ସାମାଜିକ ଦୂରତା ଉଲ୍ଲଂଘନ ଦୋକାନ ସିଲ୍
ଛତ୍ରପୁର, (ଓ୍ବାଇଏନ୍ଏସ୍):କୋରନା ମୁକାବିଲା ସହ ଲୋକଙ୍କ ସୁରକ୍ଷା ନିମନ୍ତେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଚାଲିଛି । ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନେ କିପରୀ କରୋନା ରୁ ଦୂରେଇ ରହିବେ ସେଥି ନିମନ୍ତେ ବିଭିନ୍ନ ନୀୟମ ପ୍ରଣୟନ କରାଯାଇଛି । ଜିଲ୍ଲାକୁ ପ୍ରବାସୀ ଓଡିଆ ଆସିଲା ଦିନ ଠାରୁ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ସାମାଜିକ ଦୂରତା, ମାସ୍କ ଓ ଗ୍ଲୋବ୍ସ ବ୍ୟବହାର, ଗ୍ରାହକଙ୍କ ପାଇଁ ଠିକଣା ଡାଏରୀ ରଖିବା ଏବଂ ଦୋକାନ ସମ୍ମୁଖରେ ଗୋଲେଇ ଆଙ୍କିବା ବାଧ୍ୟତାମୂଳକ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାର ଉଲ୍ଲଂଘନ କଲେ ଦୋକାନ ସିଲ୍ ସହ ଜରିମାନା ଆଦାୟ ହେବ ବୋଲି ଜିଲ୍ଲାପାଳ ମଧ୍ୟ ଉଲ୍ଲେଖ କରିଛନ୍ତି ।ଜିଲ୍ଲାର ସଦରମହକୁମା ଛତ୍ରପୁର ସହର (ବଜାର ) ମେଇନ୍ ରୋଡ ରେ ଥିବା ସନ୍ତୋଷ ସେନାପତିଙ୍କ ଗ୍ରୋସରୀ ଦୋକାନକୁ ମଙ୍ଗଳବାର ଏନଏସି ପକ୍ଷରୁ ସିଲ୍ କରାଯାଇଛି । ସାମାଜିକ ଦୂରତା ଉଲ୍ଲଂଘନ ନେଇ ଉକ୍ତ ଦୋକାନକୁ ସିଲ୍ କରାଯାଇଥିବା ଛତ୍ରପୁର ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା ସୂଚନା ଦେଇଛନ୍ତି । ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଣ୍ଡ କଲେକ୍ଟର ଅଶୋକ ପ୍ରଧାନ ଓ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ ଦୋରାଙ୍କ ଉପସ୍ଥିତରେ ସିଲ୍ କରାଯାଇଛି । ଏଥିରେ ଛତ୍ରପୁର ଏନଏସି ର ଯୁଗଳ କିଶୋର ଦାସ, ଏସ.ଦାଲେୟା ରେଡ୍ଡୀ, ପ୍ରଭାକର ବେହେରା, ଜି.ଜଗଦୀଶ ରେଡ୍ଡୀ, କୃଷ୍ଣ ମହାପାତ୍ରଙ୍କ ସମେତ ସ୍ୱଚ୍ଛ ସାଥୀ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଛତ୍ରପୁର ଏନଏସି ଓ ତହସିଲ ପକ୍ଷରୁ ଏନଏସିର ବିଭିନ୍ନ ସ୍ଥାନରେ ମିଳିତ ଚଢଉ କରାଯାଇଥିଲା । ମାସ୍କ ପିନ୍ଧି ନଥିବା ଏବଂ ସାମାଜିକ ଦୂରତା ଉଲ୍ଲଂଘନ ନେଇ ୨୩୭୦୦ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି ।


