ସାରସ୍ୱତ ପ୍ରତିଭାଧାରୀଙ୍କୁ ଗଣକବି ସ୍ମୃତି ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ଗୀତିନାଟ୍ୟ ପରମ୍ପରା, ଯାତ୍ରା, ଗୀତିନାଟ୍ୟ, ନିଶା ନିବାରଣ ତଥା ସମାଜରେ ଦେଖା ଦେଉଥିବା ବିଭିନ୍ନ ପ୍ରକାର କୁସଂସ୍କାର ତଥା ଇଂରେଜ ଶାସନର ଅତ୍ୟାଚାର ବିରୋଧରେ ନିଜ ଅଭିଯାନ ଜାରି ରଖି କଳା, ଓଡ଼ିଆ ସାହିତ୍ୟ ରଚନା ଦ୍ୱାରା ସମାଜରେ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିଥିଲେ ଗୀତିନାଟ୍ୟ ଓ ଲୋକନାଟ୍ୟ ଆନ୍ଦୋଳନର ଭୀଷ୍ମ ପିତାମହତୁଲ୍ୟ ଗଣକବି ବୈଷ୍ଣବ ପାଣି । ୧୩୯ତମ ଜୟନ୍ତୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଜୟ ଓଡ଼ିଶା ପ୍ରମୁଖ ସଂଗଠନ ପକ୍ଷରୁ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନା ଓ ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଗଣକବିଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସ୍ମୃତିଚାରଣ ଓ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଗଣକବି ଜଣେ ନିଷ୍ଠାପର ବ୍ୟକ୍ତିତ୍ୱ ହେବା ସହିତ ନିଶା ନିବାରଣ, କୁସଂସ୍କାର ବିରୋଧରେ ସ୍ୱର ଉତ୍ତୋଳନ କରିବା ତଥା ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟକୁ ସମୃଦ୍ଧ କରିବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ବିଭାଗୀୟ ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳେଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଗୀତିନାଟ୍ୟ ପରମ୍ପରାକୁ ଘରେଘରେ ପରିଚିତ କରାଇବା ସହିତ ବିଭିନ୍ନ ଗ୍ରନ୍ଥ ଆହରଣ ଓ ରଚନା କରିବା ଏକ ଉଲ୍ଲେଖନୀୟ କୃତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ କବି ନାରାୟଣ ମୁଦୁଲି, ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ, ସଙ୍ଗୀତଜ୍ଞ ବଶିଷ୍ଠ ନାୟକ, ସ୍ୱାସ୍ଥ୍ୟକର୍ମୀ ସୁଭାଷ ଚନ୍ଦ୍ର ସାହୁ, ଗ୍ରନ୍ଥାଗାରିକ ରୁଦ୍ର ପ୍ରସାଦ ବେହେରାଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ତଥା ସାରସ୍ୱତ ପ୍ରତିଭାଙ୍କୁ ଗଣକବି ବୈଷ୍ଣବ ପାଣି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉକ୍ତ ସ୍ମୃତିଚାରଣ ସଭାରେ ଶାସକ ଦଳର ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପ୍ରବୀର ମହାନ୍ତି, ଅଧ୍ୟାପକ ରମେଶଚନ୍ଦ୍ର ପାତାଳସିଂହ, ବି. ମୂରଲୀଧର, ପୂର୍ବତନ କର୍ପୋରେଟର ନରେନ୍ ସାହୁ, ଉତ୍କଳ ସମ୍ମିଳନୀର ଦିଲ୍ଲୀପ ଦାଶଶର୍ମା, ରୋହିତ କୁମାର, ସତ୍ୟବ୍ରତ ଜେନା ଯୋଗଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଭିକାରୀ ଚରଣ ସାହୁ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ