ସାନ୍ତସାହି – ଗଣ୍ଡାଖିଆ କେନାଲବନ୍ଧ ରାସ୍ତାକଡରେ ବିଦେଶୀ ମଦ ଦୋକାନ ଉଛେଦ ପାଇଁ ଦାବିପତ୍ର
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ସାନ୍ତସାହି , ଗଣ୍ଡାଖିଆ କେନାଲ ବନ୍ଧ ମୁଖ୍ୟ ରାସ୍ତାରେ ୨ନମ୍ବର ବ୍ଲକର ଅନତି ଦ୍ୱରରେ ନାନୋ ସୋରୁମ ନିକଟ ଟାଉନ ବଳରାମପୁର ରେ ଏକ ବିଦେଶୀ ମଦ ଦୋକାନ ଖୋଲାଯାଇଥିବାରୁ ସେହି ରାସ୍ତାଦେଇ ଦୈନିକ ୨୦ହଜାରରୁ ଉର୍ଦ୍ଧ୍ୱ ଲୋକଯିବା ଆସିବା କରୁଥିବା ବେଳେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର, କଂସାର, ପୁରୁଷୋତ୍ତମପୁର, ଆୟବା ଏବଂ ପଟ୍ଟାମୁଣ୍ଡାଇ ବ୍ଲକର କେତେକ ପଂଚାୟତର ଅଧିବାସୀମାନେ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଏହାଦ୍ୱାରା ସେହି ଅଚଂଳରେ ବ୍ୟାପକ ଭାବେ ନିଶାଦ୍ରବ୍ୟ ସେବନ ଦ୍ୱାରା ସେହି କେନାଲ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡି,ମଟର,ବାଇକ ପ୍ରଭୃତି ରଖାଯାଇ ସଂକୀର୍ଣ୍ଣ ରାସ୍ତାଟି ଅବରୋଧ ହେବା,ଦୈନିକ ଶହ ଶହ ମଦୁଆ ମଦ୍ୟପାନ କରି ସେହି ରାସ୍ତାରେ ଯାଉଥିବା ଯାତ୍ରୀମାନଙ୍କୁ ଚଳପ୍ରଚଳରେ ଗୁରୁତ୍ତର ବାଧା ଉପୁଜାଉଛନ୍ତି । ସେହି ମଦୁଆମାନେ ସେ ଅଚଂଳରେ ଆତଙ୍କ ଜାରି ରଖିଥିବାରୁ ସେହି ରାସ୍ତାଦେଇ ଗ୍ରାମାଚଂଳର ନିରୀହ ଲୋକ, ଝିଅ, ବୋହୁ, ଛାତ୍ରଛାତ୍ରୀ ଓ ସରଳ ସାଧାରଣ ମଣିଷ ଭୟରେ ଯିବାଆସିବା କରିବାକୁ ବନ୍ଦ କରିଦେଲେଣି । ସେହି ମଦ ଦୋକାନ ଯୋଗୁ ଲୋକମାନଙ୍କ ମାନସମ୍ମାନ, ସୁରକ୍ଷା ଓ ବଂଚିବାର ଅଧିକାର ଭାରତୀୟ ସମ୍ବିଧାନର ଧାରା ୧୯ ଧ୍ୱଂସ ପାଇବାକୁ ବସିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଜନସାଧାରଣଙ୍କ ସାମ୍ବିଧାନିକ ସ୍ୱାର୍ଥ ରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରି ସେଠାରୁ ମଦ ଦୋକାନଟି ଉଛେଦ କରିବାକୁ ଉପରୋକ୍ତ ଗ୍ରାମପଂଚାୟତ ଗୁଡିକ ପକ୍ଷରୁ ସନ୍ତୋଷ କୁମାର ବେହେରା, କଂସାର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା, ଓସ୍ତପୁର ସରପଂଚ ସନାତନ ବାରିକ, ପୁରୁଷୋତ୍ତମପୁର ସରପଂଚ ରମେଶ ଚନ୍ଦ୍ର ସାହାଣୀ, ବାନାମ୍ବର ବେହେରା, ଭରତ ଚନ୍ଦ୍ର ବେହେରା, ଆଦିକନ୍ଦ ବେହେରାଙ୍କ ସମେତ ଶତାଧିକ ପଂଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଥିଲେ ।