ସିଏଏ ସମର୍ଥନରେ ବିଜେପିର ବିଶାଳ ଜନଜାଗରଣ
କଟକ,(ଯୁଗାବ୍ଦ ନ୍ୟୁଜ୍): ଯେଉଁମାନେ ଦେଶରେ ଶାନ୍ତି ଚାହୁଁନାହାନ୍ତି, ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି, ପାକିସ୍ତାନ ବା ଆଇଏସଆଇର ଭାଷା ଭାରତରେ କହିବାକୁ ଚାହୁଁଛନ୍ତି ତଥା ପାକିସ୍ତାନର ଉଦ୍ଦେଶ୍ୟକୁ ଭାରତ ଭୂମିରେ ସାଧିତ କରିବା ପାଇଁ ଚାହୁଁଛନ୍ତି ତାଙ୍କ ମୁହଁରୁ ପରଦା ହଟାଇବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ସୋମବାର କଟକରେ ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନଜାଗରଣ ପଦଯାତ୍ରାରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ସିଏଏ ଉପରେ ହେଉଥିବା ଜନଜାଗରଣକୁ ଅଭୁତପୂର୍ବ ଜନସମର୍ଥନ ମିଳୁଛି ବୋଲି ମତବ୍ୟକ୍ତ କରିଛନ୍ତି । ଦେଶରେ କିଛି ଅରାଜକତତ୍ୱ ଏକ ଭ୍ରମ ସୃଷ୍ଟି କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ସିଏଏ ଭାରତୀୟ ମୁସଲିମ ବିରୋଧୀ ଆଇନ ବୋଲି ଅପପ୍ରଚାର କରାଯାଉଛି । ତେଣୁ ସିଏଏ ଉପରେ ସ୍ପଷ୍ଟତା ଆଣିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ଜନଜାଗରଣ ଅଭିଯାନ ଆରମ୍ଭ କରାଯାଇଛି । ସିଏଏ ସଂଖ୍ୟାଲଘୁ ମାନଙ୍କୁ ଭାରତରେ ନାଗରିକତା ଦେବାର ବ୍ୟବସ୍ଥା ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।