ସାମୁହିକ ଟିକାକରଣ ପ୍ରଶାସନିକର ଜିଲ୍ଲା ସମନ୍ବୟ କମିଟିର ପ୍ରଥମ ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା):   ଗଞ୍ଜାମ ଜିଲ୍ଲାରେ କୋଭିଡ୍ ଭ୍ୟାକ୍ସିନ୍, ପଲ୍ସ ପୋଲିଓ ଟୀକାକରଣ ଓ ଫାଇଲେରିଆ ନିରାକରଣ ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମକୁ କିଭଳି ଶୃଙ୍ଖଳିତ ଭାବରେ ପରିଚାଳନା କରାଯିବ ସେଥିପାଇଁ ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ବୈଠକରେ ଅଧ୍ୟକ୍ଷତା କରି ଜଣାଇଥିଲେ ଯେ, ଗଞ୍ଜାମ ଜିଲ୍ଲା ଓଡିଶାର ବୃହତ୍ତମ ଜିଲ୍ଲା  । ଏହି ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ଫେରିଥିଲେ  । ଅହରହ ଓ ଅକ୍ଲାନ୍ତ ପରିଶ୍ରମ ଫଳରେ କୋଭିଡ୍ ସହ ମୁକାବିଲା କରାଯାଇ ପାରିଛି  । ଜିଲ୍ଲାବାସୀଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ଯୋଗାଇ ଦିଆଯିବାର କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି କରାଯିବ  । ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମକୁ ଠିକ୍ ରୂପେ ପରିଚାଳନା କରି ଭ୍ୟାକ୍ସିନର ସୁ ଆବଣ୍ଟନ ଦିଗରେ ଅନେକ ସତର୍କତା ଓ ପ୍ରସ୍ତୁତିର ଆବଶ୍ୟକତା ରହିଛି  । ସଚେତନତା ଓ ପୂର୍ବ ପ୍ରସ୍ତୁତି ଠିକ୍ ରୂପେ ହୋଇପାରିଲେ ସୁ ଆବଣ୍ଟନ ଦିଗରେ କୌଣସି ଅସୁବିଧା ଦେଖାଯିବ ନାହିଁ  । ଏଥି ନିମନ୍ତେ ସମସ୍ତଙ୍କର ପ୍ରୟାସ ରହିବା ଆବଶ୍ୟକ  । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୫,୧୦୩ ସ୍ବାସ୍ଥ୍ୟସେବା କର୍ମୀଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ପ୍ରଦାନ କରାଯିବ  । ସେଥିନେଇ ଡାଟା ବେସ୍ ପ୍ରସ୍ତୁତ ହୋଇ କୋ ଓ୍ବିନ୍ ସାଇଟ୍ ରେ ଅପଲୋଡ୍ ହୋଇ ସାରିଛି  । କୋଭିଡ୍ ଭ୍ୟାକ୍ସିନ୍ ପହଁଚିବା ପରେ ତାର ରକ୍ଷଣ ବେକ୍ଷଣ ସହିତ କିଭଳି ସୁଚାରୁ ରୂପେ ଭ୍ୟାକ୍ସିନ୍ ପ୍ରଦାନ କରାଯିବ ସେ ନେଇ ବୈଠକରେ ତଥ୍ୟ ପ୍ରଦାନ କରାଯାଇଥିଲା  । ଜିଲ୍ଲାରେ ଆଞ୍ଚଳିକ ଭ୍ୟାକ୍ସିନ୍ ଷ୍ଟୋରରେ ଗଚ୍ଛିତ କରାଯିବ  ଏବଂ ସେହିଠାରୁ ସମସ୍ତ କେନ୍ଦ୍ର ଗୁଡିକୁ ଭ୍ୟାକ୍ସିନ ବିତରଣ କରାଯିବ  । ଭ୍ୟାକ୍ସିନ୍ ପ୍ରଦାନ କରାଯିବା କେନ୍ଦ୍ର ଗୁଡିକରେ ଭ୍ୟାକ୍ସିନ୍ ଗ୍ରହଣ କରିବାକୁ ଥିବା ବ୍ୟକ୍ତିଙ୍କ ସକାଶେ ଅପେକ୍ଷା ଗୃହରେ ୬ ଫୁଟ ବ୍ୟବଧାନରେ ବସିବା ବ୍ୟବସ୍ଥା, ମାସ୍କ ପରିଧାନ ଇତ୍ୟାଦି ଦିଗରେ ସତର୍କ ରଖାଯିବ  । ଭ୍ୟାକ୍ସିନ୍ ପ୍ରଦାନ କରାଯିବା କୋଠରୀକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି କରି ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ  । ଭ୍ୟାକ୍ସିନ୍ ପ୍ରଦାନ ଗୃହରେ ମୁତୟନ କର୍ମଚାରୀ ଓ ଅଧିକାରୀଙ୍କ ଦାୟିତ୍ବ ଓ ଭ୍ୟାକ୍ସିନ୍ ପ୍ରଦାନ ପରେ ଭ୍ୟାକ୍ସିନ୍ ନେଇଥିବା ବ୍ୟକ୍ତିଙ୍କୁ ୩୦ ମିନିଟ୍ ନିରୀକ୍ଷଣ କରି ରଖାଯିବ  । ଭ୍ୟାକ୍ସିନ୍ ପ୍ରଦାନ ସକାଶେ ଆବଶ୍ୟକ ସରଞ୍ଜାମ ଇତ୍ୟାଦି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା  ।ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାମୟିକ ଔଷଧ ସେବନ କାର୍ଯ୍ୟକ୍ରମ ଜିଲ୍ଲାରେ ଆସନ୍ତା ଫେବୃୟାରୀ ମାସରେ ଚାଲିବ  । କେବଳ ଗର୍ଭବତୀ ମହିଳା, ୨ବର୍ଷରୁ କମ୍ ବୟସର ଶିଶୁ ଓ ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଜିଲ୍ଲାର ସମସ୍ତ ଲୋକଙ୍କୁ ଡିଇସି ବଟିକା ସହିତ ଆଲବେଣ୍ଡାଜୋଲ୍ ବଟିକାର ଗୋଟିଏ ମାତ୍ରା ସମସ୍ତେ ଖାଇବେ  । ଏହି ବଟିକା ଖାଦ୍ୟ ଖାଇବା ପରେ ଖୁଆଯିବ  । ଆଶାକର୍ମୀ କିମ୍ବା ତାଲିମ୍ ପ୍ରାପ୍ତ ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ଘରକୁଘର ବୁଲି ଏହି ଔଷଧ ବିନା ମୂଲ୍ୟରେ ଖୁଆଯିବ  । ଜିଲ୍ଲାରେ ସାମୁହିକ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଯାଇଛି  । ଏହି କାର୍ଯ୍ୟକ୍ରମ ଯେପରି ଶତପ୍ରତିଶତ ସଫଳ ହେବ ଏବଂ ଜିଲ୍ଲାର ସମସ୍ତ ଜନସାଧାରଣ ନିର୍ଦ୍ଧାରିତ ସେବନ ଦିନ ଔଷଧ ଖାଇବେ ସେ ଦିଗରେ ସୁନିଶ୍ଚିତ କରିବାକୁ ଜଣାଇଥିଲେ  । ୨୦୨୦ ମସିହାରେ ଜିଲ୍ଲାରେ ୩୭,୭୮,୯୬୪ ଲୋକଙ୍କ ମଧ୍ୟରୁ ୩୫,୪୪,୯୫୮ଜଣ ଏହି ବଟିକା ଖାଇବା ସକାଶେ ଚିହ୍ନଟ ହୋଇଥିଲେ  । ତନ୍ମଧ୍ୟରୁ ୨୯,୯୮,୦୭୩ଜଣ ଔଷଧ ସେବନ କରିଥିଲେ ଯାହାକି ଶତକଡା ୮୪.୫୭ ପ୍ରତିଶତ  । ଆଗାମୀ ୨୦୨୧ ମସିହାରେ  ୩୫,୫୨,୨୨୬ ଜଣ ବ୍ୟକ୍ତିଙ୍କୁ ଏହି ବଟିକା ଖୁଆଇବାର ଯୋଜନା ରହିଛି  । ୮୮,୮୦,୫୬୫ଡିଇସି ବଟିକା ଏବଂ ୩୫,୫୨,୨୨୬ଗୋଟି ଆଲବେଣ୍ଡାଜୋଲ୍ ବଟିକାର ଆବଶ୍ୟକତା ରହିଛି  । ଏହାର ସୁବଣ୍ଟନ ଓ ସମସ୍ତେ ଯେପରି ଏହି ଔଷଧ ସେବନ କରିବେ ସେ ଦିଗରେ ଗୁରୁତ୍ବ ଆରୋପ କରାଯାଇଥିଲା  । ଜିଲ୍ଲାରେ ଜନ୍ମରୁ ୫ ବର୍ଷ ବୟସର ଶିଶୁଙ୍କୁ ୨୦୧୮ ମଇମାସ ପ୍ରଥମ ରାଉଣ୍ଡରେ ୩,୫୦,୮୪୯, ମାର୍ଚ୍ଚ ୨୦୧୯ରେ ୩,୪୨,୩୭୮ ଏବଂ  ଜାନୁୟାରୀ ୨୦୨୦ ରେ ୩,୪୯,୧୫୬ ଜଣ ଶିଶୁଙ୍କୁ ପଲ୍ସ ପୋଲିଓ ଟିକା ପ୍ରଦାନ କରାଯାଇଛି  । ଜାନୁୟାରୀ ୨୦୨୧ରେ ୩,୫୦,୮୪୯ ଜଣ ଶିଶୁଙ୍କୁ  ପଲ୍ସ ପୋଲିଓ ଟିକା ପ୍ରଦାନ କରାଯିବା ଲକ୍ଷ୍ୟ ରଖାଯାଇଛି   । ଜିଲ୍ଲାର ଜନ୍ମରୁ ୫ ବର୍ଷ ବୟ.ର ଶିଶୁ ଯେପରି ଏହି ପୋଲିଓ ଟିକାରୁ ବଞ୍ଚିତ ହେବେନାହିଁ ସେ ଦିଗରେ ଯୋଜନା ପ୍ରସ୍ତୁତ କରି ପ୍ରଦାନ କରିବାପାଇଁ ଗୁରୁତ୍ବ ଦିଆଯାଇଥିଲା  । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଯୋଜନାର ସଂପୃକ୍ତ ଅଧକାରୀ ଗଣ ତଥ୍ୟ ପ୍ରଦାନ କରିଥିଲେ  । ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ ଜଗଦୀଶ୍ ପଟ୍ଟନାୟକ, ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ (ଭି. ଆଣ୍ଡ ଡି) ଡା. ସନ୍ତୋଷ କୁମାର ପାଢୀ, ଅତିରିକ୍ତ ସ୍ବାସ୍ଥ୍ଥ ଅଧିକାରୀ(ପରିବାର କଲ୍ୟାଣ) ଡା. ଭି. ସରୋଜିନୀ ଦେବୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ଡା. ସମ୍ବିତ୍ ପ୍ରଧାନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଡା ଅବନୀ କୁମାର ପାତ୍ର, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଓ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ