ସାମ୍ବାଦିକଙ୍କ ଦାବି ପ୍ରତି ସରକାରଙ୍କ ଅଣଦେଖା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ସବୁବର୍ଗଙ୍କ ପାଇଁ କିଛି ନା କିଛି ସୁବିଧା ସୁଯୋଗ ଘୋଷଣା କରୁଥିବା ବେଳେ ସାମ୍ବାଦିକଙ୍କ ଦାବି ପ୍ରତି ଅଣଦେଖା କରିବାକୁ ନେଇ ରାଜ୍ୟବ୍ୟାପୀ ସାମ୍ବାଦିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଏଭଳି ବୈମାତୃକ ମନୋଭାବ ବିରୁଦ୍ଧରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଆହ୍ୱାନକ୍ରମେ ସମଗ୍ର ରାଜ୍ୟରେ ହଜାର ହଜାର ସାମ୍ବାଦିକ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ ପ୍ରଦର୍ଶନ ଜାରି ରଖିଛନ୍ତି ।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକଙ୍କୁ ପେନସନ, ଅଧିସ୍ୱୀକୃତି କମିଟି ପୁନର୍ଗଠନ ଓ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ପ୍ରଚଳିତ ସ୍ୱାସ୍ଥ୍ୟବୀମା ଯୋଜନାରେ ବାପା ମାଆ ଓ ପଚିଶବର୍ଷରୁ ଉର୍ଦ୍ଧ୍ୱ ସନ୍ତାନମାନଙ୍କୁ ସାମିଲ୍ ଏବଂ ପ୍ରେସ୍ ଏକାଡ଼େମୀ ଗଠନ ଇତ୍ୟାଦି ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ ସହ ବିଭିନ୍ନ ସମୟରେ ଏ ନେଇ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜାନୁଆରୀ ମାସରେ ସମଗ୍ର ତିରିଶ ଜିଲ୍ଲାରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସମାବେଶ ଆୟୋଜନ କରାଯାଇଥିଲା । ମାତ୍ର ସରକାରଙ୍କ ଉଦାସୀନତା ମନୋଭାବ ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନଙ୍କୁ ବ୍ୟଥିତ କରିଛି ।ଏହି କ୍ରମରେ ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଜୟଦେବ ଭବନ ସମ୍ମୁଖରେ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଆବାହକତ୍ୱରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା । ଏଥିରେ ରମେଶ ମହାନ୍ତି, ସନତ ମିଶ୍ର, ପାର୍ଥସାରଥୀ ଜେନା, ବିମଳ ପ୍ରଧାନ, ରଣଜିତ ପଟ୍ଟନାୟକ, ଟୁଲୁ ପାତ୍ର, ପିୟୁଷ ମହାନ୍ତି, ଜିତେନ୍ଦ୍ର ସାହୁ ପ୍ରମୁଖ ଭାଗ ନେଇଥିଲେ । ଦାବିପୂରଣ ନହେବା ପର୍ଯ୍ୟନ୍ତ ଏଭଳି ପ୍ରତିବାଦ ସମଗ୍ର ରାଜ୍ୟରେ ବଳବତ୍ତର ରହିବା ସହ ନିର୍ବାଚନ ଅବସରରେ ମଧ୍ୟ ସାମ୍ବାଦିକମାନେ କଳାବ୍ୟାଚ୍ ପରିଧାନ କରି ଦାୟିତ୍ୱ ନିର୍ବାହ କରିବେ ବୋଲି ସଭାପତି ଶ୍ରୀ କର ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ