ସାରସ୍ୱତ ପ୍ରତିଭାଧାରୀଙ୍କୁ ସୀମାନ୍ତ ପ୍ରହରୀ ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ନାଗରିକ ମହାମଞ୍ଚ ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ବିଚ୍ଛିନ୍ନାଞ୍ଚଳ ଦିବସ ପାଳନ ସହିତ ଅଖଣ୍ଡ ଓଡ଼ିଶା ଗଠନର ରଣହୁଙ୍କାର ପ୍ରଦାନ ସହ ବିଚ୍ଛିନ୍ନାଞ୍ଚଳକୁ ପୁନର୍ବାର ଓଡ଼ିଶାରେ ସାମିଲ କରିବାପାଇଁ ଏକ ବ୍ୟାପକ ଜନଆନ୍ଦୋଳନ ଆବଶ୍ୟକ ବୋଲି ମତବ୍ୟକ୍ତ କରାଯିବା ସହ ସୀମାନ୍ତ ପ୍ରହରୀ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯିବା ସହ ବରିଷ୍ଠ ସାମ୍ବାଦିକ ତଥା ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନା ଓ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ସମ୍ବାଦ’ ସମ୍ପାଦକ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଜ୍ଞାଦୀପ୍ତ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ବର୍ଷିଆନ୍ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, ପୂର୍ବତନ ଜିଲ୍ଲାପାଳ ତଥା କୋଟିଆ ଆନ୍ଦୋଳନର ଆବାହକ ଗଦାଧର ପରିଡ଼ା, ସାରସ୍ୱତ ପ୍ରତିଭା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ବିଚ୍ଛିନ୍ନାଞ୍ଚଳରେ ସମଗ୍ର ଓଡ଼ିଆମାନେ ଏକାଠି ହେବା ସହିତ ସରକାରଙ୍କ ଉପରେ ଚାପ ପକାଇ ପାରିଲେ ପୁନର୍ବାର ଆମେ ଆମର ସୀମା ଅଞ୍ଚଳ ଫେରି ପାଇବା ବୋଲି ମତବ୍ୟକ୍ତ କରାଯାଇଥିଲା । ଶ୍ରୀଯୁକ୍ତ ଶତପଥୀ ଓ ମୁଖ୍ୟଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ମତବ୍ୟକ୍ତ କରି କହିଲେ ଯେ, ସରକାରଙ୍କ ଉପରେ ବ୍ୟାପକ ଚାପ ପକାଇବା ସହିତ ଆମ ମାତୃଭାଷାର ପ୍ରଚାର ପ୍ରସାର ତଥା ଜଣେଜଣେ ସ୍ୱେଚ୍ଛାସେବୀ ସଂଗଠକ ଉକ୍ତ ଅଞ୍ଚଳରେ ନିଯୁକ୍ତି ହୋଇ ନିଷ୍ଠାପର ଓ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିଲେ ନିଶ୍ଚିତ ଭାବେ ଆମେ ଆମର ପୂର୍ବ ଗୌରବ ଓ ସଫଳତା ଫେରି ପାଇପାରିବା, ସୁପ୍ତ ଓଡ଼ିଆଙ୍କୁ ଜାଗ୍ରତ କରାଇବା ପାଇଁ ଦୁର୍ବାର ଆନ୍ଦୋଳନ ଆବଶ୍ୟକ ସହ ମା’, ମାଟି, ମାତୃଭାଷା ପାଇଁ ସମର୍ପଣ ଭାବ ଏକାନ୍ତ ଜରୁରୀ । ମେଦିନପୁର, ଖରସୁଆଁ, ଚାଇଁବସା, ଚକ୍ରଧରପୁର ପ୍ରମୁଖ ଅଞ୍ଚଳରେ ବ୍ୟାପକ ଭାବେ ମାତୃଭାଷାର ପ୍ରଚାର ପ୍ରସାର ପାଇଁ ଅଙ୍ଗୀକାରବଦ୍ଧତା ସମସ୍ତଙ୍କର ରହିବା ଆବଶ୍ୟକ । ଏହି ଅବସରରେ ଛତିଶଗଡ଼, ପଶ୍ଚିମବଙ୍ଗ ତଥା ସୀମାନ୍ତ ଅଞ୍ଚଳରୁ ଆସିଥିବା ସାରସ୍ୱତ ପ୍ରତିଭାଧାରୀ କ୍ଷମାସାଗର ଭୋଇ, ଗଦାଧର ପରିଡ଼ା, ବିଜୟ ପରିଡ଼ା, ଅଶୋକ ଦାସ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପର୍ଶୁରାମ ଦ୍ୱିବେଦୀ, ସୀତାବଲ୍ଲଭ ମହାପାତ୍ର, ଗଦାଧର ସ୍ୱାଇଁ, ସୁମତୀ ପ୍ରଧାନ, ଜୟଶଙ୍କର ଭୋଇ, ଜଗଦୀଶ ବକ୍ସିପାତ୍ର, ଦୟାନନ୍ଦ ଖାଡ଼ଙ୍ଗା, ନିହାହର ରଞ୍ଜନ ପଲେଇ, ବି. ମୁରଲୀଧରଙ୍କୁ ‘ସୀମାନ୍ତ ପ୍ରହରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭୃଗୁ ବକ୍ସିପାତ୍ର, ଅଶୋକ ଦଳସିଂହରାୟଙ୍କ ସହିତ ବହୁ ସାରସ୍ୱତ ପ୍ରତିଭା ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରମୁଖ ପରିଚାଳନା ସଂଯୋଜକ ନାରାୟଣ ଓଝା, ସମିତା ମହାନ୍ତି, ରୋହିତ କୁମାର, ସୀତାଂଶୁ ଶେଖର ମହାରଣା, ରାଜ୍ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବିଜୟ ପରିଡ଼ା ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।