ସାମ୍ବାଦିକଙ୍କ ବୀମାରାଶି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାର ବୀମାରାଶିକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ସର୍ବ ପୁରାତନ ତଥା ସର୍ବବୃହତ୍ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଦୀର୍ଘଦିନ ହେବ ରାଜ୍ୟରେ ଆର୍ଥିକ ଓ ବୃତ୍ତିଗତସ୍ତରରେ ଅବହେଳିତ ହୋଇ ରହି ଆସିଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ଯୁକ୍ତିଯୁକ୍ତ ତଥା ନ୍ୟାୟସଙ୍ଗତ ଦାବି ଗୁଡ଼ିକ ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହୋଇ ଆସୁଛି । ଉତ୍କଳ ଦାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରମୋଦ କୁମାର ପଟ୍ଟନାୟକ, ହାରାଧନ ବାନାର୍ଜୀ, ରଶ୍ମୀରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ରାଜେନ୍ଦ୍ର ଚୌଧୁରୀ, ପ୍ରତାପ ପ୍ରଧାନ, ରବିନାରାୟଣ ଖିଲାରଙ୍କୁ ନେଇ ଗଠିତ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ସମୟରେ ବିଭାଗୀୟ ତଥା ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କୁ ସାକ୍ଷାତ୍ କରି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ରାଶିକୁ ୨ ରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହ ଏଥିରେ ପିତାମାତାଙ୍କୁ ସାମିଲ୍‌, ଅନ୍ୟ ରାଜ୍ୟପରି ସାମ୍ବାଦିକମାନଙ୍କୁ ଅବସରକାଳୀନ ଭତ୍ତା ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସାମ୍ବାଦିକ ଅଧିସ୍ୱୀକୃତି କମିଟି ଗଠନ ପୂର୍ବକ ବ୍ଲକ ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କୁ ଅଧିସ୍ୱୀକୃତି ପ୍ରଦାନ ଓ ରାଜ୍ୟରେ ପ୍ରେସ୍ ଏକାଡ଼େମୀ ଗଠନ କରାଯାଇ ସାମ୍ବାଦିକମାନଙ୍କୁ ବିଶ୍ୱସ୍ତରୀୟ ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରିବାର ସୁଯୋଗ ପ୍ରଦାନ ପରି ଦାବି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଦାବିଗୁଡ଼ିକ ମଧ୍ୟରୁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ବୀମାରାଶିକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା କରି ସାମ୍ବାଦିକମାନଙ୍କୁ ଖୁସି କରିଛନ୍ତି ହେଲେ ଏହି ଯୋଜନାରେ ସାମିଲ୍ ପାଇଁ ସଦ୍ୟ ଆରମ୍ଭ ହୋଇଥିବାର ଅନଲାଇନ ଆବେଦନ ସମୟରେ ସରଳୀକରଣ ହୋଇଥିବା ଦେଖାଯାଇଛି । ଏଥିନେେଇ ସାମ୍ବାଦିକମାନଙ୍କ ମଧ୍ୟରେ ରାଜ୍ୟବ୍ୟାପୀ ପ୍ରତିକ୍ର୍ରିୟା ପ୍ରକାଶ ପାଇଛି । ଅନଲାଇନ ଆବେଦନ ସମୟରେ ବିଏସ୍‌କେୱାଇ କିମ୍ବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରୁ ଗୋଟିଏକୁ ଚୟନ କରିବାକୁ ସୁଯୋଗ ଦେଇ ସାମ୍ବାଦିକମାନଙ୍କର ଆଶଙ୍କା ଦୂର କରିବା ସହ ସାମ୍ବାଦିକମାନଙ୍କର ଋଣ ପ୍ରଦାନ କ୍ଷେତ୍ରରେ ସୁଧ ଆଦାୟରେ ରିହାତି ନେଇ ପୂର୍ବ ଘୋଷଣାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯିବା ପାଇଁ ନିର୍ଦ୍ଦେଶ ଦେବାକୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ