ସାମାନ୍ୟ ବର୍ଷାରେ ପାରଳା ସହରରେ କୃତ୍ରିମ ବନ୍ୟା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶାର ଦ୍ଵିତୀୟ ପୁରାତନ ପାରଳାଖେମୁଣ୍ଡି ମୁନିସିପାଲିଟିରେ ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟା ଦେଖାଦେଉଛି। ଏପରିକି ସହର ମୁଖ୍ୟରାସ୍ତା କିମ୍ବା ଗଳିକନ୍ଦି ରାସ୍ତା ଅସରାଏ ବର୍ଷାରେ ଏହି ସମସ୍ୟା ଗତ କିଛି ବର୍ଷ ହେଲା ବହୁଗୁଣରେ ବଢ଼ିଯାଇଛି। ତାର ଜ୍ଵଳନ୍ତ ଉଦାହରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାର ବିପରିତ ପାର୍ଶ୍ଵରେ ଥିବା ଜିଲ୍ଲା ଉପକାରାଗାର ରାସ୍ତା, ରାଣୀପେଣ୍ଠ ମୁଖ୍ୟରାସ୍ତା, ୨ ଓ ୩ ନମ୍ବର ୱାର୍ଡ ଆଦି ଅଞ୍ଚଳରେ ସାମାନ୍ୟ ବର୍ଷାରେ ରାସ୍ତାଘାଟ ଜଳମଗ୍ନ ହେବା ସହ ତଳି ଅଞ୍ଚଳ ଗୁଡିକରେ ରହୁଥିବା ଘରେ ପାଣି ପ୍ରବେଶ କରି କୃତ୍ରିମ ବନ୍ୟା ଦେଖା ଦେଉଛି । ଏହାର ପ୍ରମୁଖ କାରଣ ହେଉଛି ପାରଳାଖେମୁଣ୍ଡି ପୌରପାଳିକା ତରଫରୁ ମାସ ମାସ ଧରି ଉପଯୁକ୍ତ ରକ୍ଷଣାବେକ୍ଷଣ ନ କରିବା, ଡ୍ରେନେଜ୍ ସଫା ନ କରିବା, ବିଶେଷ କରି ତଳି ଅଞ୍ଚଳରେ ନାଳ ନିର୍ମାଣ ନ କରିବା ଓ ନାଳ ଉପରେ ଜବରଦଖଲ ନ ହଟାଇବା ଆଦି ଯୋଗୁଁ ସମସ୍ୟା ଦ୍ବିଗୁଣିତ ହୋଇଛି।


