ସାମାଜିକ ଗଣମାଧ୍ୟମରେ ପୋଷ୍ଟ ପାଇଁ ଗିରଫଦାରୀ ନାହିଁ
ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମର କୌଣସି ପୋଷ୍ଟ ଆଧାରରେ ପୁଲିସ ଆଉ କାହାକୁ ଗିରଫ କରିପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ଆଇଟି ଆଇନରେ ରହିଥିବା ଏହି ସଂକ୍ରାନ୍ତ ଧାରାକୁ ରଦ୍ଧ କରିଛନ୍ତି । ଏହା ଦ୍ୱାରା ଭାରତୀୟ ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ଜାହିର ହୋଇପାରିଛି । ଏହି ଐତିହାସିକ ନିଷ୍ପତ୍ତିକ୍ରମେ ସୁପ୍ରିମକୋର୍ଟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ‘୬୬-କ’କୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି । ଆଇଟି ଆଇନର ଏହି ଧାରା ସମ୍ବିଧାନର ଅନୁଚ୍ଛେଦ ‘୧୯ (୧) କ’ ର ଉଲ୍ଲଂଘନ କରୁଛି, ଯାହା ଭାରତୀୟ ନାଗରିକଙ୍କୁ ଅଭିବ୍ୟକ୍ତିର ସ୍ୱାଧୀନତା ଦେଇଥାଏ । କୋର୍ଟ କହିଛନ୍ତି ଯେ ଧାରା ୬୬ କ ହେଉଛି ଅଭିବ୍ୟକ୍ତି ସ୍ୱାଧୀନତା ବା ମୌଳିକ ଅଧିକାର ଉଲ୍ଲଂଘନ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଫେସବୁକ, ଟ୍ୱିଟର, ଲିଙ୍କଡ ଇନ, ହ୍ୱାଟସଆପ ଭଳି ସାମାଜିକ ଗଣମାଧ୍ୟମ କୌଣସି ପୋଷ୍ଟି କରିଥିବା ବ୍ୟକ୍ତିଙ୍କୁ ଆଉ ଗିରଫ କରାଯାଇପାରିବ ନାହିଁ । ପୂର୍ବରୁ ଧାରା ୬୬-କ ଅନୁଯାୟୀ, ସାମାଜିକ ଗଣମାଧ୍ୟମରେ ପ୍ରସାରିତ କୌଣସି ଲେଖା ବା ପୋଷ୍ଟ ଆଧାରରେ ପୁଲିସ ହାତରେ ଜଣକୁ ଗିରଫ କରିବାର କ୍ଷମତା ରହିଥିଲା । ସୁପ୍ରିମକୋର୍ଟରେ ଆଇଟି ଆଇନର ଧାରା ୬୬-କକୁ ଚ୍ୟାଲେଞ୍ଜ ପୂର୍ବକ ସାମାଜିକ କର୍ମୀ ଶ୍ରେୟା ସିଙ୍ଗଲ ମାମଲା ଦାୟର କରିଥିଲେ । ରାୟ ପ୍ରକାଶ ପରେ ଏହାକୁ ଏକ ପ୍ରମୁଖ ବିଜୟ ବୋଲି ଦର୍ଶାଇ କହିଛନ୍ତି ଯେ ସୁପ୍ରିମକୋର୍ଟ ନାଗରିକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାରକୁ କାଏମ ରଖିଛି ।