‘ସାମାଜିକ ଅଧିକାରିତା ଶିବିର’ରେ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ-ଉପକରଣ ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ସାମାଜିକ ଅଧିକାରିତା ଶିବିର ସହରର ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସରକାରଙ୍କ ଦିବ୍ୟାଙ୍ଗଜନଙ୍କୁ କୃତିମ ଅଙ୍ଗ ଓ ଉପକରଣ କ୍ରୟ ତଥା ବ୍ୟବହାର ସହାୟତା (ଏଡିଆଇପି) ଯୋଜନାରେ ସଦର ଓ ବସ୍ତା ବ୍ଲକର ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ଓ କୃତ୍ରିମ ଅଙ୍ଗ ବଣ୍ଟନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଏ ନାରାୟଣ ସ୍ୱାମୀ ମୁଖ୍ୟଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ସହାୟତା ଉପକରଣ ପ୍ରଦାନ ଶୁଭାରମ୍ଭ କରିଥିଲେ । ମୋଦୀ ସରକାରଙ୍କ ‘ସବକା ସାଥ ସବକା ବିକାଶ’ ନୀତି କାର୍ଯ୍ୟକାରିତାରେ ଦିବ୍ୟାଙ୍ଗଙ୍କ ଉନ୍ନତିକୁ ଗୁରୁତ୍ୱ ଦିଆଯାଇଛି ବୋଲି ସେ ମତ ପ୍ରକାଶ କରିଥିଲେ । କେବଳ ବାଲେଶ୍ୱର ନୁହେଁ ବରଂ ରାଜ୍ୟର ଅନ୍ୟାନ୍ୟ ଅଂଚଳର ଦିବ୍ୟାଙ୍ଗଙ୍କୁ ମଧ୍ୟ ପର୍ଯ୍ୟାୟ କ୍ରମେ ଏହିଭଳି କୃତ୍ରିମ ଅଙ୍ଗ ଓ ସହାୟତା ଉପକରଣ ଯୋଗଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ଭିନ୍ନକ୍ଷମଙ୍କ ବିକାଶ ଦିଗରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟଧାରା ପ୍ରଶଂସନୀୟ ବୋଲି କହିଥିଲେ । ସମସ୍ତଙ୍କର ବଞ୍ଚିବାର ଅଧିକାରକୁ ସାବ୍ୟସ୍ତ କରିବା ସହ ଭିନ୍ନକ୍ଷମଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ମୋଦି ସରକାରଙ୍କ ନିଷ୍ପତ୍ତି ପ୍ରେରଣା ଯୋଗ୍ୟ ବୋଲି ସେ ମତ ପ୍ରକାଶ କରିଥିଲେ । ବାଲେଶ୍ୱର ଜିଲ୍ଲାର ଭିନ୍ନକ୍ଷମଙ୍କ କୃତ୍ରିମ ଅଙ୍ଗ ତଥା ସହାୟତା ଉପକରଣ ବାବଦରେ୧ କୋଟି ୮୧ ଲକ୍ଷ ୧୦ ହଜାର ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ସାଂସଦ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ । ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସୂଚାରୁ କୁମାର ବଳ ଏଥିରେ ଯୋଗଦେଇ ଶିବିର ଆୟୋଜନରେ ସାଂସଦଙ୍କ ଉଦ୍ୟମ ଓ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଲିମକୋର ବରିଷ୍ଠ ମହାପ୍ରବନ୍ଧକ ରାଜେଶ ଦାସ, ଅଜୟ ଚୌଧୁରୀ, ପଙ୍କଜ ଦ୍ୱିବେଦୀ ପ୍ରମୁଖ ଏଥିରେ ମଞ୍ଚାସୀନ ହୋଇ କେନ୍ଦ୍ର ସରକାରଙ୍କ ଦିବ୍ୟାଙ୍ଗ ସଶକ୍ତୀକରଣ ଯୋଜନା କାର୍ଯ୍ୟକାରିତା ଓ ନିଗମର କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସଦର ଓ ବସ୍ତା ବ୍ଲକର ଚୟନ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର, ତିନି ଚକିଆ ସାଇକଲ ଓ ଶ୍ରବଣ ଯନ୍ତ୍ର ପ୍ରଭୃତି ବଣ୍ଟନ କରାଯାଇଥିଲା ।


