ସିଆରସିସି ନିଯୁକ୍ତି କ୍ଷେତ୍ରରେ ଖାମଖିଆଲି ମନୋବୃତି କାହିଁକି

ହାଟଡିହି, (ବିକାଶ ବିଶ୍ୱାଳ):ସି.ଆର.ସି.ସି ନିଯୁକ୍ତି କ୍ଷେତ୍ରରେ ଉଚ୍ଚ କର୍ତ୍ତିପକ୍ଷଙ୍କ ଖାମଖିଆଲି ମନୋବୃତି ଯୋଗୁଁ ସିଆରସିସି ମାନଙ୍କ କାର୍ଯ୍ୟକାଳର ସମୟସୀମା କାର୍ଯ୍ୟକାରୀ ହୋଇପାରୁନି। ଯାହାକୁ ନେଇ ଶିକ୍ଷକ ଶିକ୍ଷୟତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାରୁ ଜଣାଯାଇଛି ଯେ ସି.ଆର.ସି.ସି. ମାନେ ଶିକ୍ଷା ବ୍ୟବସ୍ଥାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସେମାନଙ୍କ ଦ୍ୱାରା ଶୈକ୍ଷିକ ସାହାଯ୍ୟ, ସମସ୍ତ ବିଦ୍ୟାଳୟର ତଥ୍ୟ ସଂଗ୍ରହ ଭଳି ଅନେକ କାର୍ଯ୍ୟ ହୋଇଥାଏ। ସେମାନେ ୧୫ ଦିନ ସି.ଆର.ସି.ସି କାର୍ଯ୍ଯ କରିବା ସହିତ ୧୫ ଦିନ ନିଜବିଦ୍ୟାଳୟରେ ଶିକ୍ଷାଦାନ କରିବାର ନିୟମ ରହିଛି। ସି.ଆର.ସି.ସି. ମାନଙ୍କ କାର୍ଯ୍ୟକାଳ ୫ବର୍ଷ ଓ କାର୍ଯ୍ୟକାଳ ସରିବା ପରେ ତାଙ୍କ ମୂଳ ସ୍କୁଲକୁ ଫେରିଯିବାର ନିୟମ ରହିଛି। କିନ୍ତୁ ହାଟଡିହି ବ୍ଳକରେ ତାହା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି। ସି.ଆର.ସି.ସି. ମାନେ ନିଜକୁ ଜଣେ ଜଣେ ଅଧିକାରୀ ବୋଲି ଭାବି ଆଉ ଶିକ୍ଷାଦାନ କରୁନାହାନ୍ତି। ୫ବର୍ଷ ସମୟସୀମା କାର୍ଯ୍ୟକାରୀ କରାଯାଉନି । ପଢିଆରିପଲ୍ଲୀ କ୍ଲଷ୍ଟରର ସି.ଆର.ସି.ସି. ୭ବର୍ଷ ହେଲା ସି.ଆର.ସି.ସି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ପଦବୀରୁ ହଟାଯାଉନି । ଏପରିକି ସେ ଦୁଇ ଦୁଇ ଥର ସି.ଆର.ସି.ସି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରାଯାଇନାହିଁ। ସେହିପରି ଗତ ଜୁଲାଇ ମାସରୁ ଢେଙ୍କା, ବାଙ୍ଗୋର ବାଲିବରେଇ, କେ. ବାଲିପାଳ, ସଢା, ସଡ଼ଙ୍ଗ, ଆମ୍ବୋ ଆଦି କ୍ଲଷ୍ଟରର ସିଆରସିସି ମାନଙ୍କ କାର୍ଯ୍ୟକାଳ ପୁରି ଯାଇଥିଲେ ମଧ୍ୟ ସେମାନଙ୍କୁ ସିଆରସିସି କାର୍ଯ୍ୟରୁ ଅନ୍ତର କରାଯାଉ ନାହିଁ। ଏ ସମ୍ପର୍କରେ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଜିଲ୍ଲା କାର୍ଯ୍ୟାଳୟ ଭିଜନ ଟେଷ୍ଟ କରିବାରେ ବିଳମ୍ବ ହେବା ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି କହିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ କାର୍ଯ୍ୟକାଳ ସରିବାର ୬ ମାସ ପୂର୍ବରୁ ଭିଜନ ଟେଷ୍ଟ କରାଯାଇ ନୁତନ ସିଆରସିସି ଚ଼ୟନ କରାଯାଉ ନାହିଁ କାହିଁକି। ଶିକ୍ଷା ବିଭାଗ ସିଆରସିସି ନିଯୁକ୍ତି କ୍ଷେତ୍ରରେ ଖାମଖିଆଲି ନୀତି ଅବଲମ୍ବନ କରୁଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି ବୋଲି ଶିକ୍ଷାବିତ ମାନେ ମତ ପ୍ରକାଶ କରିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ