ସାହାରା ଇଣ୍ଡିଆ ଜମାକାରୀ ଓ ଏଜେଣ୍ଟମାନେ ଜମାଟଙ୍କା ଫେରିପାଇବା ପାଇଁ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):ସାହାରା ଇଣ୍ଡିଆର ଶହଶହ ଜମାକାରୀ ମହିଳା ଓ ପୁରୁଷ ଏବଂ ଏଜେଣ୍ଟମାନେ ବାଲେଶ୍ୱର ରେଳଷ୍ଟେସନ୍‌ରୁଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ‘ସାହାରା ଇଣ୍ଡିଆ ଜମାକାରୀ ଓ କାର୍ଯ୍ୟକର୍ତ୍ତା ମିଳିତ ମଞ୍ଚ’ ପକ୍ଷରୁ ଜିଲ୍ଲାପାଳ ଆଶୀଷ ଠାକରେଙ୍କ ଜରିଆରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କ ପରିଚାଳିତ ସଂସ୍ଥା ‘ସେବି’ ଓ ସାହାରା ଇଣ୍ଡିଆ କଂପାନୀ ମଧ୍ୟରେ ଚାଲିଥିବା ମାଲିମୋକଦ୍ଦମା କାରଣରୁ ଗତ ଦଶବର୍ଷ ଧରି ଜମାକାରୀ ଓ ଏଜେଣ୍ଟମାନେ ସେମାନଙ୍କ କଷ୍ଟାର୍ଜିତ ଅର୍ଥ ଫେରିପାଉ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ସରକାରଙ୍କ ସମବାୟ ସଂସ୍ଥାକୁ ୫ ହଜାର କୋଟିଟଙ୍କା କ୍ଷୁଦ୍ରଜମାକାରୀଙ୍କୁ ଗତ ଡିସେମ୍ବର ମାସ ଶେଷ ସୁଦ୍ଧା ଫେରାଇବାକୁ ଦିଆଯାଇଥିଲା । କିନ୍ତୁ ଜମାକାରୀ ଅନଲାଇନ୍‌ରେ ଆବେଦନ କଲେ ମଧ୍ୟ ଆବେଦନର ଜଟିଳ ପ୍ରକ୍ରିୟ କାରଣରୁ ଅଦ୍ୟାବଧି ମାତ୍ର ୨୫୦ କୋଟି ଟଙ୍କା କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯାଇଛି । ତେଣୁ ଟଙ୍କା ଫେରିପାଇବାର ଆବେଦନ ପ୍ରକ୍ରିୟାକୁ ସରଳୀକରଣ ପାଇଁ ଜମାକାରୀମାନେ ଦାବି କରିଛନ୍ତି । କେତେକ ଜମାକାରୀ ସେମାନଙ୍କର ସଞ୍ôଚତ ଅର୍ଥ ଫେରି ନ ପାଇବାରୁ ଏଜେଣ୍ଟମାନଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ନିର୍ଦ୍ଦିଷ୍ଟ ଅଭିଯୋଗ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମଞ୍ଚର କର୍ମକର୍ତ୍ତାମାନେ ସମାବେଶରେ ପ୍ରକାଶ କରିଥିଲେ ।ମିଳିତ ମଞ୍ଚର ସଭାପତି ମନୋରଂଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶ ସଭାରେ ସାଧାରଣ ସଂପାଦକ କାର୍ତ୍ତିକ ଚାନ୍ଦ ସାହାରା ଇଣ୍ଡିଆ କଂପାନୀ ଓ କେନ୍ଦ୍ର ସରକାରଙ୍କ ଲଢ଼େଇ ଫଳରେ ନିରୀହ ଜମାକାରୀ ଏବଂ ଏଜେଣ୍ଟମାନେ ଦୁଃଖ ନିର୍ଯ୍ୟାତନରେ କାଳାତିପାତ କରୁଥିବାର କରୁଣ କାହାଣୀ ବର୍ଣ୍ଣନା କରିଥିଲେ । ସାହାରା ଇଣ୍ଡିଆ ଜମାକାରୀ ଓ ଏଜେଣ୍ଟମାନଙ୍କ ନ୍ୟାୟପୂର୍ଣ୍ଣ ଦାବି ଏବଂ ଗଣତାନ୍ତ୍ରିକ ଆନ୍ଦୋଳନକୁ ସମର୍ଥନ ଜଣାଇ ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ଆଇନଜୀବୀ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଓ ସୀତାରାମ ପ୍ରଧାନ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଂପାଦକ ଦାମୋଦର ନାୟକ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାର ଏହି ବିବାଦର ତୁରନ୍ତ ସୁସମାଧାନ କରି ଲକ୍ଷଲକ୍ଷ ଜମାକାରୀ ଓ ଏଜେଣ୍ଟଙ୍କ ସ୍ୱାର୍ଥରକ୍ଷା କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ । ଜିଲ୍ଲା ଆନ୍ଦୋଳନ ପରେ ରାଜ୍ୟସ୍ତରରେ ଓ ଜାତୀୟସ୍ତରରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଅତିଥି ଓ ବକ୍ତାମାନେ ଆହ୍ୱାନ ଦେଇଥିଲେ । ସାହାରା ଇଣ୍ଡିଆ କଂପାନୀର ଥିବା ସ୍ଥାବର ଓ ଅସ୍ଥାବର ସଂପତ୍ତିରୁ ସମସ୍ତ ଜମାକାରୀ ସେମାନଙ୍କ ଜମା ଅର୍ଥ ସହ ସୁଧ ଫେରି ପାଇବାରେ ଅସୁବିଧା ନଥିବାର ସେମାନେ ଦର୍ଶାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜମାକାରୀ ଜୟନ୍ତୀ ରଥ, ଶରତ ଚନ୍ଦ୍ର ଦଳେଇ, ଶ୍ୟାମସୁନ୍ଦର ଜେନା, ଦିବାକର ପଣ୍ଡିତ୍‌, ରାଜେଶ ଖୁଣ୍ଟିଆ, କ୍ଷିତୀଶ ରାଉତ, ପ୍ରଶାନ୍ତ କୁମାର ପରିଡ଼ା, ତପନ କୁମାର ବିଶ୍ୱାଳ, ନିରଞ୍ଜନ ଶତପଥୀ, ସୁମିତ୍ରା ପରିଡ଼ା, ଅମର କୁମାର ଆଚାର୍ଯ୍ୟ ଓ ବିକାଶ ଦାସ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାର ତୁରନ୍ତ ଏହି ବିବାଦର ସମାଧାନ କରି ଲକ୍ଷଲକ୍ଷ ଜମାକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ସ୍ୱାର୍ଥରକ୍ଷା କରିବାକୁ ସେମାନେ ଦାବି କରିଥିଲେ । ଯଦି ସେମାନଙ୍କର ଦାବିପୂରଣ ନହୁଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଦୁର୍ବାର କରାଯିବ ବୋଲି ବକ୍ତାମାନେ ଚେତାବନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ