ସାର୍ ନୁହେଁ, ରାହୁଲ୍ ସମ୍ବୋଧନ କର କଂଗ୍ରେସ ଆସିଲେ ୩୩% ମହିଳାଙ୍କୁ ସରକାରୀ ଚାକିରି
ନୂଆଦିଲ୍ଲୀ (ଏଜେନ୍ସି): ମହିଳା ସଂରକ୍ଷଣ ପ୍ରସଙ୍ଗରେ ଦେଶବ୍ୟାପୀ ଆଲୋଚନା ଜାରି ରହିଥିବାବେଳେ ବିଭିନ୍ନ ରାଜନୈତିକ ଦଳ ମହିଳା କାର୍ଡ ଖେଳିବାରେ ବ୍ୟସ୍ତ ରହିଛନ୍ତି । କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧୀ ବୁଧବାର କହିଛନ୍ତି, କଂଗ୍ରେସ ସରକାର ଆସିଲେ ମହିଳା ସଂରକ୍ଷଣ ବିଲ୍କୁ ଲୋକସଭାରେ ପାରିତ କରାଯିବା ସହ ୩୩% ମହିଳାଙ୍କୁ ସରକାରୀ ଚାକିରି ଯୋଗାଇ ଦିଆଯିବ । ଚେନ୍ନାଇସ୍ଥିତ ଷ୍ଟେଲାମାରିସ୍ କଲେଜ୍ରେ ଛାତ୍ରୀଙ୍କ ସହ ଆଲୋଚନା ବେଳେ ରାହୁଲ୍ କହିଛନ୍ତି, କଂଗ୍ରେସ ସରକାର ଆସିଲେ ଜିଏସ୍ଟିକୁ ସରଳୀକରଣ କରାଯିବ ।
ରାହୁଲ ଗାନ୍ଧିଙ୍କୁ ସେଠାରେ ଉପସ୍ଥିତ ଥିବା ଛାତ୍ରୀମାନେ ସାର୍ ସାର୍ ବୋଲି ସମ୍ବୋଧନ କରୁଥିଲେ । ହେଲେ ରାହୁଲ ସେମାନଙ୍କୁ ଏପରି ନକହି ବରଂ ରାହୁଲ ଡାକିଲେ ଭଲ ବୋଲି କହିଛନ୍ତି । ରାହୁଲଙ୍କ ଏଭଳି ବୟାନ ଶୁଣି ଛାତ୍ରୀମାନେ ରାହୁଲଙ୍କ ନାଁରେ ନାରାବାଜି କରିବା ସହ ତାଙ୍କ ପ୍ରଶଂସା କରିଥିଲେ । ଏହାପରେ ଛାତ୍ରୀମାନେ ରାହୁଲଙ୍କୁ ନାଁ ଧରି ସମ୍ବୋଧନ କରିବା ସହ ବିଭିନ୍ନ ପ୍ରଶ୍ନ କରିଥିଲେ । ଛାତ୍ରୀମାନେ ରାହୁଲଙ୍କୁ ବିମୁଦ୍ରୀକରଣ ଠାରୁ ଆରମ୍ଭ କରି ରବର୍ଟ ଭଦ୍ରାଙ୍କ ସମ୍ପର୍କରେ ଏକାଧିକ ପ୍ରଶ୍ନ କରିଥିଲେ । ରାହୁଲ ମଧ୍ୟ ବେଶ୍ ଚତୁରତାର ସହ ଏଗୁଡ଼ିକର ଉତ୍ତର ଦେଇଥିଲେ । ରାହୁଲ କଳା ରଙ୍ଗର ଟି-ସାର୍ଟ ଓ ଜିନ୍ସ ପିନ୍ଧି କଲେଜକୁ ଯାଇଥିଲେ । ସେ ଛାତ୍ରୀମାନଙ୍କ ସହ ସେଲ୍ଫି ମଧ୍ୟ ଉଠାଇଥିଲେ ।


