ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଏବିଭିପି ର ବିକ୍ଷୋଭ
ବାଲେଶ୍ୱର: ଭୁବନେଶ୍ୱରର ଏକ ସପିଂ ମଲ୍ରେ ବେଆଇନ୍ ପାର୍କିଂ ଫି ଆଦାୟକୁ ଲାଇଭ୍ କରିବାକୁ ଯାଇଥିବା ମହିଳା ସାମ୍ବାଦିକ ସ୍ନାତି ଜେନାଙ୍କ ଉପରେ ମଲ୍ କର୍ମଚାରୀଙ୍କ ଆକ୍ରମଣକୁ ନିନ୍ଦା କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) । ପୂର୍ବରୁ ମଧ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣ ହେବା କଥା ନଜରକୁ ଆସିଛି । ବିଏମସିର କଡା ନିର୍ଦ୍ଦେଶ ସତ୍ତେ୍ୱ ବେଆଇନ ଭାବରେ ମନଇଚ୍ଛା ପାର୍କିଂ ଫି ଆଦାୟ ହେଉଛି । ଲୋକଙ୍କ ହିତରେ ନିର୍ଭିକ ଖବର ପ୍ରସାରଣ ପାଇଁ ସାମ୍ବାଦିକ ଆଗେଇ ଆସିଥିଲା ବେଳେ ତାଙ୍କୁ ହୋଇଛି ମାରାତ୍ମକ ଆକ୍ରମଣ । ମଲ୍ ରେ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ସିକ୍ୟୁରିଟି ଗାର୍ଡ ସାମ୍ବାଦିକଙ୍କ କ୍ୟାମେରା, ବୁମ୍ ଆଦି ଛଡାଇନେବା ସହ ଗୋଇଠା ମାରିଥିଲେ । କେବଳ ଏହି ଘଟଣା ନୁହେଁ ଆଜି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ସାମ୍ବାଦିକମାନେ ବିପଦ ଘେରରେ । ଏବିଭିପି ଏହି ଘଟଣାକୁ ତିବ୍ର ନିନ୍ଦା କରିବା ସହ ଯଥାଶୀଘ୍ର ଦୋଷୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛି । ଏହି ବିକ୍ଷୋଭ ନଗର ସମ୍ପାଦକ ରୋହିତ କୁମାର ପାଢିଙ୍କ ନେତୃତ୍ୱରେ ହୋଇଥିବା ବେଳେ ଜିଲ୍ଲା ସଂଯୋଜକ ରଜତ କୁମାର ପାତ୍ର, ବ୍ଲକ ସଂଯୋଜକ ସାଇ ପ୍ରିତମ ସେନାପତି, ମିଡିଆ ସଂଯୋଜକ ଅସିମ୍ ରଞ୍ଜନ ଖୁଣ୍ଟିଆ, ମହେନ୍ଦ୍ର ପ୍ରତାପ ଜେନା, ପ୍ରଭାତ ରଞ୍ଜନ ପରିଡା, ଜ୍ୟୋତି ଶଙ୍କର ସାହୁ, ସୁବ୍ରତ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।