ସାନ୍ତାଳ ବିବାହ ଏକ ସାମାଜିକ ସ୍ୱୀକୃତି
ଦଶରଥ ହେମ୍ବ୍ରମ୍
ସାନ୍ତାଳୀ ଗଣନା ଅନୁସାରେ ବରଷର ବାରମାସ ମଧ୍ୟରୁ ମାଘ ମାସକୁ ପ୍ରଥମ ମାସ ଭାବରେ ଗଣନା କରାଯାଏ । ତେଣୁ ସାନ୍ତାଳୀ ପଞ୍ଜିକାନୁଯାୟୀ ଏହି ମାସରେ ପଡୁଥିବା ମାଗ୍ ସିମ୍ ପୂଜାକୁ ବିଧି ଅନୁସାରେ ସମ୍ପନ୍ନ କରି ବର୍ଷକୁ ସ୍ୱାଗତ କରିଥାନ୍ତି । ପ୍ରତ୍ୟେକ ସାନ୍ତାଳ ଗ୍ରାମରେ ଏହି ମାସରେ ମାଝୀମାପାଞ୍ଜୀ ନିର୍ବାଚନ ବ୍ୟବସ୍ଥା ଥିବାରୁ ଗ୍ରାମର ମାଝୀମାପାଞ୍ଜୀମାନେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ତା’ପରେ ଗ୍ରାମରେ ଥିବା ଗ୍ରାମଲୋକଙ୍କର ସର୍ବାଙ୍ଗୀନ ସମସ୍ୟାକୁ ଦୃଷ୍ଟିରେ ରଖି ନିଷ୍ଠା ସହ ତାଙ୍କର କାର୍ଯ୍ୟକୁ ସମ୍ପାଦନ କରିଥାନ୍ତି । କେବଳ ଯେ ମଣିଷ ଜନ୍ମଠାରୁ ମୃତ୍ୟୁର ଶେଷ କ୍ରିୟାକର୍ମ ଯାଏଁ ସେମାନଙ୍କ ଉପସ୍ଥିତରେ କାର୍ଯ୍ୟ ସିଦ୍ଧ କରାଯାଏ ତାହା ନୁହଁ, ସେହି ଗ୍ରାମରେ ଥିବା ପ୍ରତି ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ସେମାନଙ୍କ ଉପସ୍ଥିତି ରହିବା ବିଧେୟ । ତେଣୁ ଗ୍ରାମର ମୁଖିଆମାନଙ୍କ ଭୂମିକା ସାନ୍ତାଳ ସମାଜରେ ବହୁ ଗୁଣରେ ଗୁଣିତ ।ମାଗ୍ ସିମ୍ ପୂଜା ଗ୍ରାମରେ ସରିବା ପରେ ବିବାହ ଯୋଗ୍ୟ ପୁଅଙ୍କ ପାଇଁ ‘ବାହାଚିୟା’ ଅର୍ଥାତ୍ ପାତ୍ରୀଖୋଜା ଶୁଭାରମ୍ଭ ହୁଏ । ପୁଅ ଏବଂ ଝିଅଙ୍କ ମଧ୍ୟରେ ଯଦି ବିବାହ କରିବାରେ ଉଭୟଙ୍କ ପସନ୍ଦ ଆସିଥାଏ ତେବେ ଉଭୟ ପରିବାରର ମୁରବିଙ୍କ ସମେତ ଗ୍ରାମର ମାଝୀମାପାଞ୍ଜୀ ବସି ବିବାହ କାର୍ଯ୍ୟକୁ ଆଗେଇ ନେଇଥାନ୍ତି । ବିବାହ ଖବର ଦେବାନେବା ପାଇଁ ଦ୍ୱିପାକ୍ଷିକ ରାଜି ଅନୁଯାୟୀ ମଧ୍ୟସ୍ଥି ନିଯୁକ୍ତି ପାଇଥାଏ । ସାନ୍ତାଳୀରେ ତା’କୁ ‘ରାଇବାର’ କୁହନ୍ତି । ଏହାରି ମାଧ୍ୟମରେ ବିବାହର ଯାବତୀୟ ଖର୍ଚ୍ଚର ହିସାବ-କିତାବର ଏକ ଚିଠା ପ୍ରସ୍ତୁତ କରି ଉଭୟ ପରିବାରରେ ତାହା ବିଚାରକୁ ନିଆଯାଏ । ସମ୍ବଳ ଓ ସମ୍ଭବାନୁଯାୟୀ ବାହାଘର ଧାର୍ଯ୍ୟ ହୁଏ । ଉଭୟ ପରିବାରର ଯେତେ ଆତ୍ମୀୟ ବନ୍ଧୁବାନ୍ଧବ ଅଛନ୍ତି ସମସ୍ତଙ୍କୁ ‘ଗିରା’ ମାଧ୍ୟମରେ ସୂଚାଇ ଦିଆଯାଏ । ଫୁଲଫାଲ୍ଗୁଣୀ ପର୍ବ ପାଳନ ପରେ ଅର୍ଥାତ୍ ଚୈତ୍ର ଓ ବୈଶାଖ ମାସରେ ସାନ୍ତାଳମାନେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । କାରଣ, ଏହି ସମୟକୁ କୃଷିକର୍ମ ପ୍ରାୟ ସରିଯାଇଥିବାଯୋଗୁଁ ସମସ୍ତ ବନ୍ଧୁ ପରିଜନ ଆସିପାରିବେ ଏବଂ ନୂଆ ଦମ୍ପତିଙ୍କୁ ଆଶୀର୍ବାଦ କରିପାରିବାର ସୌଭାଗ୍ୟ ସମସ୍ତେ ଲାଭ କରିବେ । ଏହି ମାସକୁ ଶୁଭ ମାସ ବୋଲି ସାନ୍ତାଳ ଲୋକମାନେ ବିଶ୍ୱାସ କରନ୍ତି । ତେବେ ଏହି ବିବାହ ଯୁବକ ଏବଂ ଯୁବତୀକୁ ସହାବସ୍ଥାନ ପାଇଁ ସାନ୍ତାଳ ସମାଜ ମାନ୍ୟତା ଦେବାଦ୍ୱାରା ବିବାହକୁ ଏକ ସାମାଜିକ ସ୍ୱୀକୃତି ଭାବରେ ବିବେଚନା କରାଯାଏ । ବୈଦିକ ମନ୍ତ୍ରଚ୍ଚାରଣ ସହିତ ବିବାହ ସମ୍ପନ୍ନ ହୋଇଥାଏ ।
ସାନ୍ତାଳ ସମାଜରେ ଅନେକ ପ୍ରକାର ବିବାହ ପ୍ରଚଳିତ ରହିଛି । ସେଗୁଡିକ ହେଲା- ସାଙ୍ଗେ ବାରିୟାତ୍, ଦଲ୍/ସିରିବାରୀ/ଦୁଆ,ର୍ ଆପାଙ୍ଗି,ର୍ କଣ୍ଡେଲ/ଗୁଳଦାଉ ଜ୍ଞାପାମ, ଅର ଆଦେର, ଞିରବଲ, ଟୁଙ୍କି ଦିପିଲ/ ହାଳାମ୍ ବାରିୟାତ୍, ସାଙ୍ଘା, ଗଲାଏଁଟେ, ଜାୟାଁୟ କିରିଞ୍ଜ, ହିରମ୍ ଚେତାନ୍, ଇପୁତୁଦ, ଘାର୍ଦ୍ଧୀ ଜାୟାଁୟ ଏବଂ ଆଗୁ ହାତଳ ଇତ୍ୟାଦି । ବର୍ତ୍ତମାନ ସମୟରେ ଏହିସବୁ ବିବାହ ମଧ୍ୟରୁ ଦୁଆର୍ ବାପ୍ଲା ସାନ୍ତାଳମାନଙ୍କର ମୁଖ୍ୟ ବାହାବଘର ବୋଲି ସମାଜ ସ୍ୱୀକୃତି ଦେଇଥିବା ବେଳେ ସାଙ୍ଗେ ବାରିୟାତ୍ ଥିଲା ପୁରାତନ ଯୁଗରେ ପ୍ରମୁଖ ବିବାହ । ସାନ୍ତାଳ ବିବାହ କେବଳ ଦୁଇଟା ପରିବାରକୁ ଯୋଡ଼େ ନାହିଁ ବରଂ ଦୁଇଟି ଗ୍ରାମ ମଧ୍ୟରେ ସମ୍ପର୍କକୁ ମଜଭୁତ କରିଥାଏ । ତେଣୁ ଗ୍ରାମରେ ହେଉଥିବା ସମସ୍ତ ବିବାହରେ ଦୁଇଟି ଗ୍ରାମର ପ୍ରତିନିଧିତ୍ୱ ଭାବେ ଗ୍ରାମ୍ୟମୁଖ୍ୟ ମାଝୀ ସହିତ ଦୁଇ ପକ୍ଷର ମୁରବି ଏବଂ ମଧ୍ୟସ୍ଥଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ଯେ କୌଣସି ବିବାହର ଶୁଭ ଓ ଅଶୁଭ ଏବଂ କେଉଁ ଦିନରେ ବାହାଘର ଅନୁଷ୍ଠିତ କରାଯିବ, ସେମାନେ ହିଁ ଗଣନା କରିଥାନ୍ତି । ତାଙ୍କରି ନିଷ୍ପତିକ୍ରମେ ବାହାଘରଟି ସମ୍ପନ୍ନ ହୁଏ । ତେବେ ବିବାହ ପୂର୍ବରୁ ‘ହରଃ’ ଚିହ୍ନା ପରମ୍ପରା ରହିଛି । କନ୍ୟାପଣ ନିରୂପଣ ଚୁଡ଼ାନ୍ତ ହେଲେ ‘ପିନ୍ଧାଣୀ’ ପର୍ବର ଆୟୋଜନ କରାଯାଏ । ବରପକ୍ଷ କନ୍ୟାଗୃହକୁ ଯାଇ ଝିଅକୁ ଗହଣା ପିନ୍ଧାଇ ବୋହୂ-ଚିହ୍ନଟ କରି ଆସନ୍ତି । ସେହିପରି କନ୍ୟାପକ୍ଷରୁ ମାମୁ-ମାଇଁ, କାକା-ଖୁଡ଼ୀ, ଗ୍ରାମର ମୁଖିଆ, ଉପମୁଖିଆ ଦମ୍ପତି ଆସି ବରକୁ କିଛି ପିନ୍ଧାଇ ଆସନ୍ତି । ତା’ପରେ ବାହାଘର ଅନୁଷ୍ଠିତ ହୁଏ । ବିବାହର ପୂର୍ବ ଦିନରେ ‘ବାପ୍ଲା ସିମ୍’ ପୂଜା କରି ସାରିବା ପରେ ବିବାହ କାର୍ଯ୍ୟକୁ ଆଗେଇ ନେଇଥାନ୍ତି । ବିବାହ କାର୍ଯ୍ୟ ନ ସରିବା ପର୍ଯ୍ୟନ୍ତ ଉଭୟ ପରିବାରର କନ୍ୟା, କନ୍ୟାର ପିତା-ମାତା ଏବଂ ବର, ବରର ପିତା-ମାତା ଉପାସ ରହିବାର ବିଧି ରହିଛି । ସେହି ଦିନରେ ହିଁ ବରଙ୍କ ଭାଉଜ ବରଙ୍କୁ ଜୁଆଡ଼ି ଉପରେ ବସେଇ ବାଡୁଆ ପାଣିରେ ଗାଧେଇବା ପରେ ତାଙ୍କ ହାତରେ ଖିଲିକାତି/ଗୁଆକାତି ଧରେଇବା ସହିତ ସୂତାକୁ ହଳଦୀ କରି ଆମ୍ବପତ୍ର ବଳା ତିଆରି କରି ଡାହାଣ ହାତରେ ଏବଂ କୁଶରେ ତିଆରି ମୁଦି ଆଙ୍ଗୁଠିରେ ପିନ୍ଧାଇ ଦିଅନ୍ତି । ସେହିପରି କନ୍ୟାଙ୍କ ଭାଉଜ କନ୍ୟାଙ୍କୁ ମଧ୍ୟ ଜୁଆଡ଼ି ଉପରେ ବସେଇ ବାଡୁଆ ପାଣିରେ ଗାଧେଇ ତାଙ୍କ ହାତରେ କାଜରାଆଟି ଧରେଇବା ସହିତ ସୂତାକୁ ହଳଦୀ କରି ଆମ୍ବପତ୍ର ବଳା ତିଆରି ଡାହାଣ ହାତରେ ଏବଂ କୁଶରେ ତିଆରି ମୁଦି ଆଙ୍ଗୁଠିରେ ପିନ୍ଧାଇ ଦିଅନ୍ତି । ଏହାପରେ ବର କିମ୍ବା କନ୍ୟା ଏକା କୁଆଡ଼େ ବାହାରକୁ ଯାଇପାରିବେ ନାହିଁ । ସେଥିପାଇଁ ବର ଓ କନ୍ୟାଙ୍କୁ ବିଶ୍ୱାସଯୋଗ୍ୟ ସାଙ୍ଗ ଦେବା ପାଇଁ ବରଙ୍କୁ ପୁଅ ଏବଂ କନ୍ୟାଙ୍କୁ ଝିଅ ସାଙ୍ଗ ଜୁଟାଇ ଦିଅନ୍ତି । ତା’ପର ଦିନ ଅର୍ଥାତ ବିବାହ ଦିନରେ ବର ତା’ର ବନ୍ଧୁବାନ୍ଧବ, ସମ୍ପର୍କୀୟ ଜ୍ଞାତି କୁଟୁମ୍ବ ତଥା ବରପକ୍ଷର ପରିବାର ସଦସ୍ୟଗଣଙ୍କ ଗହଣରେ ଜାକଜମକରେ କନ୍ୟାଘର ଗାଁକୁ ଅଭିମୁଖେ ଯାତ୍ରା କରନ୍ତି । ବର କନ୍ୟାଗ୍ରାମରେ ପହଞ୍ଚିଲେ ଗ୍ରାମ ମୁଣ୍ଡରେ ଥିବା ଗଛମୂଳରେ ଡେରା କରାଯିବାର ବ୍ୟବସ୍ଥା ରହିଛି । ତା’ପରେ ସେହି ଗ୍ରାମରେ ମାଝୀ, ଗ୍ରାମବାସୀଙ୍କ ସହିତ ଗ୍ରାମ ମୁଣ୍ଡକୁ ଯାଇ ‘ପାଣିଢାଲ’ ଦେଇ ଗ୍ରାମ ଭିତରକୁ ସ୍ୱାଗତ ସମ୍ବର୍ଦ୍ଧନା କରି ଆଣନ୍ତି । ବାସ୍ତବରେ ଏହି ଦୃଶ୍ୟ ରୋମାଞ୍ଚକ ଏବଂ ଚମତ୍କାର ହୋଇଥାଏ, ସମସ୍ତଙ୍କ ମନରେ ଅହେତୁକ ଆନନ୍ଦ ଏବଂ ଖୁସି ଦେଇଥାଏ । ଏହି ସମୟରେ ଯୁବକ ଓ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ ଓ ସଙ୍ଗୀତରେ ମହୋଲ୍ଲସିତ ଭିତରେ ନିଜକୁ ହଜେଇ ଦେଇଥାନ୍ତି । କିଛି ସମୟ ପରେ କନ୍ୟା ପକ୍ଷରୁ ବରକୁ ଗାଧେଇବା ଓ ଜଳଖିଆ ଦେବାର କାର୍ଯ୍ୟ ଆରମ୍ଭ ହୁଏ । ତା’ପୂର୍ବରୁ କନ୍ୟା ଗୃହରେ କନ୍ୟାର ବଡ ଭଉଣୀ ବରକୁ ଖିଅର କରେ, କିନ୍ତୁ ବ୍ଲେଡରେ ନୁହଁ । କଳାପାତି ଓ ବାଉଁଶ ପାତିଆରେ ଖିଅର କରିବାରେ ଅଭିନୟ କରେ, ତା’ପରେ ତେଲ ହଳଦୀ ଲଗାଇ ବରକୁ ଗାଧୋଇ ଦିଏ । ସାନ୍ତାଳ ବିବାହ ପ୍ରଥା ଅନୁସାରେ କନ୍ୟାର ବଡ ଭଉଣୀଙ୍କର ବର ପାଇଁ ଏହା ପ୍ରଥମ ଓ ଶେଷ କର୍ତ୍ତବ୍ୟ । ଏହାପରେ ସାନ ଭଉଣୀର ବରକୁ ସେ କେବେ ସ୍ପର୍ଶ କରି ପାରିବ ନାହିଁ । ଏହା ଅତ୍ୟନ୍ତ ଚିତାକର୍ଷକ ଏବଂ ଶିକ୍ଷଣୀୟ ଅଟେ । ଏହାରି ଭିତରେ ଉଭୟ ପକ୍ଷ ଗ୍ରାମର ମାଝୀମାପାଞ୍ଜୀ ଏକାଠି ବସି ପୂର୍ବରୁ ଦାବି ମୁତାବକ ‘ଗନଂପନ’ ନେଣଦେଣ କାର୍ଯ୍ୟ ଚାଲିଥାଏ । ଏହା ସରିଲା ପରେ କନ୍ୟା ସିନ୍ଥିରେ ‘ସିନ୍ଦୂର ଦାନ୍’ କାର୍ଯ୍ୟକୁ ସେମାନେ ଆଗେଇ ନିଅନ୍ତି ।
କନ୍ୟା ସିନ୍ଥିରେ ‘ସିନ୍ଦୂର ଦାନ୍’ ଦେବା ପୂର୍ବରୁ ବର ଭେଣେଇ କାନ୍ଧରେ ବସେ, ତା’କୁ ସାନ୍ତାଳୀରେ ‘ସାଦମ’ ବୋଲି ଆଖ୍ୟା ଦିଆଯାଏ । ତା’ର ଶଳା ମଧ୍ୟ ତାଙ୍କର ଜଣେ ସମ୍ପର୍କୀୟ ଭିଣେଇଙ୍କ କାନ୍ଧରେ ବସି ସ୍ୱାଗତ କରିବାକୁ ବାହାରେ । ଉଭୟଙ୍କ ମଧ୍ୟରେ ସାମ୍ନାସାମ୍ନୀ ହେଲାପରେ ଚତୁପାର୍ଶ ତିନିଥର ବୁଲିବା ସମୟରେ ପରସ୍ପର ଉପରକୁ ଅରୁଆ ଚାଉଳ ଫିଙ୍ଗନ୍ତି । ତା’ପରେ ହାତ ଧରାଧରି ହୋଇ ପରସ୍ପର ମଧ୍ୟରେ ଆଲିଙ୍ଗନ ହୁଅନ୍ତି । ଶେଷରେ ଶଳା ବର(ଭେଣେଇ)ମୁଣ୍ଡରେ ନୂଆ ଗାମୁଛା ପଗଡ଼ି ପିନ୍ଧାଇ ଦିଏ, ତା’ପରେ ପାନ-ପୁଙ୍ଗି (ପାନ-ବିଡ଼ି) ପରସ୍ପର ମଧ୍ୟରେ ଆଦାନପ୍ରଦାନ ହୁଅନ୍ତି । ଏହାପରେ ବରଯାତ୍ରୀମାନେ ବଡ଼ ଡାଲା ଧରି କନ୍ୟାଗୃହ ଦ୍ୱାରକୁ ଯାଇ ଗୀତ ଗାଇ କନ୍ୟା ମାଗନ୍ତି । ସେହି ସମୟରେ ତିତରୀକୁଳୀ ଲୁଗାରେ କନ୍ୟା ଘରଦ୍ୱାରକୁ ଅବରୁଦ୍ଧ କରନ୍ତି, ତାଙ୍କର ପାଉଣା ସେମାନେ ପାଇଲେ ଘରର ଦ୍ୱାର ଖୋଲି ଦିଅନ୍ତି । ଏହି ସମୟରେ ବରର ବଡ଼/ସାନଭାଇମାନେ କନ୍ୟାକୁ ବଡ ଡ଼ାଲାରେ ବସାଇ ଦାଣ୍ଡକୁ ଆଣିନ୍ତି, ତା’ପରେ କନ୍ୟାକୁ ଉପରକୁ ଉତ୍ତୋଳନ କରନ୍ତି । ବର ଓ କନ୍ୟାଙ୍କ ମଧ୍ୟରେ କପଡ଼ାର ପ୍ରତିବନ୍ଧକ ଟଣାଯାଏ । ଉପସ୍ଥିତ ଗ୍ରାମଲୋକମାନେ ବିବାହ ଗୀତ ଗାନ କରି ନାଚୁଥିବା ସମୟରେ ବରକନ୍ୟା ଉପରେ ଥାଇ ଗ୍ରାମ ଦେବୀଙ୍କୁ ସାକ୍ଷୀ ରଖି ଅରୁଆ ଚାଉଳରେ ଉଭୟ ଉଭୟଙ୍କୁ ଫିଙ୍ଗାଫିଙ୍ଗି ହୁଏ ଏବଂ କପଡ଼ା ପ୍ରତିବନ୍ଧକର ଚତୁପାଶ୍ୱର୍ ତିନିଥର ପରିକ୍ରମା କରାଇ ଦିଆଯାଏ । ତା’ପରେ ପରସ୍ପରକୁ ପୂର୍ବ ପଶ୍ଚିମକୁ ମୁହଁ କରାଇ ସାମ୍ନାସାମ୍ନୀ କରିଦିଆଯାଏ । ପରସ୍ପରକୁ ଆମ୍ବଡାଳରେ ତିନିଥର ଲେଖାଏଁ ପାଣି ସିଂଚନ କରିବା ପରେ ବରକୁ ଶାଳପତ୍ରରେ ସିନ୍ଦୂର ଦିଆଯାଏ । ବର ତା’ର ବୃଦ୍ଧ ଏବଂ କନିଷ୍ଠ ଆଙ୍ଗୁଠିରେ ସିନ୍ଦୂର ନେଇ ପ୍ରଥମେ ବସୁମତୀ ମାତାଙ୍କ ଉଦ୍ଦେଶ୍ୟରେ ପକାଇ ତିନିଥର କନ୍ୟାର ସିନ୍ଥିରେ ସିନ୍ଦୂର ଲଗାଇବା ବେଳେ ତିନିଥର ‘ହିର୍ଲା ମାରାଂବୁରୁ’ ଧ୍ୱନି ଉଚ୍ଚାରଣ କରାଯାଏ । କପଡ଼ାର ପ୍ରତିବନ୍ଧକ ହଟାଇ ଦିଆଯାଏ, ବରକୁ ତଳେ ଓହ୍ଲାଇ ଦିଅନ୍ତି । ତା’ପରେ ଉଭୟଙ୍କ ଅଙ୍ଗବସ୍ତ୍ରକୁ ସଂଯୋଗ କରି ଗଣ୍ଠି ପକାଇ ଦିଆଯାଏ ଏବଂ ତିନି ଘେରା ହାତ ଧରାଧରି ହୋଇ ନାଚନ୍ତି, ଏହା ହେଉଛି ବିବାହର ମୁଖ୍ୟ ଅଧ୍ୟାୟ ଯାହାକି ବରକନ୍ୟାକୁ ନୂଆ ଦମ୍ପତିର ପରିଚୟ ଦେଇଥାଏ । ଏହାପରେ ନବ ଦମ୍ପତିଙ୍କୁ ବନ୍ଦାପନା କରାଯାଏ । ଏହି ଅବସରରେ ବନ୍ଧୁବାନ୍ଧବ ଆଣିଥିବା ନାନା ପ୍ରକାର ଉପହାର ଦିଆଯାଏ । ଏସବୁ ନୀତିକାର୍ଯ୍ୟ ସରିଲା ପରେ ବରକନ୍ୟାକୁ ଆଡ଼ମ୍ବରରେ କନ୍ୟାଘରୁ ବିଦାୟ ଦିଆଯାଏ । ସେହିପରି ବର ଗ୍ରାମରେ ବରକନ୍ୟାଙ୍କୁ ମହାଆଡ଼ମ୍ବରରେ ସ୍ୱାଗତ କରାଯାଏ । କିନ୍ତୁ କନ୍ୟା ସିଧାସଳଖ ବର ଗୃହରେ ପ୍ରବେଶ କରେନାହିଁ । ବରର ଭଉଣୀ ସେମାନଙ୍କ ଗୋଡ଼କୁ କଂସା ଥାଳି ଉପରେ ରଖି ଧୋଇଦିଏ ଏବଂ କନ୍ୟାର ଗୋଡ଼କୁ ଧରେ, ଯାହା ସାନ୍ତାଳୀରେ ‘କାଟକମ୍’ କୁହାଯାଏ । କିଛି ଟଙ୍କା ପାଇଲେ ସେ ଗୋଡ଼ ଛାଡ଼ିଦିଏ । କେବଳ ସେତିକିରେ ତା’ର ଦାବି ପୂରଣ ହୁଏ ନାହିଁ, କନ୍ୟା ଗୃହ ପ୍ରବେଶ କଲାବେଳେ ଦ୍ୱାରକୁ ଅବରୁଦ୍ଧ କରିଥାଏ । ନଣନ୍ଦ ପେଡ଼ି ସ୍ୱରୂପ କିଛି ଟଙ୍କା ନତୁବା ଶାଢ଼ୀ ପାଇଲେ ଦ୍ୱାର ଛାଡ଼ି ଦେଇଥାଏ । ଶେଷରେ ନୂଆ ଦମ୍ପତିଙ୍କର ସେଠାରେ ପୁଣି ବନ୍ଦାପନା କରାଯାଏ । ଏଠି ମଧ୍ୟ ବନ୍ଧୁବାନ୍ଧବ ଆଣିଥିବା ଉପହାରସବୁ ନୂଆ ଦମ୍ପତିଙ୍କୁ ପ୍ରଦାନ କରିବା ସହିତ ଆଶୀର୍ବାଦ କରିଥାନ୍ତି । ଏତିକିରେ ମୁଖ୍ୟ ବିବାହ ପରିସମାପ୍ତି ହୁଏ କିନ୍ତୁ ବିବାହର ଅନ୍ୟାନ୍ୟ ନୀତିକାର୍ଯ୍ୟ ‘ବାଉଳାଘୂରା’ ଯାଏଁ ଲାଗିରୁହେ ।