହାର ୮ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ୭ ଜଣ ନର୍ଦ୍ଦେଶକଙ୍କ ଉପରେ ଜୋରିମାନା କରିଛନ୍ତି । ଚାମ୍ବର ପକ୍ଷରୁ କମ୍ପାନୀସମୂହ ଆଇନ ଉଲଂଘନ ଅଭିଯୋଗର ତଦନ୍ତ କରିବାକୁ କମ୍ପାନୀ ସମୂହର ନିବନ୍ଧକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡର ଜଣେ ସଦସ୍ୟଙ୍କ ପିଟସନ ଉପରେ ତଦନ୍ତ କରି ରେଜିଷ୍ଟ୍ରାର ଅଫ କମ୍ପାନୀଜ ନିର୍ଣ୍ଣୟରେ ପହଂଚି ଛନ୍ତି ଯେ, ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ କମ୍ପାନୀ ସମୂହ ଆଇନର ଧାରା ୧୨ (୩) (ଗ)ର ଉଲଂଘନ କରିଛି ଏବଂ ସେଥିପାଇଁ ଏହାକୁ ଦଣ୍ଡବିଧାନ କରାଯିବ । ଏହି ଆଧାରରେ କମ୍ପାନୀ ନିୟନ୍ତ୍ରକ ତାଙ୍କର ୪ ଜାନୁୟାରୀ ୨୦୨୨ ଆଦେଶ ବଳରେ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଉପରେ ୭୮ ହଜାର ଟଙ୍କାର ଜୋରିମାନା କରିବା ସହିତ ଏହାର ସଭାପତିଙ୍କ ସମେତ ୭ ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ଉପରେ ସମାନ ପରିମାଣର ଜୋରିମାନା କରିଛନ୍ତି । ଏକ କମ୍ପାନୀ ସହିତ ମିଳିତ ଭାବରେ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞାପନରେ ଚାମ୍ବରର ନାମ ଭୁଲ୍ ଭାବରେ ଉଲ୍ଲେଖ କରାଯାଇଥିବାରୁ ଏଭଳି ଜୋରିମାନା କରାଯାଇଛି । ତେବେ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ସଭାପତି ବ୍ରହ୍ମାନନ୍ଦ ମିଶ୍ର କହିଛନ୍ତି ଯେ, ଏଭଳି ଅପରାଧ ଇଚ୍ଛାକୃତ ଭାବରେ କରାଯାଇନାହିଁ ଏବଂ ଅନ୍ୟ ଏକ କମ୍ପାନୀ ଦ୍ୱାରା ଅସାବଧାନତା କାରଣରୁ ଉକ୍ତ ବିଜ୍ଞାପନରେ ଏଭଳି ଭୁଲ୍ ହୋଇଯାଇଛି । ତେବେ ଜଣେ ନିର୍ଦ୍ଦେଶକ କହିଥିଲେ ଯେ, ସେ ଏଭଳି ବିଜ୍ଞାପନ ସମ୍ପର୍କରେ କିଛି ଜାଣିନାହାଁନ୍ତି ଏବଂ ଏହି ପ୍ରସଙ୍ଗ ବିଷୟରେ ଆଲୋଚନା ନିମନ୍ତେ ଚାମ୍ବରର ନିର୍ଦ୍ଦେଶକ ମଣ୍ଡଳୀ ନିକଟକୁ ଅଣାଯାଇ ନାହିଁ । ଏହି କାରଣରୁ ତାଙ୍କ ଉପରେ ଜୋରିମାନା କରାଯାଇ ନାହିଁ । ପୂର୍ବରୁ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଲେଟର ହେଡ଼ରେ ମଧ୍ୟ ଏହାର ନାମକୁ ଭୁଲ ଭାବରେ ଛପା ଯାଇଥିବାରୁ ତାହା କମ୍ପାନୀସମୂହର ଆଇନର ଉଲଂଘନ କରୁଥିବା ଦର୍ଶାଇ ରେଜିଷ୍ଟ୍ରାର ଅଫ୍ କମ୍ପାନୀଜ ଚାମ୍ବର ଓ ଏହାର ନିର୍ଦ୍ଦେଶକମାନଙ୍କୁ କୈଫୟତ ତଲବ କରିଥିଲେ । ଗତ ପ୍ରାୟ ଦେଢବର୍ଷ ଧରି ଚାମ୍ବର ବିଭିନ୍ନ ବିବାଦରେ ଛନ୍ଦି ହୋଇପଡ଼ିଥିବା ବେଳେ ୨୦୨୧ ଜାନୁୟାରୀରେ ଏହାର ଅନୁଷ୍ଠିତ ବାର୍ଷିକ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଦାଖଲ କରାଯାଇଥିବା ଏକ ଆବେଦନ କଟକସ୍ଥିତ ଜାତୀୟ କମ୍ପାନୀ ଆଇନ୍ ପ୍ରାଧିକରଣରେ ବିଚାରଧୀନ ରହିଛି ।