ସାହିତ୍ୟରେ ଶାନ୍ତିଭଙ୍ଗ

ମାୟାଧର ନାୟକ

ଦିନକର ଘଟଣା । ବଙ୍ଗଳାରେ ସାହିତ୍ୟ ପ୍ରତି ସାଧାରଣ ଲୋକଙ୍କର ପ୍ରବଳ ଆଗ୍ରହ ରହିଆସିଛି କେଉଁକାଳରୁ । ପ୍ରତିବର୍ଷ ଦୁର୍ଗାପୂଜାରେ ଅନେକ ପ୍ରକାଶକ ଅନେକ ଲେଖକଙ୍କର ପୁସ୍ତକ ପ୍ରକାଶନ କରନ୍ତି । ଲୋକମାନଙ୍କର ମଧ୍ୟ ପୂଜା ବଜେଟରେ ପୁସ୍ତକ କିଣାପାଇଁ ଟଙ୍କା ବରାଦ ଥାଏ । ସେ ବର୍ଷ ଦୁର୍ଗାପୂଜାରେ ପ୍ରାୟ ସବୁ ଜଣାଣୁଣା ଲେଖକମାନଙ୍କୁ ପ୍ରକାଶକମାନେ ପାଣ୍ଡୁଲିପି ପାଇଁ ବରାଦ ଦେଇସାରିଥିଲେ । ଜଣେ ପ୍ରକାଶକ ଖୋଜିଖୋଜି ଲେଖକ ପାଇଲେ ନାହିଁ । ଅଧିକାଂଶ ଲେଖକ ସେଇ ପ୍ରକାଶକଙ୍କୁ ମନାକରିବା ସଂଗେସଂଗେ ପରାମର୍ଶ ଦେଲେ – ଜଣେ ନିଶାଖୋର ଲେଖକ ଶରତ ଚଟ୍ଟୋପାଧ୍ୟାୟ ଅଛନ୍ତି, ତାଙ୍କୁ ଯାଇ ପାଣ୍ଡୁଲିପି ପାଇଁ ବରାଦ ଦିଅ । ଶରତ ଚାଟାର୍ଜୀ ସେତେବେଳେ ନିଶାଖୋର ଥିଲେ । କାହାକୁ ମାନୁ ନଥିଲେ । ମନକୁ ଯାହା ଆସୁଥିଲା – ଲେଖୁଥିଲେ । ଏଇଥିପାଇଁ ସେତେବେଳର ବଂଗଳା ଲେଖକମାନଙ୍କ ପଙ୍ଗତରେ ଶରତବାବୁ ପଶି ପାରି ନଥିଲେ । ଅନ୍ୟ ଲେଖକମାନେ ଶରତବାବୁଙ୍କୁ ଏକପ୍ରକାର ତାଚ୍ଛଲ୍ୟ କରୁଥିଲେ । ପ୍ରକାଶକ ବ୍ୟବସାୟୀମାନେ ବେଳେବେଳେ ବ୍ୟବସାୟରେ ବାଜି ଲଗାଇ ଦିଅନ୍ତି । ଜଣେ ପ୍ରକାଶକ ଅପରାହ୍ନ ୪ଟା ବେଳେ ଶରତଚନ୍ଦ୍ରଙ୍କୁ ଭେଟି ଲେଖାକଥା କହିଲେ । ଶରତବାବୁ ରାଜିହେଲେ ଏବଂ କହିଲେ, ବର୍ତମାନ ଯାଇ ଏଇଏଇ ଜିନିଷ ଆଣ । ପ୍ରକାଶକ କିଛି ପାନୀୟ, ଖାଦ୍ୟ, କାଗଜକଲମ ଆଣି ପହଂଚିଲେ । ଏ ସମସ୍ତ ପଦାର୍ଥ ବୋଧେ ସେତେବେଳେ କୋଡିଏ ଟଙ୍କାରୁ ବେଶୀ ହେବନାହିଁ । ପ୍ରକାଶକ ପଦାର୍ଥ ଭେଟି ଦେଇ ପଚାରିଲେ – ଆଜ୍ଞା ପାଣ୍ଡୁଲିପି ନେବାକୁ କେବେ ଆସିବି । ଶରତ ଚନ୍ଦ୍ର କହିଲେ – କେତେଟା ବାଜିଛି ? ପ୍ରକାଶକ କହିଲେ – ୫ଟା ବାଜିଛି । ଶରତବାବୁ କହିଲେ – କାଲି ସକାଳ ୫ଟା ବେଳକୁ ଆସ; ପାଣ୍ଡୁଲିପି ନେଇଯିବ । ପ୍ରକାଶକ ମନେମନେ ମନସ୍ତାପ କରି କିଛି ନ କହି ପଳାଇ ଆସିଲେ । ଅକାରଣେ କୋଡିଏ ଟଙ୍କା ପାଣିରେ ପଡିଲା ଭାବି ପୁଣି ପରୀକ୍ଷା ଅପେକ୍ଷାରେ ରହିଲେ । ଶରତଚନ୍ଦ୍ର ଲେଖି ବସିଲେ – ଲେଖୁଲେଖୁ ଭୋର ୫ଟା ହୋଇଗଲା । ଠିକ୍ ସେତିକିବେଳେ ପ୍ରକାଶକ ଶରତବାବୁଙ୍କ କବାଟ ଠକ୍ ଠକ୍ କଲେ । ଶରତବାବୁ ବାଷ୍ଫରୁଦ୍ଧ କଣ୍ଠରେ କହିଲେ – କବାଟ ଖୋଲାଅଛି, ଭିତରକୁ ଆସ । ପ୍ରକାଶକ ଭିତରକୁ ଯାଇ ଦେଖିଲେ ଶରତଚନ୍ଦ୍ରଙ୍କ ଆଖିରୁ ଲୁହ ଧାରଧାର ହୋଇ ଗଡି ଚାଲିଛି । ଫର୍ଦ୍ଦ ଫର୍ଦ୍ଦ କାଗଜ ଚାରିଆଡେ ବିଛଣା ଚାରିପାଖ ପଡିଛି । କିଛି ଫର୍ଦ୍ଦ କାଗଜ ଉପରେ ଶରତବାବୁ କଲମ ମାଡି ଭାଙ୍ଗି ଦେଇଛନ୍ତି । ଲୁହ ପୋଛୁ ପୋଛୁ ଶରତବାବୁ କାଗଜ ଗୋଟାଇ ପୃଷ୍ଠା ପରେ ପୃଷ୍ଠା ସଜାଇ ପ୍ରକାଶକଙ୍କୁ ପାଣ୍ଡୁଲିପି ବିଡାଟି ଧରାଇଦେଲେ । ପ୍ରକାଶକ ସେଇ ପାଣ୍ଡୁଲିପି ଆଣି ଛପାଇ ଦେଲେ । ସେବର୍ଷ ଦୁର୍ଗାପୂଜାରେ ଶରତଚନ୍ଦ୍ରଙ୍କ ଉପନ୍ୟାସର ବିକ୍ରି ସମସ୍ତ ଲେଖକଙ୍କ ଉପନ୍ୟାସକୁ ଟପିଗଲା । ତୁଣ୍ଡବାଇଦ ସମସ୍ରକୋଶ ଭଳି ଶରତଚନ୍ଦ୍ରଙ୍କ ପ୍ରଶଂସା ଘରେ ଘରେ ବିଚ୍ଛୁରିତ ହେଲା । ସେ ଉପନ୍ୟାସ ଥିଲା – ‘ଦେବଦାସ’ । ଆଜିବି ଦେବଦାସ ଭାରତର ସବୁଭାଷାରେ, ବିଦେଶର ୧୪ଟା ଭାଷାରେ ପ୍ରକାଶିତ । କୋଟିକୋଟି ପାଠକଙ୍କ ପାଖରେ ଆଦର ଲାଗ କରିଛି । ପ୍ରକାଶକ ‘ଦେବଦାସ’ ପ୍ରକାଶକରି ପାଂଚମହଲା କୋଠାର ମାଲିକ ହୋଇଥିଲେ । ବଂଗଳା ସିନେମାରେ ‘ଦେବଦାସ’ ଭୂମିକାରେ ଦିଲ୍ଲୀପ କୁମାର ଏବଂ ଏଇ ନିକଟ ଅତୀତରେ ହିନ୍ଦୀ ଚଳଚ୍ଚିତ୍ରରେ ଶହାରୁଖ ଖାନ୍‌ଙ୍କ ଅଭିନୟ ବହୁ ଦର୍ଶକଙ୍କ ମନରେ ଏବେବି ଉଦ୍‌ଜୀବିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ