ସାହିତ୍ୟରେ ନାରୀ ସ୍ୱର ଉପରେ ଆଲୋଚନା ଚକ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ପାଠଚକ୍ର ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଓ ସ୍ୱାଗତ ସଙ୍ଗୀତ ପରିବେଷଣ କରି ପାଠଚକ୍ରକୁ ଆରମ୍ଭ କରିଥିଲେ । ‘ସାହିତ୍ୟରେ ନାରୀ ସ୍ୱର’ ଶୀର୍ଷକ ଏହି ପାଠଚକ୍ରରେ ସମ୍ମାନିତ ବକ୍ତାଭାବେ ପୂର୍ବତନ ମହିଳା କମିଶନର ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ଯୋଗଦେଇ ନାରୀର ଅଧୁନା ସମୟରେ ତାର ଅତ୍ୟାଚାର ଓ ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ କାନୁନ ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଓଡ଼ିଆ ପ୍ରଫେସର ଡଃ ବାସନ୍ତୀ ମହାନ୍ତି ସାହିତ୍ୟରେ ନାରୀ ସ୍ୱର ସହିତ ଲେଖିକାମାନେ ସାମାଜିକ ପରିସ୍ଥିତି ଓ ପରିବେଶକୁ ତାଙ୍କର ଲେଖନୀ ମୂନରେ କିପରି ଫୁଟାଇଛନ୍ତି ତାହା ଦର୍ଶାଇଥିଲେ । ଅନ୍ୟତମ ମୁଖ୍ୟ ବକ୍ତା ଭାବରେ ସ୍ତମ୍ଭକାର ଓ ସାମ୍ବାଦିକ ସାରଦା ପ୍ରସାଦ କର ନାରୀ ସ୍ୱରକୁ ଇଂରାଜୀ ଓ ଓଡ଼ିଆ ସାହିତରେ ବିଭିନ୍ନ ଲେଖକ ଓ ଲେଖିକାମାନଙ୍କ ଅବଦାନର ତୁଳନାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ ।
ଏହି ପାଠଚକ୍ରରେ ଅଧ୍ୟକ୍ଷତା କରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ରାଉତ ନାରୀର ସ୍ୱର ଭାରତବର୍ଷରେ ମୋଟେ ଦବାଇ ଦିଅଯାଇ ନାହିଁ କି ନାରୀକୁ ମୋଟେ ଦମନ କରାଯାଇ ନାହିଁ ବୋଲି କହିଥିଲେ । ଏହା ସହିତ ବିଭିନ୍ନ ଶାସ୍ତ୍ର ଓ ପୁରାଣରୁ ମହିଳାମାନଙ୍କ ଉକ୍ତିକୁ ନେଇ ନିଜର ମତାମତ ରଖିଥିଲେ । ଏହି ଅବସରରେ ଓଡ଼ିଆ ବିଭାଗରୁ ଏସ୍‌ଏସ୍‌ବି ପାଇ ଅଲଗା ମହାବିଦ୍ୟାଳୟରେ ଯୋଗଦାନ କରିଥିବା ଅଧ୍ୟାପିକା ଡଃ ସ୍ୱର୍ଣ୍ଣପ୍ରଭା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଆ ବିଭାଗର ମୁଖ୍ୟ ଡଃ ରମେଶ ଚନ୍ଦ୍ର ବେହେରା ‘ସାହିତ୍ୟରେ ନାରୀ ସ୍ୱର’ ଉପରେ ଏକ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି ମାନିଯିବାଟାକୁ ମୋଟେ ପ୍ରଗତି କୁହାଯାଇପାରିବ ନାହିଁ ବୋଲି ଦର୍ଶାଇଥିଲେ । ନାରୀ ତା’ର ପୃଷ୍ଠଭୂମିକୁ ଆଧାର କରି ଯଦି ଲେଖନୀ ଚାଳନା କରନ୍ତା, ତେବେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଡଃ ବେହେରା ମତବ୍ୟକ୍ତ କରିଥିଲେ । ଶେଷରେ ଓଡ଼ିଆ ବିଭାଗରେ ନୂତନ ଭାବେ ଯୋଗ ଦେଇଥିବା ଅଧ୍ୟାପିକା ବିଜୟିନୀ ସାହୁଙ୍କୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ । ଏହି ପାଠଚକ୍ରରେ ବୈଶାଖି ସାହୁ, ମାନସ ବାରିକ ଓ ବିଷ୍ଣୁପ୍ରିୟା ନିଜସ୍ୱ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସୂର୍ଯ୍ୟନାରାୟଣ, ବୈଶାଖି, ଶାନ୍ତିଲତା, ସ୍ୱସ୍ଥିକା, ଇପ୍ସିତା, ବର୍ଷା, ମୁସ୍କାନ, ଜସ୍ମିନ, ଅଜଗରି, ମାନସ, ବିଶ୍ୱରଞ୍ଜନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସ୍ୱସ୍ତିକା ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ