ସାମାଜିକ ଦୂରତା ନରଖି ଧାନ ବିହନ ବାଂଟୁଛନ୍ତି ଲ୍ୟାମ୍ପ କର୍ମଚାରୀ
ଘଟଗାଁ (ଓ୍ବାଇଏନ୍ଏସ୍) : ବର୍ତମାନ କରୋନା ସାରା ବିଶ୍ୱ ସମେତ ଭାରତ ବର୍ଷରେ ତାର କାୟା ବିସ୍ତାର କରି ଅନେକ ଲୋକଙ୍କର ଜୀବନ ନେଇସାରିଲାଣି । ତେବେ ଆମ ରାଜ୍ୟରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏସବୁକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଆଜକୁ ପାଖାପାଖି ୩ମାସରୁ ଉର୍ଦ୍ଧ୍ୱ ହେବ ସାରା ଭାରତ ବର୍ଷକୁ ଲକ୍ଡାଉନ କରି ରଖିବା ସହିତ କୌଣସି ବ୍ୟକ୍ତି ଅତ୍ୟାବଶ୍ୟକ ପାଇଁ ବାହାରକୁ ବାହାରିଲେ ମୁହଁରେ ମାସ୍କ ସମେତ ସବୁ ସ୍ଥାନରେ ସାମାଜିକ ଦୂରତା ରଖିବା ପାଇଁ କଡାକଡି ଭାବେ ନିୟମ କରିଛନ୍ତି । କିନ୍ତୁ ଅନେକ ସ୍ଥାନରେ ଏସବୁକୁ ତୁଚ୍ଛ ମଣି ନିୟମକୁ ବେଖାତିର୍ କରି ସାମାଜିକ ଦୂରତା ରଖୁନଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କିକୋଟ ସମବାୟ ଲ୍ୟାମ୍ପ ଲିଃ ଠାରେ । ଗତକାଲି ଘଟଗାଁ ସ୍ଥିତ ଢେଙ୍କିକୋଟ ସମବାୟ ଲ୍ୟାମ୍ପ ଲିଃଠାରେ ଧାନ ବିହନ ବିକ୍ରି ହେଉଥିବା ଖବର ପାଇ ଶତାଧିକ ଚାଷି ଧାନ ବିହନ ପାଇଁ ଏକତ୍ରିତ ହୋଇଥିଲେ । ତେବେ ଲ୍ୟାମ୍ପ କର୍ମଚାରୀ ମାନେ ଭିଡକୁ ଲକ୍ଷ କରି ସାମାଜିକ ଦୂରତା କଲେ ବିଳମ୍ବ ହେବ ଭାବି ସାମାଜିକ ଦୂରତାକୁ ପାଳନ ନକରି ଠେଲାପେଲାରେ ବିହନ ବାଂଟୁଥିବା ଖବର ପାଇଥିଲୁ ଏବଂ ଆମ ପ୍ରତିନିଧି ଠେଲାପେଲାର ଦୃଶ୍ୟ ମଧ୍ୟ ଦେଖିଥିଲେ । ଏଠାରେ କହିରଖିବାକୁ ଚାହୁଁଛୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଏକ ଆଦିବାସି ମାଳ ଅଂଚଳ ତେଣୁ ଏଠାରେ ପ୍ରାୟ ଅଧାରୁ ଅଧିକ ଚାଷି ସାମାଜିକ ଦୂରତା କଣ ଜାଣିନଥିବେ । କିନ୍ତୁ ଏଠାକାର ଲ୍ୟାମ୍ପ କର୍ମଚାରୀ ମାନେ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା କଣ ଜାଣିଥିବେ ନା ! ଅନ୍ୟପକ୍ଷରେ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଏଭଳି ଠେଲାପେଲା ଦୃଶ୍ୟ ଦେଖିବାକୁ ମିଳିଥିଲା ଏବଂ ନିଜେ ପରିଚାଳନା ନିର୍ଦ୍ଦେଶକ ବିହନ ବାଂଟୁଥିଲେ ମଧ୍ୟ । ତେବେ ଯଦି ଲ୍ୟାମ୍ପ୍ କର୍ମଚାରୀ ଚାଷିଭାଇ ମାନଙ୍କୁ ଆୟତ କରିପାରିଲେନି ତାହାଲେ ଏ ସମ୍ପର୍କରେ ନିଜଟସ୍ଥ ଢେଙ୍କିକୋଟ ଫାଣ୍ଡିକୁ ଜଣାଇ ପାରିଥାନ୍ତେ । ଆହୁରି ମଧ୍ୟ ଘଟଣା ସମ୍ପର୍କରେ ଘଟଗାଁ ତହସିଲଦାରଙ୍କୁ ଖବର ଦେଇପାରିଥାନ୍ତେ କିନ୍ତୁ ଏ ସମ୍ପଦ୍ଧରେ କାହାକୁ କିଛି ନକହି ଲ୍ୟାମ୍ପ୍ ପରିଚାଳନା ନିର୍ଦ୍ଦେଶକ ମନ ଇଚ୍ଛା ଠେଲାପେଲାରେ ଧାନ ବିହନ ବାଂଟିଥିବା ସ୍ଥାନିୟ ଲୋକ ପ୍ରକାଶ କରିଛନ୍ତି । ଖବର ପାଇ ଆମ ପ୍ରତିନିଧି ଘଟଣାସ୍ଥଳରେ ପହଂଚି ଏ ସମ୍ପର୍କରେ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତଙ୍କୁ ପଚାରିବାରୁ ସେ ନିଜ ପାଖରୁ ଦୋଷ ଛଡାଇବାକୁ ଯାଇ ମୋକଥା ଚାଷି ମାନୁ ନାହାନ୍ତି କହିବା ସହିତ ମୁଁ ଢେଙ୍କିକୋଟ ଫାଣ୍ଡିକୁ ଜଣାଇଥିଲି ବୋଲି ସଫେଇ ଦେବା ସହ ଚୋର ମୁହଁ ଟାଣ ଭଳି ସଙ୍ଗେ ସଙ୍ଗେ ବିହନ ବଂଟା କିଛି ସମୟ ପାଇଁ ବନ୍ଦ କରିଦେଇଥିଲେ । ଆମ ପ୍ରତିନିଧି ଘଟଣାସ୍ଥଳରୁ ପଳେଇ ଆସିବା ପରେ ପୁଣି ଠେଲାପେଲାରେ ବିହନ ବଂଟା ଚାଲିଥିଲା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ । ତେବେ କରୋନା ପାଇଁ ସାମାଜିକ ଦୂରତା ନିତାନ୍ତ ଆବଶ୍ୟକ ବୋଲି ସରକାର ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବାର କଡାକଡି ନିୟମ କରିଥିବା ବେଳେ ସରକାରଙ୍କ ନିୟମକୁ ଖୁଲମ ଖୁଲା ବେଖାତିର କରି ବିହନ ବାଂଟି ଚାଲିଛନ୍ତି ଏଠାକାର କର୍ମଚାରୀ । ଅନ୍ୟପକ୍ଷରେ ପରିଚାଳନା ନିଦ୍ଦେର୍ଶକ କାହାବଳରେ ବଳବାନ କେଜାଣି ସରକାରଙ୍କ ନିୟମ ତାଙ୍କୁ କିଭଳି କାଟୁ କରୁନାହିଁ ? ଯେଉଁ କଥା ବର୍ତମାନ ସ୍ଥାନୀୟ ବୁଦ୍ଧିଜିବି ମହଲରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଲ୍ୟାମ୍ପ କର୍ମଚାରିଙ୍କ ଏଭଳି ମନମୁଖି କାମକୁ ନିନ୍ଦା କରିବା ସହିତ ଏଥିପ୍ରତି କାର୍ଯ୍ୟନୁଷ୍ଠାନ କରିବା ପାଇଁ ବ୍ଲକ୍ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।