ସିଏଏ ସପକ୍ଷରେ ସ୍ୱର ଉଠାଇଲା ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ନାଗରିକ ସଂଶୋଧନ ଆଇନ୍ ୨୦୧୯ ନେଇ ଚାରିଆଡ଼େ ଯେଉଁ ହୋହାଲ୍ଲାର ବାତାବରଣ ସୃଷ୍ଟି ହୋଇଛି ସେଥିରେ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସମାଜସେବୀ ସଂଗଠନ ‘ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ’ ନିଜ ମତ ସ୍ପଷ୍ଟ ଭାବରେ ରଖିବା ସହ ଏ ବିଷୟ ନେଇ ଆଗାମୀ ଦିନରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ଏକ ନୀଳ ନକ୍ସା ପ୍ରସ୍ତୁତ କରିଛି । ଆଜି ସଂଗଠନର ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଆଇଆରସି ଭିଲେଜ କାର୍ଯ୍ୟାଳୟରେ ବୈଠକ ହୋଇ ଏଥିନିମନ୍ତେ ବିଧବଦ୍ଧ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ବୈଠକରେ ପୌରହିତ୍ୟ କରି ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସଭାପତି ଇଂ ନନ୍ଦନନ୍ଦନ ଦାସ ଏହି ଆଇନ୍ ସଂଶୋଧନର ପ୍ରାସଙ୍ଗିକତା ଏବଂ ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଦେଶର ସମ୍ମାନନୀୟ ଗୃହମନ୍ତ୍ରୀ ଅମିତ ଶାହ ଏହି ଆଇନ୍ ସଂଶୋଧନ କରିବା ପାଇଁ ଏବଂ ଏହାକୁ କଡ଼ାକଡ଼ି ଭାବରେ ଲାଗୁ କରିବା ପାଇଁ ସତ୍‌ସାହସ ଦେଖାଇଥିବାରୁ ସଂଗଠନ ପକ୍ଷରୁ ତାଙ୍କୁ ସାଧୁବାଦ ଜଣାଇଥିଲେ । କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ସମାଜରେ ଏଇ ନୂତନ ସଂଶୋଧିତ ଆଇନ୍ ନେଇ ଯେଉଁ ଗୁଜବ ଅପପ୍ରଚାର ଅଭିଯାନ ଆରମ୍ଭ ହୋଇଛି ତାର ସେ ତୀବ୍ର ନିନ୍ଦା କରିଛନ୍ତି । ଏହି ଆଇନ୍ ନେଇ କୌଣସି ଭାରତୀୟ ମୁସଲମାନ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ । କଠୋର ଧାର୍ମିକ ଉନ୍ମାଦନାରେ ଭାରତରୁ ବିଚ୍ଛିନ୍ନ ହୋଇଥିବା ପାକିସ୍ତାନ ଏବଂ ବାଲାଂଦେଶରେ ସଂଖ୍ୟାଲଘୁମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ପରେ ଜୀବନ ବଞ୍ଚାଇବା ପାଇଁ ଚାଲି ଆସିଥିବା ଶରଣାର୍ଥୀଙ୍କ ପାଇଁ ସ୍ଥାୟୀ ନାଗରିକତାର ସୁବିଧା ଯୋଗାଇ ଦିଆଯାଇଥିବାରୁ ସେ ଭାରତ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏଭଳି ଏକ ଐତିହାସିକ ଆଇନ୍ ସଂଶୋଧନ କାର୍ଯ୍ୟକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଏହି ଅରାଷ୍ଟ୍ରବାଦୀ ଅପପ୍ରଚାର ଗୋଷ୍ଠୀଙ୍କୁ ପ୍ରତିହତ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କଟିବଦ୍ଧ ହେବାକୁ ସେ କହିଥିଲେ । ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂଗଠନ ସରକାରଙ୍କ ସହ ଦୃଢତାର ସହ ଛିଡ଼ା ହୋଇଛି ଏବଂ ରାଷ୍ଟ୍ରବିରୋଧୀ ବ୍ୟକ୍ତିତ୍ୱମାନଙ୍କୁ ପ୍ରତିହିତ କରିବା ପାଇଁ ବଦ୍ଧପରିକର ବୋଲି ମତ ଦେଇଥିଲେ । ଆଗାମୀ ୨୮ ଡ଼ିସେମ୍ବର ଶନିବାର ଦିନ ଭୁବନେଶ୍ୱର ରେଡ଼କ୍ରସ ଭବନରେ ଆୟୋଜିତ ହେବାକୁ ଥିବା ମଞ୍ଚର ବାର୍ଷିକ ସାଧାରଣ ବୈଠକରେ ସମସ୍ତ ଜିଲ୍ଲା ସଂଗଠକମାନଙ୍କୁ ନିଜ ନିଜ ଜିଲ୍ଲାରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରାଯିବ ବୋଲି ସେ ସୂଚନା ଦେଇଥିଲେ । ମଞ୍ଚର ସାଧାରଣ ସମ୍ପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ ଏହି ବହୁ ପ୍ରତିକ୍ଷୀତ ନାଗରିକ ସଂଶୋଧନ ଆଇନ୍‌କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମର୍ଥନ କରିଥିବାରୁ ତାଙ୍କୁ ସଂଗଠନ ପକ୍ଷରୁ ଧନ୍ୟବାଦ ଜଣାଇବା ସହ ରାଷ୍ଟ୍ରୀୟ ହିତ ପାଇଁ ଏନ୍‌ଆରସି ଆଇନ୍ ଲାଗୁ କରିବାରେ ଅନୁରୂପ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ରାଷ୍ଟ୍ରୀୟ ହିତ ପାଇଁ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ସର୍ବଦା ତତ୍ପରତାର ସହ ସରକାରଙ୍କ ସହ କାମ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ମଞ୍ଚର ଅନ୍ୟତମ ସଦସ୍ୟ ଅମୀର ପ୍ରସାଦ ସାହୁ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଜିଲ୍ଲାଜଜ ଉମାଚରଣ ମିଶ୍ର, ଲାୟନ କ୍ଷୀତିଶ ପାଲଟାସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ