ଆକ୍ରମଣରେ ଯୁବ ଆଇନଜୀବୀ ଆହତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସହରର ଟାଉନ ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣା ଗଳି ମୋତିଗଞ୍ଜଠାରେ ସାମାନ୍ୟ ବଚସାରୁ ଗଣ୍ଡଗୋଳ ସୃଷ୍ଟି ହେବା ଓ ମାରଣାସ୍ତ୍ର ସହ ଅତର୍କିତ ଭାବେ ଆକ୍ରମଣ ଯୋଗୁଁ ସେଖ୍ ମହମ୍ମଦ ଗୋଲାମ ହାଇଦରଙ୍କ ପୁତ୍ର ଯୁବ ଆଇନଜୀବୀ ସେଖ୍ ମହମ୍ମଦ ଗୋଲାମ ହମିଦ୍ (୩୯) ଗୁରୁତର ଭାବେ ଆହତ ହେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୧ ନଂ ବେଡ୍ରେ ଚିକିତ୍ସିତ ହେଉଛନ୍ତି । ସେଖ୍ ହାଇଦର ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଏକ ଲିଖିତ ଏତାଲା ଦାୟର କରିଛନ୍ତି ଯେ, ଶିଶ୍ ମହମ୍ମଦ (୪୫), ପିତା- ସେଖ୍ ହୁସେନ୍ ଓ କିଛି ଦୁର୍ଦ୍ଦାନ୍ତ ଶ୍ରେଣୀର ବ୍ୟକ୍ତିମାନେ ସକାଳ ୭ଟା ୩୦ ମିନିଟ୍ ସମୟରେ ତାଙ୍କ ଘରର ସିମେଣ୍ଟ ଖୁଣ୍ଟ ଓ ବାଡ ଭାଙ୍ଗିବା ସହ ଜବରଦସ୍ତ ଘରେ ପଶି ତାଙ୍କ ମାଆ, ସ୍ତ୍ରୀ ଓ ଅନ୍ୟମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ଅପମାନ କରିବା ଓ ତାଙ୍କ ବସ୍ତ୍ରଗୁଡିକୁ ଚିରି ଦେଇଥିଲେ । ତତ୍ସହ ‘ତୁମ ପୁଅ ଓକିଲ ଆମର କ’ଣ କରିବ’ ବୋଲି ମଧ୍ୟ କହି ଧମକ ଚମକ ଦେଇଥିଲେ । ଥାନା ଅଧିକାରୀ ଏସବୁ କଥା ଜାଣିବା ପରେ ଘଟଣାସ୍ଥଳକୁ ଆସି ତଦାରଖ କରିବା ସହ ଭଙ୍ଗାଯାଇଥିବା ସିମେଣ୍ଟ ଖୁଣ୍ଟକୁ ମଧ୍ୟ ଦେଖିଥିଲେ । ଏଣୁ କଥା ଉଠୁଛି କି ଏଭଳି ଜଣେ ଅସାମାଜିକ ବ୍ୟକ୍ତି ଆମର ପୈତୃକ ସମ୍ପତ୍ତିକୁ ନେଇ ଜାଣିଶୁଣି ବାରମ୍ବାର ଗଣ୍ଡଗୋଳ ସୃଷ୍ଟି କରୁଥିବା ବେଳେ ଉକ୍ତ ବ୍ୟକ୍ତି ଶିଶ୍ ମହମ୍ମଦଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଥାନାରେ ଗୁହାରି ଜଣାଇଇଛନ୍ତି ।