ସାର ଓ ବିଷର ବେଆଇନ ବିକ୍ରିନେଇ କୃଷକ ସଂଗଠନ ପକ୍ଷରୁ ଅଭିଯୋଗ
ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ସାର ଓ କୀଟନାଶକ ବିଷର ବେଆଇନ ବିକ୍ରୟ ହେଉଥିବା ନବନିର୍ମାଣ କୃଷକ ସଂଗଠନ କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସରକାରଙ୍କ ଦ୍ୱାରା ଅଧିକୃତ ସାର ଓ ବିଷ ବ୍ୟବସାୟୀମାନେ ଦୋକାନ ସାମ୍ନାରେ ଜିନିଷର ମୂଲ୍ୟ ଫଳକ ଲଗାଉନାହାଁନ୍ତି । ଫଳରେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଚାଷୀମାନଙ୍କୁ ଚଢାଦରରେ ସାର ଓ ବିଷ ବିକ୍ରୟ କରୁଛନ୍ତି । ଏହାଛଡା ସାଧାରଣ ବଜାରରେ ରିହାତି ମୂଲ୍ୟରେ ମିଳୁଥିବା କୀଟନାଶକର ଦର ୫୫୦ଟଙ୍କା ଥିବାବେଳେ ଅଧିକୃତ ଦୋକାନୀମାନେ ୮୦୦ଟଙ୍କାରେ ବିକୁଛନ୍ତି । ଚାଷୀ ପ୍ରକୃତ ପକ୍ଷେ ହଜାରେ ଟଙ୍କାର ବିଷ କିଣିଲେ ମାତ୍ର ୨୦୦ଟଙ୍କା ଛାଡ ପାଉଛନ୍ତି । ଏନେଇ ବ୍ଲକ କୃଷି ଅଧିକାରୀଙ୍କୁ ଅଭିଯୋଗ ହେବା ପରେ ଜିଲ୍ଲାସ୍ତରରେ ରିହାତି ମୂଲ୍ୟ ପାଇଁ ଅନୁଦାନ କମ ଆସିଥିବାରୁ ଏଭଳି ହେଉଥିବା କହିଛନ୍ତି ।ପର୍ଯ୍ୟାୟକ୍ରମେ ସମସ୍ତ ଚାଷୀମାନଙ୍କୁ ରିହାତି ମୂଲ୍ୟରେ କୀଟନାଶକ ଦିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ସଂଗଠନର ସଦସ୍ୟମାନେ ତହସିଲଦାରଙ୍କୁ ଭେଟି ଏକବର୍ଷ ତଳେ ବୁଲବୁଲ ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ଚାଷୀମାନଙ୍କୁ କ୍ଷତିପୂରଣ ମିଳିନଥିବା ଜଣାଇଥିଲେ । ଏବାବଦରେ ପ୍ରଶାସନ ଯଦି କୌଣସି ପଦକ୍ଷେପ ନିଅନ୍ତି ନାହିଁ ତେବେ ଆଗାମୀ ଦିନରେ ନବନିର୍ମାଣ କୃଷକ ସଂଗଠନ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଦସ୍ୟ ରବିନ୍ଦ୍ର ପଣ୍ଡା, ପ୍ରଦୀପ ସାମଲ, ବିଜୟ ନାୟକ, ସନ୍ତୋଷ ଭାରତୀ, ଭାସ୍କର ସ୍ୱାଇଁ, ହୃଷିକେଶ ଜେନା, ଉମେଶ ପାତ୍ର, ଦାଶରଥି ପାତ୍ର ପ୍ରମୁଖ ଜଣାଇଛନ୍ତି ।


