ସାହିତ୍ୟ ସଂସଦ ପକ୍ଷରୁ ‘ସହିଦ୍ ସ୍ମରଣେ କବିତାଞ୍ଜଳି’
ଖୋର୍ଦ୍ଧା (ଯୁଗାବ୍ଦ ନ୍ୟୁଜ୍): ଅଗ୍ରଣୀ ସାହିତ୍ୟ ସଂଗଠନ ଖୋର୍ଦ୍ଧା ସାହିତ୍ୟ ସଂସଦ ପକ୍ଷରୁ ଫୁଲୱାମାରେ ସଂଗଠିତ ବିସ୍ଫୋରଣରେ ଦିବଂଗତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏକ ସର୍ଜନାତ୍ମକ କାର୍ଯ୍ୟକ୍ରମ ‘ସହିଦ ସ୍ମରଣେ କବିତାଞ୍ଜଳି’ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସଂସଦ ସଭାପତି ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଉପସ୍ଥିତ ସମସ୍ତ ସଦସ୍ୟ ତଥା କବିମାନେ ପ୍ରଦୀପ ପ୍ରଜ୍ୱଳନ କରି ସମସ୍ତ ଅମର ସହିଦ୍ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂସଦର ସଂପାଦକ ଶିକ୍ଷାବିତ ଡକ୍ଟର ଧୀରେନ୍ଦ୍ର ନନ୍ଦ ତାଙ୍କର ସ୍ୱାଗତ ଭାଷଣରେ କହିଲେ ଫୁଲୱାମାର ବର୍ବୋରଚିତ ସନ୍ତ୍ରାସବାଦୀ ଆକ୍ରମଣ ଆଜି ଦେଶର ଐକ୍ୟ ଓ ସଂହତି ପ୍ରତି ବିଷାଦ ସୃଷ୍ଟି କରିଛି । ଆଜିର ଏହି ଆକ୍ରମଣର ଅମର ସହିଦ୍ ଜବାନ୍ ମାନଙ୍କର ବଳିଦାନ ଦେଶ ମାତୃକାକୁ ରକ୍ଷା କରିବାକୁ ପ୍ରତ୍ୟେକ ଭାରତୀୟଙ୍କୁ ଆହ୍ୱାନ ଦେଇଛି । ସାରା ଦେଶର ପ୍ରତ୍ୟେକ ନାଗରିକ ଆଜି ସେମାନଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବାସହ ବାହ୍ୟ ଶତୃଠାରୁ ନିଜକୁ ରକ୍ଷା କରିବା ପାଇଁ ନିଜଠାରେ ଶତସିଂହର ବଳକୁ ଠୁଳ କରିପାରିଛନ୍ତି ବୋଲି କହିଥିଲେ । ଏହି ଅବସରରେ ସଂସଦର ଉପସଭାପତି ସସ୍ମିତା ପଟ୍ଟନାୟକ ଏବଂ କବୟିତ୍ରୀ କବିତା ପଟ୍ଟନାୟକଙ୍କ ସଂଯୋଜନାରେ ଏହି କବିତାଂଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡ. ନିରଂଜନ ମହାନ୍ତି, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଡ. ପ୍ରମୋଦ ଚନ୍ଦ୍ର ଦାଶ, ଡ. ଅଶୋକ କୁମାର ନନ୍ଦ ପ୍ରମୁଖ ନିଜର ବକ୍ତବ୍ୟ ରଖି ଶ୍ରଦ୍ଧାଞ୍ଜଳି ଦେଇଥିବାବେଳେ କବି ଦିଲ୍ଲୀପ ରଣଜିତ, ଡ. ବୃନ୍ଦାବନ ପଣ୍ଡା, ରବି ପ୍ରଧାନ, ରମାକାନ୍ତ ମାଝି, ଅମ୍ଳାନ ପ୍ରହରାଜ, ବସନ୍ତ କୁମାର ସାହୁ, ଲମ୍ବୋଦର ଶତପଥି, କଳାଚାନ୍ଦ ପ୍ରମୁଖଙ୍କ ସହିଦ ମାନଙ୍କ ଉଦ୍ଦେଶ୍ୟରେ କବିତା ସମସ୍ତଙ୍କ ମନରେ ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି କରିଥିଲା । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୁଗ୍ମ ସଂପାଦକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ସଂସଦର ସଂଗଠନ ସଂପାଦକ ବିଭୁ ପ୍ରସାଦ ହରିଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।