ସିଏଏର କାର୍ଯ୍ୟକାରିତା

ପାର୍ଲିଆମେଂଟରେ ଅନୁମୋଦିତ ହୋଇ ଆଇନରେ ପରିଣତ ହେବାର ଦୀର୍ଘ ଚାରିବର୍ଷ ପରେ ବହୁ ଚର୍ଚ୍ଚିତ ନାଗରିକତା(ସଂଶୋଧନ) ଆଇନ(ସିଏଏ) ଗତ ସପ୍ତାହରୁ ଦେଶରେ ଲାଗୁ ହୋଇଛି । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜିବାର ଅବ୍ୟବହିତ ପୂର୍ବରୁ ଆଇନ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିବା କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହାକୁ ଏକ ନିର୍ବାଚନ ପ୍ରସଙ୍ଗ କରିବା ନେଇ ସଂକେତ ପ୍ରଦାନ କରେ ବୋଲି ନିସନ୍ଦେହରେ କୁହାଯାଇପାରେ । କହିବା ବାହୁଲ୍ୟ ଯେ, ଏହି ଆଡ଼କୁ ଦେଶର ବହୁ ବିରୋଧି ଦଳ ଶାସିତ ରାଜ୍ୟ ସରକାର ଦୃଢ ବିରୋଧ କରୁଥିବାବେଳେ ବିଶେଷ କରି ମୁସଲିମ ସଂପ୍ରଦାୟ ଦୃଢ ବିରୋଧ କରୁଛି । ଆହୁରି ମଧ୍ୟ ଏହି ଆଇନକୁ ଚ୍ୟାଲେଞ୍ଜ କରି ୨୦୦ରୁ ଉର୍ଦ୍ଧ୍ୱ ପିଟିସନ ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି । କହିବା ବାହୁଲ୍ୟ ଯେ, ୨୦୧୯ ମସିହାରୁ ସିଏଏ ଆଇନରେ ପରିଣତ ହୋଇଥିବା ଏହାର କାର୍ଯ୍ୟକାରିତା ପାଇଁ ସରକାର ଯେଉଁ ସମୟରେ ବିଜ୍ଞପ୍ତି ଜାରି କରିଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ । ଦେଶରେ ଏବେ ନିର୍ବାଚନୀ ବଣ୍ଡ, ପ୍ରସଙ୍ଗ ଆଲୋଡନ ସୃଷ୍ଟି କରିଥିବାବେଳେ ଏହା ଉପରୁ ଜନସାଧାରଣଙ୍କ ଦୃଷ୍ଟି ଏଡାଇବା ପାଇଁ ପ୍ରୟାସ ହୋଇପାରେ, ବୋଧହୁଏ ଏଥିରେ କେହି ଦ୍ୱିମତ ହୋଇନପାରନ୍ତି । କେବଳ ଏତିକି ନୁହେଁ, ଆଇନରେ ପରିଣତ ହୋଇ ଦୀର୍ଘ ଚାରିବର୍ଷ ଧରି ପଡି ରହିବା ପରେ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ କେଉଁ ପରିସ୍ଥିତିରେ ଏହାର ଜରୁରୀ କାର୍ଯ୍ୟକାରିତା ଆବଶ୍ୟକ ହୋଇପଡିଛି । ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଆଇନର କାର୍ଯ୍ୟକାରିତା ନେଇ ବିଜ୍ଞପ୍ତି ଜାରି ପରେ ମୁସଲିମ ସଂପ୍ରଦାୟ ସମେତ ଜାତିସଂଘ ମଧ୍ୟ ଏଭଳି ଆଇନକୁ ବିରୋଧ କରିଛି । ଏହା ନିସନ୍ଦେହ ଯେ, ଏହି ଆଇନ ବିବାଦୀୟ । ଦେଶର ସମ୍ବିଧାନର ଆର୍ଟିକିଲ୍ ୧୪କୁ ଏହା ବିରୋଧ କରୁଛି । ସମ୍ବିଧାନର ଧାରା ୧୪ରେ ସ୍ପଷ୍ଟ ଭାବେ ଉଲ୍ଳେଖ ରହିଛି ଯେ, ଭାରତର ଭୂଖଣ୍ଡ ମଧ୍ୟରେ ଦେଶର ଆଇନ ସମ୍ମୁଖରେ ସମସ୍ତେ ସମାନ ସୁରକ୍ଷିତ । କୌଣସି ସେମାନଙ୍କୁ ଏଥିରୁ ବଂଚିତ କରିପାରିବ ନାହିଁ । କିନ୍ତୁ ସିଏଏରେ ଥିବା ବ୍ୟବସ୍ଥା ଅନୁଯାୟୀ ତିନୋଟି ଦେଶ ତଥା ପାକିସ୍ଥାନ, ଆଫଗାନିସ୍ଥାନ ଏବଂ ବଙ୍ଗଳାଦେଶ ନାଗରିକ ଯେଉଁମାନେ ୨୦୧୪ ଡିସେମ୍ବର ୩୧ତାରିଖ ପୂର୍ବରୁ ଭାରତରେ ଅବସ୍ଥାନ କରୁଥିବେ, ସେମାନଙ୍କ ମଧ୍ୟରୁ କେବଳ ୬ଟି ସଂପ୍ରଦାୟ ତଥା ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ଜୀଉ, ପାର୍ସି ଏବଂ ବୌଦ୍ଧ ଧର୍ମାଲମ୍ବୀମାନଙ୍କୁ ଦେଶର ନାଗରିକତ୍ୱ ପ୍ରଦାନ କରାଯାଇପାରିବ । କୌଣସି ମୁସଲିମ ସଂପ୍ରଦାୟ ବ୍ୟକ୍ତିଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବ ନାହିଁ । ତେବେ ଭାରତରେ ଦୀର୍ଘ ବର୍ଷ ଧରି ରହି ଆସିଥିବା ଏବଂ ନାଗରିକ ଭାବେ ସମସ୍ତ ସୁବିଧା ସୁଯୋଗ ଓ ଅଧିକାର ପାଉଥିବା କୌଣସି ଭାରତୀୟ ମୁସଲିମ୍ ଏଥିରୁ ବଂଚିତ ହେବେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ବଙ୍ଗଳା ଦେଶର ବହୁ ମୁସଲିମ ଏବେ ଦେଶର ବିଭିନ୍ନ ଅଂଚଳରେ ବସବାସ କରିବା ସହ ଖାଉଟି କାର୍ଡ, ଭୋଟର ପରିଚୟ ପତ୍ର, ଏପରି କି ଆଧାର କାର୍ଡ ପାଇ ବିଭିନ୍ନ ସୁବିଧା ସୁଯୋଗ ପାଇଆସୁଛନ୍ତି । ଦେଶର ନାଗରିଗ ଭାବେ ସେମାନଙ୍କୁ ଆଇନଗତ ଭାବେ ସ୍ୱୀକୃତି ମିଳିନାହିଁ । କହିବା ବାହୁଲ୍ୟ ଯେ, ଦେଶରେ ହେଉଥିବା ବିଭିନ୍ନ ନିର୍ବାଚନରେ ମତ ଭୋଟଦାନ କରୁଥିବାବେଳେ ଏବେ କଣ ସେମାନଙ୍କୁ ଦେଶରୁ ବହିସ୍କାର କରାଯିବ? ଏହା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ । ସରକାର ମଧ୍ୟ ସିଏଏକୁ ଜାତୀୟ ନାଗରିକ ପଂଜୀକରଣ(ଏନଆରସି) ସହ ସଂଯୋଗ କରିବାକୁ ଚାହୁଁଛନ୍ତି । ଆବଶ୍ୟକୀୟ ତଥ୍ୟ ସେମାନେ ପ୍ରଦାନ ନକରିପାରିବା କାରଣରୁ ସେମାନଙ୍କୁ ନାଗରିକତ୍ୱ ହରାଇବାକୁ ପଡିପାରେ । ଏ ନେଇ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ । ଏଥିରେ ଦ୍ୱୁରୁକ୍ତି ନାହିଁ ଯେ, ସିଏଏ ଏକ ବାଛବିଚାରମୂଳକ ଆଇନ ଏବଂ ନାଗରିକତ୍ୱ ଓ ସିଏଏ ପରସ୍ପର ବିରୋଧି । ନାଗରିକ ହେଉଛନ୍ତି ଏକ ସାର୍ବଭୌମତ୍ୱ ରାଷ୍ଟ୍ରର ସଦସ୍ୟ । ଆମ ଦେଶର ସମ୍ବିଧାନ ସମସ୍ତ ନାଗରିକ ଏବଂ ସମସ୍ତ ଧର୍ମକୁ ସମାନ ଅଧିକାର ଦେଇଆସିଛି । ଏହାର ଉଲଂଘନ ସମ୍ବିଧାନ ବିରୋଧି ବୋଲି କୁହାଯିବ । ନାଗରିକତ୍ୱ ରାଷ୍ଟ୍ରର ଭାବାବେଗ ସହ ଜଡିତ । ରାଷ୍ଟ୍ର ଓ ନାଗରିକ ଅବିଚ୍ଛେଦ୍ୟ । କିନ୍ତୁ ଦୁଃଖର କଥା ଦେଶ ଛାଡି ଭାରତୀୟ ନାଗରିକମାନେ ଅନ୍ୟତ୍ର ପଳାୟନ କରୁଥିବା କେନ୍ଦ୍ର ସରକାରଙ୍କ ରିପୋର୍ଟ କହେ । ୨୦୧୨ ମସିହାରେ ୧ଲକ୍ଷ ୨୧ହଜାରରୁ ଉର୍ଦ୍ଧ୍ୱ ଲୋକ ଭାରତୀୟ ନାଗରିକତ୍ୱ ପରିତ୍ୟାଗ କରିଥିବାବେଳେ ୨୦୨୨ରେ ସେମାନଙ୍କ ସଂଖ୍ୟା ୨ଲକ୍ଷ ୨୬ହଜାରରେ ପହଁଚିଛି । ଏଥିପ୍ରତି ସରକାର ଧ୍ୟାନ ଦେବା ଆବଶ୍ୟକ । ରାଜନୈତିକ ଫାଇଦା ଦୃଷ୍ଟିରୁ କୌଣସି ବାଚବିଚାର ସୃଷ୍ଟିି କରିବା ଉଚିତ ନୁହେଁ । ସର୍ବୋତମ ନାଗରିକତ୍ୱ ନୀତି ବାସ୍ତବବାଦୀ ଏବଂ ଉଦାରବାଦ ଉପରେ ପର୍ଯ୍ୟବେସିତ, ଇତିହାସ ଏବଂ ପରିଚୟକୁ ନେଇ ନୁହେଁ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ