ସାମାଜିକ ସୁରକ୍ଷା ଏବଂ ବନ ସଂରକ୍ଷଣ ସଚେତନତା ଅଭିଯାନ
ବ୍ରହ୍ମପୁର : ହଜାର ହଜାର ହେକ୍ଟର ବ୍ୟାପୀ ଜଳ ଜମି ଜଙ୍ଗଲର ସଂରକ୍ଷଣ ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡି଼କର ଦାୟିତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ । ସେମାନେ ସଚେତନ ହେଲେ ପ୍ରତ୍ୟେକ ପରିବାରର ଜୀବନ ଜୀବିକା ଏବଂ ଜଳବାୟୁ ସନ୍ତୁଳନ ହୋଇପାରିବ । ଏଣୁ ଏସ୍.ଏଚ୍.ଜି ଗୁଡି଼କୁ ପରିବେଶ ସୁରକ୍ଷା, ବୃକ୍ଷରୋପଣ,ଚାରା ସୃଷ୍ଟି, କିଚେନ୍ ଗାର୍ଡେନ୍, ଜୈବିକ ଚାଷ ପ୍ରଣାଳୀର ଗୁରୁତ୍ୱକୁ ଅବଗତ କରାଇବା ଏବଂ ପ୍ରତ୍ୟକ୍ଷ ଭାବେ ସାମୁହିକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିତାନ୍ତ ଆବଶ୍ୟକ । ତତ୍ ସଙ୍ଗେ ସଙ୍ଗେ ଏସ୍.ଏଚ୍.ଜି ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ସାମାଜିକ ସୁରକ୍ଷା ଆଇନ୍ ତଥା ଅଧିକାର ସଂପର୍କରେ ସଚେତନ ହୋଇ ନିଜ ନିଜ ଅଞ୍ଚଳମାନଙ୍କରେ ରହୁଥିବା ଦିବ୍ୟାଙ୍ଗ, ବିଧବା, ରୋଗୀ, ବରିଷ୍ଠ ନାଗରିକ, ଭିକାରୀ ଏବଂକିନ୍ନରମାନେ ଯେପରି ତା’ମାଧ୍ୟମରେ ଥଇଥାନ ହୋଇ ବିଭିନ୍ନ ଘୃଣ୍ୟ କାର୍ଯ୍ୟରୁ ନିବୃତ୍ତ ହେବେ ସେ ଦିଗରେ ମଧ୍ୟ ସେମାନଙ୍କ ଦାୟିତ୍ୱ ତୁଲାଇବା ଦରକର ବୋଲି ଆୟୋଜିତ ସଭାରେ ମତ ପ୍ରକାଶ ପାଇଛି । ପରିପ୍ରେକ୍ଷିରେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂସାର ତରଫରୁ ପୂର୍ବାହ୍ନ ୧୦ଘଣ୍ଟା ସମୟରେ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ହୁମର ଗ୍ରାମସ୍ଥ ଭୂମିହୀନ ଶ୍ରମିକ କଲ୍ୟାଣ ବହୁମୁଖୀ ସମବାୟ ସମିିତି କାର୍ଯ୍ୟାଳୟଠାରେ ହୁମୁରୀବଣ ସଂରକ୍ଷଣ ସଚେତନତା ଅଭିଯାନକୁ ଉଦ୍ଘାଟନ କରାଯାଇଥିଲା । ଏହାକୁ ହୁମୁରୀ ବନ ସଂରକ୍ଷଣ ସମିତିର ସଭାପତି ଶ୍ରୀ ମୂରଲୀ ପଲେଇ ଉଦ୍ଘାଟନ କରିଥିଲେ । ଆୟୋଜିତ ସଭାରେ ସଂସାର ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ସାହୁ ପୌରୋହିତ୍ୟ କରିଥିବା ବେଳେ, ମାନବ ଅଧିକାର କର୍ମୀ ତଥା ହୋମିଓପାଥିକ ଚିକିତ୍ସା ବିଶେଷଜ୍ଞ ଡା. ଗୁରୁ ଚରଣ ପାତ୍ର ଏବଂ ମୂରଲୀ ପଲେଇ ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲକ୍ଷ୍ମୀ ବାରିକୀ କହିଲେ ଯେ ଆମ ଅଞ୍ଚଳର ଏସ୍.ଏଚ୍.ଜି ଗୁଡି଼କ ମାଧ୍ୟମରେ ଅଭିଯାନକୁ ସଫଳ କରାଇବା ଶେଷରେ କୁନ୍ତଳା ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।


