ସାମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସାମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା ପାଇଁ ଏବଂ ତାହାର ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ଆଗାମୀ ଦିନରେ ସାମ୍ଭାବ୍ୟ ଝଡବାତ୍ୟା ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଏହି ପ୍ରସ୍ତୁତି ବୈଠକ କରାଯାଇଛି । ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଜିଲ୍ଲାପାଳ ଅନୁପମ ସାହା ପ୍ରମୁଖ ଉପସ୍ଥିତଥିଲେ । ପ୍ରଥମେ ଭାରତୀୟ ପାଣିପାଗ ବିଭାଗର ସମସ୍ତ ସୂଚନାକୁନେଇ ସମସ୍ତଙ୍କୁ ଅବଗତ କରାଯାଇଥିଲା । ସମସ୍ତ ବିଭାଗୀୟ ଅଧିକାରୀ ଯଥା ଜଳସେଚନ, ରାଜସ୍ୱ, ପଞ୍ଚାୟତରାଜ, ବିଦ୍ୟୁତ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଯୋଗାଣ ବିଭାଗ ଇତ୍ୟାଦି ବିଭାଗକୁ ସମସ୍ତ ଉପକରଣ ଓ ମାନବ ସମ୍ବଳ ସହିତ ପ୍ରସ୍ତୁତ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସମସ୍ତ ବିଭାଗର ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଡାକବାଜି ଯନ୍ତ୍ର ଜରିଆରେ ସତର୍କ ସୂଚନା ପ୍ରକାଶ କରିବା ସହ ବିପଦ ସଙ୍କୁଳ ସ୍ଥାନରେଥିବା ସମସ୍ତ ଜନସାଧାରଣଙ୍କୁ ସୁରକ୍ଷିତ ଜାଗାରେ ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।