ସାନ ଭାଇ ଠେଙ୍ଗା ମାଡରେ ବଡ଼ଭାଇ ମୃତ
ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): ଲକ୍ ଡାଉନ୍ ପାଇଁ ଚାରିଆଡେ ଶୂନଶାନ ।ହାତରେ କାମ ଧନ୍ଦା ନାହିଁ । ବିଚରା ଲୋକମାନେ ନିଜ ବାଡ଼ିରେ ଘରେ କାମ କରିବା ସହିତ କିଏ କିଏ ନିଜର ଗୋରୁ ଗାଈମାନଙ୍କୁ ଚଳାଇ ସମୟ ବିତାଉଛନ୍ତି । ଲକ୍ ଡାଉନ୍ ଯୋଗୁଁ ସାମାଜିକ ଅସ୍ଥିରତା ଓ ତିକ୍ତତା ବଢି ଯାଇଛି । ପାରିବାରିକ ହିଂସା ବୃଦ୍ଧି ପାଇଛି ଯାହାକି ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି ।ଏହିଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ ଥାନା ଅନ୍ତର୍ଗତ ପଣ୍ଡୁଗୁଣ୍ଡି ଗ୍ରାମର ସାଙ୍ଖାଇ ହାଁସଦା ନିଜର ଗୋରୁ ଗାଈମାନଙ୍କୁ ଗାଁ ପାଖ ବିଲରେ ଚରାଉଥିଲା ।ବଡ଼ଭାଇକୁ ଏକୁଟିଆ ଦେଖି ସାନଭାଇ ଘାସିରାମ ହାଁସଦା ସେଠାରେ ଯାଇ ପହଞ୍ଚିଥିଲା ।ଦିର୍ଘଦିନର ପାରିବାରିକ ଗଣ୍ଡଗୋଳ ନେଇ ସେଠାରେ ବଡ଼ଭାଇ ସହିତ ଯୁକ୍ତିତର୍କ କରିଥିଲା । ଶେଷରେ ସାନଭାଇ ଘାସିରାମ ଧୈର୍ଯ୍ୟ ହରାଇଥିଲେ ଓ ରାଗ ପଞ୍ଚମକୁ ଉଠିଥିଲା । ସାଙ୍ଗରେ ନେଇଥିବା ଠେଙ୍ଗାରେ ନିରିହ ବଡ଼ଭାଇକୁ ମରଣାତ୍ମକ ଆକ୍ରମଣ କରିଥିଲା । ବଡ଼ଭାଇର ମଥାରେ ଠେଙ୍ଗା ବାଜିବାରୁ ସେ ସେଠାରେ ଟଳି ପଡ଼ିଥିଲା । ଗଣ୍ଡଗୋଳ ଓ ବଡ଼ଭାଇର ଆର୍ତ୍ତ ଚିତ୍କାର ଶୁଣି ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ସେମାନେ ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖି ସହି ନ ପାରି ଘାସିରାମକୁ କାବୁ କରି ଓ ଉତ୍ତମ ମଧ୍ୟମ ଦେଇ ବାଦାମପାହାଡ ଥାନାକୁ ଖବର ଦେଇଥିଲେ । ରାଇରଙ୍ଗପୁର ଏସଡିପିଓ ସ୍ନେହାଶୀଷ ସାହୁ ଏବଂ ବାଦାମ ପାହାଡ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ମୃତକ ସେ ସାଙ୍ଖାଇଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇବା ସହ ଜନତାଙ୍କ ମାଡରେ ଗୁରୁତର ହୋଇଥିବା ଘାସିରାମଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇବା ସହ ଘଟଣାର ଛାନଭନ୍ ଆରମ୍ଭ କରି ଦେଇଛନ୍ତି । ଘଟଣାକୁ ନେଇ ପୋଲିସ କେଶ ନଂ ୨୮/୨୦ ମାମଲା ରୁଜୁ କରିଛି । ଘାସିରାମର ପରିସ୍ଥିତି ବିଗିଡିବାରୁ ତାଙ୍କୁ ବାରିପଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ସାଙ୍ଖାଇ ଜଣେ ମେଳାପି ଓ ପରୋପକାରୀ ବ୍ୟକ୍ତି ଥିଲେ । ଯାହାଙ୍କର ମୃତ୍ୟୁ ଖବର ପାଇ ସମୂହ ଗାଁ ଲୋକେ ରାଇରଙ୍ଗପୁର ହସ୍ପିଟାଲକୁ ଛୁଟି ଆସିଥିଲେ । ବୁଧବାର ଦିନ ପୋଲିସ ସାଙ୍ଖାଇର ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ପଣ୍ଡୁଗୁଣ୍ଡି ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି ।