ସାମ୍ବାଦିକତା ବୃତ୍ତିରେ ମହିଳାଙ୍କ ସମସ୍ୟା
ଦିପ୍ତିମୟୀ ନାୟକ
ଆଜିକାଲି ସାମ୍ବାଦିକତାକୁ ବୃତ୍ତି ଭାବରେ ଗ୍ରହଣ କରିବା ନାରୀ ପକ୍ଷରେ କୌଣସି ସହଜ କଥା ନୁହେଁ । ଏ କ୍ଷେତ୍ରରେ ବୃତ୍ତିଗତ ଦୃଷ୍ଟିରୁ ପୁରୁଷ ଅପେକ୍ଷା ନାରୀଟିଏକୁ ଅଧିକ ଭାବରେ ପରିସ୍ଥିତି ସହ ସାଲିସ ଓ ମାଲିସ କରିବାକୁ ପଡିଥାଏ | ବର୍ତ୍ତମାନ ସମୟରେ ଭୟ ଲାଗିଲାଣି ସାମ୍ବାଦିକତା କରିବାକୁ । ଏହି କାରଣରୁ ଅନେକ ସ୍ବାଭିମାନୀ ମହିଳା କାର୍ଯ୍ୟ ବଦଳାଉଛନ୍ତି କିମ୍ବା ବୃତ୍ତି ଛାଡି ଘରେ ବସୁଛନ୍ତି । ସମାଜରେ କୌଣସି ନାରୀ ଅତ୍ୟାଚାରର ଶିକାର ହେଲେ “ୱାଚଡଗ” ଭାବରେ ସାମ୍ବାଦିକ ଓ ସାମ୍ବାଦିକାମାନେ ଝପଟି ଆସନ୍ତି କିନ୍ତୁ ସାମ୍ବାଦିକା ନିଜେ “ୱାଚଡଗ” ମାନଙ୍କର ଚକ୍ରବ୍ୟୁହରେ ଫସିଗଲେ ମହାଭାରତର ଅଭିମନ୍ୟୁ ହେବାକୁ ପଡେ। କେବେକେବେ ମନକୁ ପ୍ରଶ୍ନଟିଏ ଆସେ – ସାମ୍ବାଦିକାମାନେ ନିଜର ବୃତ୍ତିଗତ ଅତ୍ୟାଚାରର ଅଭିଜ୍ଞତାକୁ ନେଇ ବହି ଖଣ୍ଡିଏ ଲେଖାଏଁ ଲେଖନ୍ତେ କି !!! ଅନେକ ୱାଚଡଗଙ୍କର ମୁଖାରୁ ଡଗ୍ ଚାଲିଯାଇ ଶାର୍ଦ୍ଦୁଳ ମୁଖା ଖୋଲିଯିବ। ସବୁ ସମ୍ବାଦ ସଂସ୍ଥା ଏଭଳି ନୁହେଁ । ଅଳ୍ପ କିଛି ସଂସ୍ଥାରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି । ତେବେ ଅସୁରକ୍ଷିତ ସଂସ୍ଥା ଗୁଡିକରେ ପ୍ରଥମେ ଠିକ ସମୟରେ ଦରମା ଦିଆଯାଏ ନାହିଁ । ଏଭଳି କରାଯିବାର ଉଦ୍ଦେଶ୍ୟ ହେଲା – ସାମ୍ବାଦିକା ଦରମା ପାଇବାକୁ ଥରେଦୁଇଥର ମାଲିକଙ୍କ ନିକଟକୁ ଆସୁ । ଆଉକିଛି ସଂସ୍ଥାରେ ତିନିଚାରିମାସ ଧରି ଦରମା ଦିଆଯିବନାହିଁ । ତାପରେ ସାମ୍ବାଦିକା ଦିନେ ଆସିବା ବନ୍ଦ କରିଦେବ । ପୁରାପୁରି ଦାଦନ ଶ୍ରମିକଭଳି କାମ କରେଇନେବେ । ବିନା ଦରମାରେ ତଡିଦେବାଭଳି ଅବସ୍ଥା ସୃଷ୍ଟି କରିଦିଆଯିବ। ତିନିମାସ କାମ ହୋଇଗଲା , ତାହା ପୁଣି ବିନା ପଇସାରେ । ଦରମା ମାଗିଲେ ଉତ୍ତର ଆସେ – ରେଭିନ୍ୟୁ ଆସିନାହିଁ, ଆସିଲେ ଦେବୁ । ଆଉ କିଛି ସଂସ୍ଥାରେ ମାସକୁ ଦଶହଜାର ଦେବାର ପ୍ରତିଶ୍ରୁତି ଥାଏ କିନ୍ତୁ ମାସ ଶେଷରେ ” ଦୁଇହଜାର ନେଇଥାଅ , ପଇସା ମିଳିଲେ ଦେଇଦେବୁ ” ।
ଏହିପରି ଦୁଇତିନିମାସ କାମ କରିବାପରେ ଆଉ ତଡିବା ଆବଶ୍ୟକ ପଡେନାହିଁ । ବିଚାରୀ ସାମ୍ବାଦିକା ବକେୟା ଦରମା ମିଳିବାର ନିଷ୍ଫଳ ଆଶାନେଇ ମନକୁମନ ଘରେ ରହିଯାଏ। ବିରାଟ ରାଜାଙ୍କ ପ୍ରାସାଦରେ ସୈରିନ୍ଧ୍ରୀ ନିରାପଦ ଥିବାଭଳି ମନେହେଉଥିଲେ ବି କିଚକ ଯନ୍ତା ବସାଇ ଜଗିରହିଥାଏ । ଏହିପରି ସାମ୍ବାଦିକାମାନଙ୍କୁ ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ଏବେ ଦେଖିବା ସାମ୍ବାଦିକାର ସୁରକ୍ଷା କଥା । ଜଣେ ସାମ୍ବାଦିକା ନିଜ କର୍ମ କ୍ଷେତ୍ରରେ ମାନସିକ ଅତ୍ୟାଚାରର ଶିକାର ହେଲେ ସେ ଖବର କେବେବି ବାହାରକୁ ଆସେ ନାହିଁ । ଯଦି ଦୈବାତ ସେ ଖବର ବାହାରକୁ ଆସିଲା ପୁରୁଷମାନେ ଘେରିଯାଇ ମହିଳାଟିର ଚରିତ୍ର ହନନ କରିବାରେ ଲାଗି ପଡନ୍ତି । ବିଚାରୀ ନିଜର ଇଜ୍ଜତ ବଞ୍ଚେଇ କର୍ମସ୍ଥଳୀ ତ୍ୟାଗକରେ । ଏଠାରେ ଅପରାଧଟା ହେଲା – ସେ ଜଣେ ମହିଳା । ମିଛସାକ୍ଷୀ ଯୋଗାଡକରି ପରିସ୍ଥିତିକୁ ଏପରି ଗୋଳିଆ କରିଦିଆଯାଏ ଯେ ନିଜପାଇଁ ନିଜେ ସଫେଇ ଦେବାର ଯୁ ନଥାଏ। କର୍ମକ୍ଷେତ୍ରର ସ୍ଥିତି କିଭଳି ଥାଏ ତାହା ଲୋକ ଲୋଚନକୁ ମଧ୍ୟ ଆଣି ପାରନ୍ତିନାହିଁ । ସେ ଅନ୍ୟମାନଙ୍କର ଖବର ଦୁନିଆକୁ ଜଣାଇବ କେବଳ ନିଜ ଖବରକୁ ଛାଡି | ତାଙ୍କ ଧର୍ଯ୍ୟର ପରୀକ୍ଷା ସମସ୍ତେ ନେବେ ହେଲେ ସେ କେବେବି ଅଧୈର୍ଯ୍ୟ ହେଲାଭଳି କୌଣସି କାର୍ଯ୍ୟ କରିପାରିବେନି | ଅନେକ ସମୟରେ ସେ ନିନ୍ଦା ସହିବେ ହେଲେ ସେ କେବେବି ନିଜ ମୁହଁ ଖୋଲି ପ୍ରତିବାଦ କରି ପାରିବେନି କାରଣ ସେ ଜଣେ ମହିଳା ତାଙ୍କର ସହିବାର ଶକ୍ତି ଅଧିକ କହିବାର ଶକ୍ତି କମ | ସେ ଅନ୍ୟ ବିଷୟରେ ଲମ୍ବା ଲମ୍ବା କାହାଣୀ ଲେଖିଦେବେ ହେଲେ ନିଜ ବିଷୟରେ ଗୋଟେ ଛୋଟ କାହାଣୀ ମଧ୍ୟ ଲେଖି ପାରିବେନି |
ତେବେ ଏକଥା କାହାକୁ କହିବା କିଏ ସେ ଶୁଣିବ | ଯଦି ମହିଳାଙ୍କ ସୁରକ୍ଷା କଥା ଉଠୁଛି ତେବେ ମହିଳା ସାମ୍ବାଦିକା ମାନଙ୍କୁ ଥରେ ପଚାରିଦେବା ଉଚିତ ଯେ, ସେମାନେ ନିଜ କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ତ ! ରାତି ବାରଟା ପରେ ନିଜର ଡ୍ୟୁଟି ସରୁନାହିଁ ତ ! ଯଦି ସେମାନେ ନିଜେ ସୁରକ୍ଷିତ ନୁହଁନ୍ତି ତାହାଲେ କିପରି ଅନ୍ୟ ମହିଳାଙ୍କ ଭାବନାକୁ ଲେଖିପାରୁଛନ୍ତି !! ଆଉ ସେହି ପ୍ରଶ୍ନ ଗୁଡିକ ଭିତରେ ଅନେକ ଉତ୍ତର ଲୁଚି ରହିଥାଏ ଯେଉଁ ଉତ୍ତର ପାଇ ମନ ମଧ୍ୟ ମନକୁ କହିଦିଏ ଏତେ ପ୍ରଶ୍ନର ଉତ୍ତର ନାହିଁ |
ଏଭଳି ଅତ୍ୟାଚାର ସହିବା ଜଣେ ସାମ୍ବାଦିକା ପାଇଁ ବହୁତ କଷ୍ଟକର ହୋଇଥାଏ | ଯେପରିକି ବିନା କାରଣରେ ୱାଚଡଗ୍ ମଧ୍ୟରୁ କିଛି ଡଗଙ୍କର ଭୋକିବା ଅଭ୍ୟାସ ଅଛି । ଏମାନଙ୍କୁ ଦେଖୁ ଦେଖୁ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଗଲାଭଳି ଲାଗିଥାଏ । ବେଳେବେଳେ ମାନସିକ ଅତ୍ୟାଚାରର ସୀମା ଟପିଯାଇଥାଏ । ସାମ୍ବାଦିକତା କ୍ଷେତ୍ରରେ ଆଜିବି ଅନେକ ନାରୀ କିଛି ହିଂସ୍ର ଜନ୍ତୁଙ୍କ ଠାରୁ ଆହୁରି ଭୟଙ୍କର ଲୋକଙ୍କ ସାମ୍ନା ପ୍ରତ୍ୟେକ ଦିନ କରୁଛନ୍ତି | କେତେକ ସମ୍ବାଦ ସଂସ୍ଥାର ଏହି ହିଂସ୍ରଜନ୍ତୁ ସଦୃଶ ସାମ୍ବାଦିକ ମାନେ କାହାର ଜୀବନ ନେବେନି ସତ କିନ୍ତୁ ବଞ୍ଚିବାକୁ ବି ଦେବେନି । ପ୍ରଭୂତ୍ବ ଜାହିର ପାଇଁ ଏମାନେ କିଛିବି କରିପାରନ୍ତି | ଏମାନେ କେବେ କାହାକୁ ହସେଇ ପାରିବେନି କିନ୍ତୁ ପ୍ରତ୍ୟେକ ଦିନ ନିଜ କର୍ମକ୍ଷେତ୍ରକୁ ଯାଉଥିବା ସାମ୍ବାଦିକାକୁ ସେହି ଡେସ୍କ ଉପରେ କିପରି କନ୍ଦେଇବେ ତାହାର ଷଡଯନ୍ତ୍ର ନିହାତି କରିଥିବେ କାରଣ ଏମାନଙ୍କ ମଧ୍ୟରେ କିଛି ପୁରୁଷ ଆଉ କିଛି ମହିଳା ଥାଆନ୍ତି | ଯେଉଁମାନେ କି ମିଳିତ ଭାବରେ ଅନ୍ୟର କାମକୁ ଜଗିକି ବସିଥାଆନ୍ତି | ଏମାନଙ୍କ କାମକୁ କେହି ଜଗିବେନି କିନ୍ତୁ ଏମାନେ ଅନ୍ୟର କାମକୁ ଜଗିକି ବସିଥିବେ | ସତ କହିବାକୁ ଗଲେ ଆଜିର ଦିନରେ ଜଣେ ମହିଳା ହିଁ ଆଉ ଜଣେ ମହିଳାର ଶତ୍ରୁ ହୋଇଥାଏ କିନ୍ତୁ ସବୁ ମହିଳା ସମାନ ନଥାନ୍ତି | କି ସବୁ ମହିଳା ଅନ୍ୟ ମହିଳା ମାନଙ୍କୁ କର୍ମସ୍ଥଳରେ କେମିତି ହଇରାଣ କରିବେ ତାହାର ଷଡଯନ୍ତ୍ର କରିନଥାଆନ୍ତି କି ସେହି ଷଡଯନ୍ତ୍ରକାରୀ କିଛି ମହିଳା ଓ କିଛି ପୁରୁଷଙ୍କ ସହ ସାମିଲ ହୋଇନଥାନ୍ତି କିନ୍ତୁ କିଛି ଗୋଡ଼ଟଣା ସାମ୍ବାଦିକ ଆଉ କିଛି ଗୋଡ଼ଟଣା ସାମ୍ବାଦିକା ମାନେ ଭୁଲ ନଥିଲେବି କମା କିମ୍ବା ପୂର୍ଣ୍ନଚ୍ଛେଦଟିଏକୁ ନେଇ କନ୍ଦେଇ ଦେଇଥାଆନ୍ତି । ଆଉ ସତ ଜଣା ପଡିଲେ ଅନ୍ୟକୁ ବୁଝେଇ ଦେଇ ନିଜକୁ ସାଧୁ ବୋଲି କହିଦେଇଥାଆନ୍ତି |
ତେବେ ଯେଉଁ ମହିଳା ସାମ୍ବାଦିକାମାନେ ପ୍ରତିଦିନ ନିଜ କର୍ମକ୍ଷେତ୍ରକୁ ଧାଇଁ ଆସି ନିଷ୍ଠାରସହ କାର୍ଯ୍ୟ କରୁଛନ୍ତି ସେମାନଙ୍କ କର୍ମକୁ ସମ୍ମାନ ଜଣାନ୍ତୁ | ସବୁ ସମ୍ବାଦସଂସ୍ଥା ଏକାପରି ନୁହଁନ୍ତି । କାହାର ଯଦି କିଛି ଲେଖାରେ କିଛି ପୁରୁଷ ବନ୍ଧୁମାନେ ଏବଂ କିଛି ମହିଳା ବନ୍ଧୁମାନେ ଭୁଲ ଦେଖୁଛନ୍ତି ତାକୁ ସଂଶୋଧନ କରିଦିଅନ୍ତୁ କିନ୍ତୁ ତାଙ୍କ ଲେଖାକୁ ବଦଳାଇ ତାଙ୍କୁ ଅପମାନିତ କରନ୍ତୁନି ।ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି ପୁରୁଷ ଓ ମହିଳା | ପୁଅଙ୍କୁ ଯେତିକି ସ୍ୱାଧୀନତା ମିଳିଛି ଝିଅଙ୍କୁ ମଧ୍ୟ ସେତିକି ସ୍ୱାଧୀନତା ମିଳିଛି | ହେଲେ ଏହି ସାମ୍ବାଦିକତା କ୍ଷେତ୍ରରେ ଝିଅଙ୍କ ସ୍ୱାଧୀନତାରୁ କିଛି ଅଂଶ କିଛି ମହିଳା ଓ କିଛି ପୁରୁଷ ଛଡାଇ ନେଉଛନ୍ତି । ଏହାର ପ୍ରମୁଖ କାରଣ ହେଉଛି ଇର୍ଷାଭାବ | ଜଣେ ଉପରକୁ ଉଠିଲେ ଆଉ ଜଣେ ଗୋଡ଼ ଟାଣିବାକୁ ଅନେଇ ରହିବା ଏକ ସାମାଜିକ ଅପରାଧ । ସେଥିପାଇଁ ସାମ୍ବାଦିକତା କ୍ଷେତ୍ରରେ କିଛି ମହିଳା ବେଶି ଅତ୍ୟାଚାରୀତ ହେଉଛନ୍ତି | ଶେଷ କଥା ତ ନୁହେଁ , କଥା ଶେଷରେ ଏତିକି କହିବି ଯେ, ସାମ୍ବାଦିକତା ବୃତ୍ତିରେ ଥିବା ମହିଳାମାନେ ଗୋପନୀୟ ଭାବେ ସଙ୍ଗଠନଟିଏ କରନ୍ତୁ ଆଉ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଲିପିବଦ୍ଧକରି ରଖନ୍ତୁ । ଗୋପନୀୟତା ରକ୍ଷା ଏଥିପାଇଁ ଜରୁରୀ ଯେ – ବୋମାଟିଏ ଗୋପନୀୟ ଭାବରେ ତିଆରି ହୁଏ ଫୁଟିଲେ ସମସ୍ତେ ଜାଣିବେ । ଠିକ ସେହିପରି ଗୋପନୀୟ ଭାବେ ସଙ୍ଗଠନଟିଏ କଲେ ହୁଏତ ପ୍ରତ୍ୟେକ ମହିଳା ସାମ୍ବାଦିକତା କ୍ଷେତ୍ରରେ ସୁରକ୍ଷିତ ଭାବରେ କାମ କରିପାରିବେ କାରଣ ନାଲି ଆଖି ଦେଖାଉଥିବା ଲୋକଙ୍କର ଆଖିରେ କେବଳ ଭୟ ରହିବ ଆଉ ସର୍ଚୋଟ ଭାବରେ କାମ କରୁଥିବା ସାମ୍ବାଦିକାଙ୍କୁ ତାଙ୍କର ପ୍ରକୃତ ସ୍ଥାନ ମିଳିଯିବ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ


