ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ଅଧ୍ୟାଦେଶ ଆଣନ୍ତୁ: ପୃଥ୍ୱୀରାଜ
ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଅଧ୍ୟାଦେଶ ଆଣନ୍ତୁ । ମହାରାଷ୍ଟ୍ର ଢାଞ୍ଚାରେ ଅଧ୍ୟାଦେଶ ଆଣିବାକୁ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତ । ସାମ୍ବାଦିକଙ୍କୁ ବାରମ୍ବାର ଆକ୍ରମଣ ଘଟଣାରେ ଶ୍ରୀ ହରିଚନ୍ଦନ ଏହା କହିଛନ୍ତି । ସେ କହିଛନ୍ତି ଯେ, ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାର ମହାରାଷ୍ଟ୍ର ଢାଞ୍ଚାରେ ଅଧ୍ୟାଦେଶ ଆଣନ୍ତୁ । ବିଧାନସଭା ଅଧିବେଶନ କାଳରେ ଏହାକୁ ପାରିତ କରାଇ ଏହାକୁ ଆଇନରେ ପରିଣତ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହାଛଡ଼ା ବିଡିଏ ଗାଇଡଲାଇନକୁ ଏସପ୍ଲାନେଡ ସମେତ କିଛି ମଲ ଉଲ୍ଲଂଘନ କରିଛନ୍ତି । ବିଶେଷ କରି ଏସପ୍ଲାନେଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ପ୍ରକାଶ ଯେ, ଭୁବନେଶ୍ୱରରେ ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାରେ ସୋମବାର ମଧ୍ୟ ସାମ୍ବାଦିକମାନେ ମଲ୍ ଆଗରେ ଧାରଣା ଦେଇଛନ୍ତି । ଫଳରେ ଏସପ୍ଲାନେଡ ମଲ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଦୁଇଜଣ ସୁରକ୍ଷାକର୍ମୀଙ୍କ ସହ ମାର୍କେଟିଂ ହେଡ୍ ଶ୍ୟାମା ଝାଙ୍କୁ ରବିବାର ଗିରଫ କରାଯାଇଥିଲା । କିନ୍ତୁ ବିଳମ୍ବିତ ରାତିରେ ତାଙ୍କୁ ଜାମିନ ମିଳିଯାଇଥିଲା ।
ତେବେ ଆଜି ମଧ୍ୟ ସାମ୍ବାଦିକ ମାନେ ମଲ୍ ଆଗରେ ପ୍ରତିବାଦରେ ବସିଛନ୍ତି । ଏସପ୍ଲାନେଡ ମଲ୍ ରେ ବେଆଇନ ପାର୍କିଂ ଆଦାୟ ନେଇ ଶନିବାର ଦିନ ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରା ପର୍ସନ ଖବର ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ମଲ୍ ର ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ । ଏପରିକି ମଲ୍ ର କର୍ମଚାରୀ ସେମାନଙ୍କୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ରଖିଥିବା ମଧ୍ୟ କହିଥିଲେ ସାମ୍ବାଦିକା ।


