ସିଏସ୍‌ଡ଼ି ପକ୍ଷରୁ ବିଧାନସଭା ସମ୍ମୁଖରେ ଗଣ ପ୍ରତିବାଦ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ବାହାନାରେ, ପ୍ରଶାସନ ଦ୍ୱାରା ମନୋମୁଖୀ ଭାବେ ନାଚକ କରାଯାଇଥିବା ଜଙ୍ଗଲ ଅଧିକାର ଦାବିଗୁଡ଼ିକୁ ପୁନର୍ବିଚାର ନିମନ୍ତେ ଗ୍ରାମସଭା ଗୁଡ଼ିକୁ ଫେରସ୍ତ କରିବା ଏବଂ ଓଡ଼ିଶା ସରକାରଙ୍କ ତରବରିଆ ଭାବେ ଜଙ୍ଗଲ ଅଧିକାର ଆଇନ୍‌ର ଉଲଂଘନ କରି ସୁପ୍ରିମକୋର୍ଟକୁ ଭୁଲ୍ ତଥ୍ୟ ପ୍ରଦାନ କରିବା ବିରୋଧରେ ବିଧାନସଭା ସମ୍ମୁଖରେ ତିନିଦିନିଆ ଗଣପ୍ରତିବାଦ ଓ ଧାରଣା ଆଜିଠାରୁ ଆରମ୍ଭ ହୋଇଛି । ମର୍ଯ୍ୟାଦାର ସହ ବଞ୍ôଚବାର ଅଭିଯାନ (ସିଏସ୍‌ଡ଼ି), ଭୂମି ଅଧିକାର ଆନ୍ଦୋଳନ ଓ ରାଜ୍ୟସ୍ତରୀୟ ଗ୍ରାମସଭା ସମୂହ ପକ୍ଷରୁ ନଭେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଏହି ଗଣ ପ୍ରତିବାଦ ଓ ଧାରଣାର ଆୟୋଜନ କରାଯାଇଛି । ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ୍ ୨୦୦୬ ବିରୁଦ୍ଧରେ କିଛି କର୍ପୋରେଟ ସପକ୍ଷବାଦୀ ଓ ଆଦିବାସୀ ବିରୋଧୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ବିିଚାର କଲାବେଳେ ଓଡ଼ିଶା ସରକାର ସୁପ୍ରିମକୋର୍ଟକୁ ମୋଟ୍ ୧ଲକ୍ଷ ୪୮ ହଜାର ୮୭୦ ବ୍ୟକ୍ତିଗତ ଦାବି ମଧ୍ୟରୁ ୧ ଲକ୍ଷ ୨୨ ହଜାର ୨୫୦ଜଣ ଆଦିବାସୀ ଓ ୨୬ ହଜାର ୬୨୦ ଜଣ ପାରମ୍ପରିକ ବନବାସୀଙ୍କର ନାକଚ ହୋଇଥିବା ତଥ୍ୟ ପ୍ରଦାନ କରିଥିଲେ । ଏହି ଦାବିଗୁଡ଼ିକର ସ୍ଥିତି ଉପରେ ଶୁଣାଣୀ କରି ଗତ ଫେବୃୟାରୀ ୨୮ ତାରିଖରେ ସୁପ୍ରିମକୋର୍ଟ ତାଙ୍କର ୧୩ ଫେବୃୟାରୀ୨୦୧୯ରେ ଦେଇଥିବା ଜଙ୍ଗଲ ଜମିର ଉଚ୍ଛେଦ ଆଦେଶ ଉପରେ ଅସ୍ଥାୟୀ ରହିତାଦେଶ ଜାରି କରିବା ସହିତ ରାଜ୍ୟ ସରକାରଙ୍କୁ ସବିଶେଷ ସତ୍ୟପାଠ ୧୨ ଜୁଲାଇ ୨୦୧୯ ସୁଦ୍ଧା ଦାଖଲ କରିବାକୁ ଆଦେଶ ଦେଇଥିଲେ । ଓଡ଼ିଶା ସରକାରଙ୍କ ସୁପ୍ରିମକୋର୍ଟରେ ମିଥ୍ୟା ପାଠ ବିରୋଧରେ ଗତ ୨୨ ଜୁଲାଇରେ ସିଏସ୍‌ଡ଼ି ପକ୍ଷରୁ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀ ତଥା ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ ପରେ ଇତିମଧ୍ୟରେ ଓଡ଼ିଶା ସରକାର ପୁନର୍ବାର ସୁପ୍ରିମକୋର୍ଟରେ ତରବରିଆ ଭାବେ ଏକ ସତ୍ୟପାଠ ଦାଖଲ କରି ମୋଟ୍ ୧୩ ହଜାର ୮୫୧ (ଆଦିବାସୀ-୫୩୭୩, ପାରମ୍ପରିକ ବନବାସୀ-୮୪୭୮) ଜଣଙ୍କୁ ଜଙ୍ଗଲ ଅଧିକାରରୁ ବଞ୍ôଚତ କରିବା ପାଇଁ ଆବେଦନ କରିଛନ୍ତି । କିନ୍ତୁ ପୂର୍ବରୁ ଦାଖଲ କରିଥିବା ସତ୍ୟପାଠରେ ମୋଟ ୧ ଲକ୍ଷ ୪୮ ହଜାର ୮୭୦ ଦାବି ମଧ୍ୟରୁ ଗ୍ରାମସଭାଗୁଡ଼ିକୁ ଅନ୍ଧକାରରେ ରଖି ୧ଲକ୍ଷ ୩୫ହଜାର ୧୯ଗୋଟି ଦାବିକୁ କିପରି ଅନୁମୋଦନ କରାଗଲା ତାହା ସମ୍ପୂର୍ଣ୍ଣ ସନ୍ଦେହ ଘେରରେ ଓ ଏହା ଅମଲାତନ୍ତ୍ରର ମନୋମୁଖୀ ଶାସନକୁ ପ୍ରମାଣ କରୁଛି । ସଂଶୋଧନ ନିୟମ ୨୦୧୨ର ନିୟମ ୧୨(କ), ଉପଧାରା ୧୧(୧) ଓ (୨) ଅନୁସାରେ ବୈଷୟିକ ଜ୍ଞାନ, ପ୍ରଯୁକ୍ତି ବିଜ୍ଞାନ ଓ ନିର୍ଦ୍ଦିଷ୍ଟ ପ୍ରମାଣକୁ ବାଧ୍ୟତାମୂଳକ କରି କାହାକୁ ତାଙ୍କ ଅଧିକାରରୁ ବଞ୍ôଚତ ନ କରିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ସରକାର ମନଇଚ୍ଛା ତଥା ବାଧ୍ୟତାମୂଳକ ଭାବେ ଦାବିକୁ ନାକଚ କରିଛନ୍ତି । ଗ୍ରାମସଭାର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ପ୍ରଭାବିତ କରି ଆଇନ୍‌ର ପ୍ରକ୍ରିୟାକୁ ଉଲଂଘନ ଓ ଅଣଦେଖା କରାଯାଉଛି ଯାହା ଜଙ୍ଗଲ ଜମିରୁ ଲୋକଙ୍କୁ ହଟାଇ ଦେଶର ପ୍ରାକୃତିକ ସମ୍ବଳକୁ କମ୍ପାନୀମାନଙ୍କ ହାତକୁ ସହଜରେ ଟେକିଦେବା ପାଇଁ ଉର୍ଦ୍ଦିଷ୍ଟ । ଆଇନ୍‌ର ପ୍ରକ୍ରିୟାକୁ ଅଣଦେଖା କରି ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଗଲେ ମଧ୍ୟ କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗ୍ରାମସଭାକୁ ତରବରିଆ ଭାବେ ନୋଟିସ୍ ପଠାଯାଇଛି ଯାହା ସରକାରଙ୍କ ଖାମଖିଆଲି ଓ ଜାଣିଶୁଣି ଗ୍ରାମସଭାରା କ୍ଷମତାକୁ ଲଗାତର ଭାବେ ଉଲଂଘନ କରିବା ସହ ପୁନଶ୍ଚ ଆଦିବାସୀମାନଙ୍କ ପ୍ରତି ଆଉ ଏକ ଐତିହାସିକ ଅନ୍ୟାୟ କରାଯାଉଥିବାର ପ୍ରମାଣ କରୁଛି । ସିଏସ୍‌ଡ଼ି ଓଡ଼ିଶା ପକ୍ଷରୁ ଗତ ୨୭ ଜୁନ୍‌ରେ ମୁଖ୍ୟ ଶାସନ ସଚିବଙ୍କୁ ଏହି ସମସ୍ୟା ଓ ଦାବିଗୁଡ଼ିକ ଉପରେ ସ୍ମାରକପତ୍ର ମାଧ୍ୟମରେ ଅବଗତ କରାଯିବା ପରେ ମଧ୍ୟ ଏହାକୁ ଅଣଦେଖା କରାଯାଉଛି । ଏହି ପରିପ୍ରେକ୍ଷୀରେ ସିଏସ୍‌ଡ଼ି ଓଡ଼ିଶା, ଭୂମି ଅଧିକାର ଆନ୍ଦୋଳନ ଏବଂ ରାଜ୍ୟସ୍ତରୀୟ ଗ୍ରାମସଭାସମୂହ, ଓଡ଼ିଶା ଦାବି କରେ ଯେ, (୧) ଆସନ୍ତା ୨୬ ନଭେମ୍ବରରେ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣିରେ ଜଙ୍ଗଲ ଅଧିକାର ଆଇନ୍ ୨୦୦୬ ଅନୁଯାୟୀ ଗ୍ରାମସଭାର ଅଧିକାର ଓ କ୍ଷମତାକୁ ସମ୍ମାନ ଦେବା ଓ ମାନିବା ପାଇଁ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଉ ଏବଂ ସମସ୍ତ ଜଙ୍ଗଲ ଅଧିକାର ଦାବି ଉପରେ ଆଦିବାସୀ ମନ୍ତ୍ରଣାଳୟ ଜରିଆରେ ତଥା ଗ୍ର୍ରାମସଭା ମାଧ୍ୟମରେ ସର୍ଭେ ପ୍ରକ୍ରିୟା ଆରମ୍ଭ କରାଯାଉ (୨) ଗ୍ରାମସଭା ସୁପାରିଶ କରିଥିବା ସମସ୍ତ ବିଚାରଧୀନ ଦାବିଗୁଡ଼ିକୁ ଯାହା ଉପଖଣ୍ଡ ଓ ଜିଲ୍ଲାସ୍ତରୀୟ କମିଟି ପାଖରେ ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପଡ଼ିରହିଛି ସେଗୁଡ଼ିକୁ ସଂଶୋଧନ ନିୟମ ୨୦୧୨ ଅନୁଯାୟୀ ଗ୍ରାମସଭା ଗୁଡ଼ିକୁ ତୁରନ୍ତ ଫେରସ୍ତ କରାଯାଉ (୩) ଖଣି ଖାଦାନ ଥିବା ଅଞ୍ଚଳରେ କର୍ପୋରେଟ ତଥା କମ୍ପାନୀମାନଙ୍କ ଚାପରେ ପ୍ରାୟୋଜିତ ଭାବେ ନ୍ୟାୟସଙ୍ଗତ ଜଙ୍ଗଲ ଅଧିକାର ଦାବିଗୁଡ଼ିକୁ ଅଣଦେଖା କରାଯିବା ବିରୁଦ୍ଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ (୪) ଜଙ୍ଗଲ ଅଧିକାର ଆଇନ୍ ୨୦୦୬ର ଉଲଂଘନ କରି ଜଙ୍ଗଲ ଅଧିକାର ଶିରୋନାମାକୁ ରାଜସ୍ୱ ପଟ୍ଟାରେ ପରିଣତ କରିବାର ଚକ୍ରାନ୍ତ ତଥା ପ୍ର୍ରକ୍ରିୟା ଅବିଳମ୍ବେ ବନ୍ଦ କରାଯାଉ (୫) ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଶିରୋନାମା ପାଇଥିବା ଓ ସେଥିପାଇଁ ଆବେଦନ କରିଥିବା ଗ୍ରାମସଭାର ଜଙ୍ଗଲ ସୁରକ୍ଷା ପରିଚାଳନା କମିଟିଗୁଡ଼ିକୁ (ଧାରା ୪ (କ)(ଙ) ଅନୁଯାୟୀ ତାଲିମ ପ୍ରଦାନ ଓ ଅନୁଦାନ ପ୍ରଦାନ କରି ଜଙ୍ଗଲ ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଉ ଏବଂ (୬) ଉପଖଣ୍ଡ ଓ ଜିଲ୍ଲାସ୍ତରୀୟ କମିଟି ନକ୍ସା ତିଆରି, ଜମି ମାପ, କ୍ଷେତ୍ର ଯାଞ୍ଚ ଇତ୍ୟାଦି କ୍ଷେତ୍ରରେ ଗ୍ରାମସଭାକୁ ସମ୍ପୂର୍ଣ୍ଣ ସହଯୋଗ କରି ଗ୍ରାମସଭାର ନିଷ୍ପତ୍ତି ଓ ପ୍ରସ୍ତାବକୁ ସମ୍ମାନ ଦେବା ସହିତ ଏହି ପ୍ରକ୍ରିୟାକୁ ସରକାରୀ କର୍ମଚାରୀଙ୍କ ପ୍ରଭାବରୁ ମୁକ୍ତ କରାଯାଉ । ଆଜିର ଗଣପ୍ରତିବାଦ ତଥା ଧାରଣା ଉପଲକ୍ଷେ ପ୍ରେସ୍ କ୍ଲବ ଠାରୁ ଏକ ଶୋଭାଯାତ୍ରା ବାହାରି ଲୋୟର ପିଏମ୍‌ଜିରେ ପହଞ୍ôଚଥିଲା । ସର୍ବଶ୍ରୀ ପ୍ରଦୀପ ସାହୁ, ନରେନ୍ଦ୍ର ମହାନ୍ତି, ଡଃ ଶ୍ରୀଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରଫୁଲ୍ଲ ସାମନ୍ତରା, ସୁରେଶ ପାଣିଗ୍ରାହୀ, ଶଙ୍କର ସାହୁ, ବିଜୟ ସ୍ୱାଇଁ, ଗଦାଧର ପ୍ରଧାନ, ମଦନ ମାରାଣ୍ଡି, ବଳଭଦ୍ର ମଲ୍ଲିକ ଓ ବିଭିନ୍ନ ଗଣସଂଗଠନର କର୍ମକର୍ତ୍ତାମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ