ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ
ହିଞ୍ଜିଳିକାଟୁ, (ୱାଇଏନଏସ): ହିଞ୍ଜିଳି ଥାନା ସାପୁଆପଲ୍ଲୀ ଗ୍ରାମରେ ମଙ୍ଗଳବାର ଭୋର ୪ଟାରେ ବିଷଧର ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ମୃତକା ଜଣକ ସଂପୃକ୍ତ ଗ୍ରାମର ବିଜୟ ନାହାକଙ୍କ ନାବାଳିକା କନ୍ୟା ବର୍ଷା (୧୫) । ପ୍ରକାଶ ଯେ, ନାବାଳିକା ଜଣକ ଘରେ ଶେଇଥିବା ବେଳେ ମଙ୍ଗଳବାର ଭୋର ପ୍ରାୟ ୪ଟାରେ ଏକ ବିଷଧର ସାପ ଆସି ନାବାଳିକାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା । ନାବାଳିକାଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟ ସାପ କାମୁଡ଼ି ଥିବା ଜାଣିପାରି ଝାଡ଼ଫୁଙ୍କ କରିବା ସକାଶେ ଗ୍ରାର ଜଣେ ବୈଦ୍ୟଙ୍କ ନିକଟକୁ ନେଇଥିଲେ । କୌଣସି ପ୍ରକାର ସୁଫଳ ନମିଳିବାରୁ ସକାଳ ପ୍ରାୟ ସାଢେ ୮ଟାରେ ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ସ୍ଥାନୀୟ ଡ଼ାକ୍ତରଖାନାରେ ପଂହଚି ଶବକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୧୦/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।


