ସାମ୍ବାଦିକଙ୍କ ଆକସ୍ମିକ ବିୟୋଗ, ଅଞ୍ଚଳରେ ଶୋକର ଛାୟା
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଜେନାଙ୍କ ଦେହାନ୍ତ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ କଟକ ବଡ ଡାକ୍ତରଖାନାରେ ତାଙ୍କ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଠାକୁରମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସ୍ବର୍ଗତ ଜେନା ଗତ ସୋମବାର ଦିନ ପ୍ରାତ ଭ୍ରମଣରେ ଆସି ଠାକୁରମୁଣ୍ଡା ବଜାର କିଛି ପରିଚିତ ଲୋକଙ୍କ ସହିତ ରାସ୍ତାରେ ଛିଡା ହୋଇ କଥାବାର୍ତ୍ତା ହେଉଥିବା ବେଳେ ହଠାତ ସଂଜ୍ଞାହୀନ ହୋଇ ପଡିଯାଇ ଗୁରୁତର ହୋଇପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଶ୍ରୀଯୁକ୍ତ ଜେନାଙ୍କ ରକ୍ତ ଚାପ ବୃଦ୍ଧି ଯୋଗୁଁ ପ୍ରଥମେ ତାଙ୍କୁ ଘଷିପୁରା ଓ ପରେ କଟକ ବଡ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇ ଡାକ୍ତର ଚିକିତ୍ସା କରୁଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି। ଆଜି ତାଙ୍କ ପରିବାର ଲୋକେ ତାଙ୍କ ମରଶରୀରକୁ ଠାକୁରମୁଣ୍ଡା ନିକଟ ତାଙ୍କ ଘର ନିହାଣଗଣ୍ଡିକୁ ଆଣିବା ବେଳେ ଠାକୁରମୁଣ୍ଡା ହନୁମାନ ଛକରେ ତାଙ୍କୁ ଅପେକ୍ଷା କରିଥିବା ବିଭିନ୍ନ ବର୍ଗର ଲୋକେ ଶେଷଦର୍ଶନ କରିଥିଲେ।ଠାକୁରମୁଣ୍ଡା ଓ କରଞ୍ଜିଆ ଉପଖଣ୍ଡ ର ବିଭିନ୍ନ ଅଞ୍ଚଳର ଛପା ଓ ବୈଦୁତିକ ଗଣମାଧ୍ୟମ ସାମ୍ବାଦିକ ବୃନ୍ଦ , ବରିପଦା DIPRO, ଠାକୁରମୁଣ୍ଡା ବ୍ଲକ ଅଧକ୍ଷ ପ୍ରଶାନ୍ତ ବେହେରା,ବିଜେଡି ବ୍ଲକ ସଭାପତି ନନ୍ଦକିଶୋର ବାରିକ, ବରିଷ୍ଠ ବିଜେଡି ନେତା ବସନ୍ତ ପୈବର୍ତ୍ତୀ,ଡ୍ରାଇଭର ମହାସଂଘ ର କର୍ମକର୍ତ୍ତା,ଠାକୁରମୁଣ୍ଡା ସାହିତ୍ୟ ଘରର ସଦସ୍ୟ ମାନେ ପୁଷ୍ପ ଦେଇ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ।ମରଶରୀର ପହଞ୍ଚିବା ସମୟରେ ତାଙ୍କ ସନ୍ମାନ ରେ ଠାକୁରମୁଣ୍ଡା ହନୁମାନ ଛକର ବ୍ୟବସାୟୀ ମାନେ ସମସ୍ତ ଦୋକାନ କିଛି ସମୟ ପାଇଁ ବନ୍ଦ ରଖିଥିଲେ । ତାଙ୍କ ମରଶରୀରକୁ ବଜାର ପରିକ୍ରମା ଶୋଭାଯାତ୍ରାରେ ନିଆଯାଇଥିଲା। ତାଙ୍କ ଘରେ ଶବ ପହଞ୍ଚିବା ପରେ ପରିବାର ଲୋକଙ୍କ ଦ୍ୱାରା ଶବ ସତ୍କାର କରାଯାଇଥିଲା।ସ୍ବର୍ଗତ ଚିତ୍ତରଞ୍ଜନ ଜେନା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଙ୍ଘର ମୟୁରଭଞ୍ଜ ଜିଲ୍ଲାର ସହ ସମ୍ପାଦକ ଥିଲେ।