ସାହିତ୍ୟିକମାନେ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ହୁଅନ୍ତୁ ଓଡ଼ିଶା ସ୍ୱରର ବାର୍ଷିକ ଉତ୍ସବ ଓ କବିତା ପାଠୋତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାହିତ୍ୟିକମାନେ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେବା ସହ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ହୁଅନ୍ତୁ । ଅନ୍ୟାୟ, ଅନୀତି ବିରୋଧରେ ସେମାନେ ନିର୍ଭୀକଭାବେ ସ୍ୱରଉତ୍ତୋଳନ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଛନ୍ତି ।ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ‘ଓଡ଼ିଶା ସ୍ୱର’ର ପଞ୍ଚଦଶତମ ବାର୍ଷିକ ଉତ୍ସବ ଏବଂ ପୂଜ୍ୟପୂଜା ସମ୍ମାନ ଓ କବିତା ପାଠୋତ୍ସବ ଶନିବାର ସ୍ଥାନୀୟ ଜୟଦେବ ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ଉଦ୍‌ଘାଟନ କରି ପୂର୍ବତନମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେଇ କହିଲେ ଯେ, ସାହିତ୍ୟ ଜୀବନରେ ଶାନ୍ତି ଆଣିଦେଇଥାଏ । ଓଡ଼ିଆ ଜାତିର ବୀରତ୍ୱର ଗାଥା ବର୍ଣ୍ଣନା କରିବା ସହ ସାହିତ୍ୟିକମାନେ ନିର୍ଭୀକଭାବେ ଲେଖନୀ ଚାଳନା କରିବାକୁ ଆହ୍ୱାନ ଦେଇଛନ୍ତି । ହୀନମନ୍ୟତାରୁ ଦୂରରେ ରହି ଓଡ଼ିଆଜାତି ସର୍ବଭାରତୀୟସ୍ତରରେ ପ୍ରତିଭାର ପରିଚୟ ଦେବା ଉଚିତ୍ ବୋଲି ବକ୍ତାମାନେ କହିଥିଲେ । ‘ଓଡ଼ିଶା ସ୍ୱର’ର ସଭାପତି ତଥା ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଲେ ଯେ, ସମାଜକୁ ଗତିଶୀଳ କରାଇବାରେ ସାହିତ୍ୟିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ । ଏହି ଉତ୍ସବରେ ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଶିକ୍ଷାବିତ୍ ତଥା ଆଞ୍ଚଳିକ ପ୍ରତିଷ୍ଠାନ ଭୁବନେଶ୍ୱରର ମୁଖ୍ୟ ଶକ୍ତିପ୍ରସାଦ ମିଶ୍ର, କବି ସୌଭାଗିନୀ ରାୟ ଓ ସମାଜସେବୀ ଚନ୍ଦ୍ରକାନ୍ତ ଦଳେଇ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଲେ ଯେ, ସାହିତ୍ୟ ଓ ସମ୍ବାଦ ମଧ୍ୟରେ କ୍ରିୟାଶୀଳ ଓ ସୃଜନ ସମ୍ପର୍କ ରହିଛି । ସାହିତ୍ୟ ସମ୍ବାଦରୁ ଜୀବନୀ ଶକ୍ତି ସଂଗ୍ରହ କରେ । ସାହିତ୍ୟ ଓ ସମ୍ବାଦ ମଧ୍ୟରେ ରହିଥିବା ସମ୍ପର୍କକୁ ଆହୁରି ରୁଦ୍ଧିମନ୍ତ କରିବାକୁ ବକ୍ତାମାନେ ମତପ୍ରକାଶ କରିଛନ୍ତି । ପ୍ରାରମ୍ଭରେ ପତ୍ରିକାର ସମ୍ପାଦକ କଣ୍ଡୁରୀ ଚରଣ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ଯୁବ ଶିଳ୍ପୋଦ୍ୟୋଗୀ ମିହିର ରଞ୍ଜନ ରଥ, ସମାଜସେବୀ ରମେଶ ଚନ୍ଦ୍ର ମହାପାତ୍ର, ସାହିତ୍ୟିକ ବ୍ରହ୍ମାନନ୍ଦ ବିଶ୍ୱାଳ, ଲେଖିକା ସଂଯୁକ୍ତା ପରିଡ଼ା, କବି ପ୍ରସନ୍ନ ସ୍ୱାଇଁ, ଚନ୍ଦ୍ରକାନ୍ତ ଦଳେଇ, ପ୍ରସନ୍ନ ନାୟକ ଓ ସାମ୍ବାଦିକ ସନ୍ତୋଷ ଦାସ ପ୍ରମୁଖଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପତ୍ରିକାର ସ୍ୱନକ୍ଷତ୍ର ସଂଖ୍ୟାକୁ ଉତ୍ସବରେ ଉନ୍ମୋଚନ କରାଯାଇଥିଲା । ପରେ କବି ତଥା ରାଜ୍ୟପାଳଙ୍କ ସୂଚନା ଅଧିକାରୀ ରକ୍ଷକ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସୌଦାମିନୀ ବେହେରା, ଚମକ ଚାନ୍ଦିନୀ ଦାସ, ଗୋଲକ ବିହାରୀ ନାୟକ, ଭଜକୃଷ୍ଣ ମହାନ୍ତି, ରୋହିତ ଚମ୍ପତ୍ତି ଓ ରମେଶ ମହାପାତ୍ରଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କବି ତାଙ୍କର ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଶେଷରେ ପତ୍ରିକାର ସମ୍ପାଦକ କଣ୍ଡୁରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ