ସାମ୍ବାଦିକ ସ୍ୱର୍ଗତ ତାରିଣୀ ଚନ୍ଦ୍ର ପାଢୀଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କଲେ କନ୍ଧମାଳ ଜିଲାପାଳ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଆ ଖବର କାଗଜ ‘ପ୍ରମେୟ’ର କନ୍ଧମାଳ ଜିଲା ପ୍ରତିନିଧି ସ୍ବର୍ଗତ ତାରିଣୀଚନ୍ଦ୍ର ପାଢ଼ୀଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଲକ୍ଷ ଟଙ୍କା ସହାୟତା ରାଶି କନ୍ଧମାଳ ଜିଲାପାଳ ତାଙ୍କ ପତ୍ନୀଙ୍କୁ ପ୍ରଦାନ କରିଛନ୍ତି। କୋଭିଡ୍-୧୯ ଭଳି ମହାମାରୀ ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲାଗାଇ ସମ୍ବାଦ ସଂଗ୍ରହ ଏବଂ ପ୍ରସାରଣରେ ନିଜକୁ ନିୟୋଜିତ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପୂର୍ବରୁ କୋଭିଡ୍‌ରେ ସଂକ୍ରମିମତ ହୋଇ କୌଣସି ସାମ୍ବାଦିକ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷିରେ ରାଜ୍ୟ ସରକାର ଗତ ନଭେମ୍ବର ୧୧ରେ ସ୍ବର୍ଗତ ତାରିଣୀ ଚନ୍ଦ୍ର ପାଢ଼ୀଙ୍କ ପରିବାର ପାଇଁ ୧୫ଲକ୍ଷ ଟଙ୍କା ସହାୟତା ରାଶି ମଞ୍ଜୁର କରିଥିଲେ।ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ,ସ୍ୱର୍ଗତ ତାରିଣୀ ଚନ୍ଦ୍ର ପାଢ଼ୀଙ୍କ ପତ୍ନୀ ସବିତା ପାଢ଼ୀ ଏହି ସହାୟତା ରାଶି ପାଇବା ପାଇଁ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ଆବେଦନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅର୍ଥ ରାଶିକୁ କନ୍ଧମାଳ ଜିଲାପାଳଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଥିଲା। ଆଜି କନ୍ଧମାଳ ଜିଲାପାଳ ଡା. ବୃନ୍ଦା ଡି. ସେହି ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶିକୁ ଚେକ୍ ମାଧ୍ୟମରେ ସ୍ବର୍ଗତ ତାରିଣୀ ଚନ୍ଦ୍ର ପାଢ଼ୀଙ୍କ ପତ୍ନୀ ସବିତା ପାଢ଼ୀଙ୍କୁ ପ୍ରଦାନ କରିଛନ୍ତି। ଏହି ଚେକ୍ ଗ୍ରହଣ ବେଳେ ସ୍ୱର୍ଗତ ପାଢୀଙ୍କ ସ୍ତ୍ରୀ ସମେତ ୨ ଝିଅ ଓ ତାଙ୍କ ସାନଭାଇ ମଧ୍ୟ ଉପସ୍ଥିତ ଥିଲେ। ଚେକ୍ ଗ୍ରହଣ ପରେ ସବିତା ପାଢୀ ଜିଲା ପ୍ରେସ୍ କ୍ଳବ ସମେତ କନ୍ଧମାଳ ଜିଲାର ସମସ୍ତ ସାମ୍ବାଦିକ, ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଥିଲେ।ସୂଚନା ଯୋଗ୍ୟ ଯେ ରାଜ୍ୟରେ କରୋନା ଯୁଦ୍ଧରେ ହାରିଯାଇଥିଲେ ସାମ୍ବାଦିକ ତାରିଣୀ ଚନ୍ଦ୍ର ପାଢୀ। ସେପ୍ଟେମ୍ବର ୨୯ ତାରିଖ ସକାଳ ୭ ଘଟିକା ସମୟରେ ଭୁବନଶ୍ୱେର କିମ୍‌ସ କୋଭିଡ କେୟାର ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ପ୍ରଥମେ ହୋଇଥିବା କରୋନା ପରୀକ୍ଷାରେ ସେ ନେଗେଟିଭ୍ ଥିଲେ ପରବର୍ତ୍ତି ସମୟରେ ତାଙ୍କର ଜ୍ୱର, କାଶ ଭଳି ବିଭିନ୍ନ ଅସୁସ୍ଥତା ଦେଖାଯାଇଥିଲା। ହୋମ୍ ଆଇସୋଲେସନରେ ରହି ସେ ଔଷଧ ଖାଉଥିଲେ ମଧ୍ୟ ସେପ୍ଟେମ୍ବର ୨୪ ତାରିଖରେ ସେ ଗରୁତ୍ୱର ହୋଇ ପଡିଥିଲେ। କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତରେ ତାଙ୍କୁ ଫୁଲବାଣୀ କୋଭିଡ଼୍ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୁନଃ ପରୀକ୍ଷା ପରେ ସେ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିଲେ।। କରୋନା ଚିକିତ୍ସା ପରେ ପ୍ରଥମେ ସେ କିଛିଟା ସୁସ୍ଥ ଅନୁଭବ କରିଥିଲେ। କିନ୍ତୁ ପରବର୍ତ୍ତି ସମୟରେ ଗୁରୁତର ହୋଇପଡିଥିଲେ। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଦ୍ୱାରା ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ୱର କିମ୍‌ସ ହସପିଟାଲକୁ ନିଆଯାଇଥିଲା। କିମ୍‌ସ ହସ୍‌ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ସେପ୍ଟେମ୍ବର ୨୯ରେ ତରିଣୀ ଚନ୍ଦ୍ର ପାଢ଼ୀଙ୍କ ପରଲୋକ ହୋଇଥିଲା।ସ୍ୱର୍ଗତ ତାରିଣୀ ଚନ୍ଦ୍ର ପାଢୀଙ୍କ ନିଜ ଘର ନବରଙ୍ଗପୁର ଅଞ୍ଚଳରେ। ଶ୍ରୀ ପାଢୀ ଗତ ପ୍ରାୟ ଦେଢ ବର୍ଷ ହେଲା କନ୍ଧମାଳ ଜିଲାରେ ‘ପ୍ରମେୟ’ର ଜିଲା ପ୍ରତିନିଧି ଭାବରେ କାର୍ଯ୍ୟ କରି ଆସୁଥିଲେ। ସେ ପେଷାରେ ଜଣେ ସାମ୍ବାଦିକ ହୋଇଥିଲେ ହେଁ କବିତା, ସଙ୍ଗୀତ ଓ ଚିତ୍ର ଆଦି କଳାରେ ତାଙ୍କର ବିଶେଷ ରୁଚି ରଖିଥିଲେ । ସେ ଜଣେ ମେଳାପି ଓ ମିଷ୍ଟଭାଷୀ ହୋଇଥିବାବେଳେ କନ୍ଧମାଳ ଜିଲାରେ ସମାଜସେବୀ ବ୍ୟକ୍ତି ଭାବରେ ସୁପରିଚିତ ହୋଇ ପାରିଥିଲେ। ବର୍ତ୍ତମାନ ତାଙ୍କର ସ୍ତ୍ରୀ ଏବଂ ଦୁଇ ଝିଅ ଅଛନ୍ତି। ପୂର୍ବରୁ ତାଙ୍କର ପରିବାର ବାଲେଶ୍ୱରରେ ଥିଲେ। ଲକ୍ଡ଼ାଉନ୍ ଯୋଗୁଁ ସମସ୍ତ ପରିବାର ଫୁଲବାଣୀରେ ଭଡ଼ାଘରେ ରହୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ