ସିଟି ବସ୍ ଚଳାଚଳ ଓ କଲ୍ୟାଣ ମଣ୍ଡପ ବ୍ୟବହାର ପାଇଁ ବିକାଶ ମଂଚ ପକ୍ଷରୁ ଦାବି

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ସହରକୁ ପୂର୍ବପରି ପ୍ରତ୍ୟହ ସିଟି ବସ୍ ଚଳାଚଳ ଓ ବାହାଘର, ବ୍ରତ ଓ ଅନ୍ୟାନ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରିବା ସକାଶେ ସ୍ଥାନୀୟ ପୌରାଂଚଳରେ ରହିଥିବା କଲ୍ୟାଣ ମଣ୍ଡପ ଗୁଡ଼ିକ ବ୍ୟବହାର ଉପଯୋଗୀ କରିବା ସକାଶେ ସ୍ଥାନୀୟ ପୌରାଂଚଳ ବିକାଶ ମଂଚ ସଭାପତି ପ୍ରମୋଦ କୁମାର ପଣ୍ଡା ଏକ ପ୍ରେସ ବିବୃତିରେ ଦାବି ଜଣାଇଛନ୍ତି । ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ଗତ ୨୦୨୦ମସିହା ମାର୍ଚ୍ଚ ୨୫ ତାରିଖ ଠାରୁ ଯାନବାହାନ ଚଳାଚଳକୁ ବନ୍ଦ କରାଯାଇଥିଲା । ଗତ ଅକ୍ଟୋବର ମାସ ଠାରୁ କରୋନା କଟକଣା କୋହଳ ହେବାପରେ ଯାତ୍ରୀବାହୀ ଗୁଡ଼ିକ ଚଳାଚଳ କରିବା ସକାଶେ ଅନୁମତି ପ୍ରଦାନ କରାଯାଇଥିଲା । ସେହିଦିନ ଠାରୁ ଧିରେ ଧିରେ ରାଜ୍ୟର ବିିଭିନ୍ନ ଅଂଚଳକୁ ଯାତ୍ରୀ ପରିବହନକାରୀ ବସ ଗୁଡ଼ିକ ଯାତାୟତ କରିବା ଆରମ୍ଭ କରିଥିଲା । କିନ୍ତୁ ଅଧ୍ୟାବଧି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଓ ଛତ୍ରପୁର ଠାରୁ ହିଞ୍ଜିଳିକାଟୁ ଓ ଶେରଗଡ଼ ଅଂଚଳକୁ ଯାତାୟତ କରୁଥିବା ସିଟି ବସ ସେବା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି । ଯଦ୍ୱାରା ସଂପୃକ୍ତ ଅଂଚଳର ବହୁ ଗରିବ ଓ ନିମ୍ନ ମଧ୍ୟବିତ ପରିବାର ଗମନାଗମନରେ ବାଧା ସୃଷ୍ଟି ହେଉଛି । ଅନ୍ୟପକ୍ଷରେ ସିଟି ବସ ସେବା କେବଳ ସହରାଂଚଳରେ ଯାତାୟତ କରିବା ସକାଶେ ନିୟମ ରହିଥିବା ବେଳେ ଶେରଗଡ଼ ଭଳି ଗ୍ରାମାଂଚଳକୁୂ ଯାତାୟତ କରୁଥିବାରୁ ବହୁ ଘରୋଇ ଯାତ୍ରୀବାହୀ ବସ ମାଲିକ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି, ପ୍ରତି ୧ଘଂଟା ବ୍ୟବଧାନରେ ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଯାତାୟତ ସକାଶେ ସିଟି ବସ ସେବା ରହିଥିବା ବେଳେ ବର୍ତମାନ ସିଟିବସ ସେବା ସମ୍ପୁର୍ଣ୍ଣ ବନ୍ଦ ରହିଛି । ହିଞ୍ଜିଳିକାଟୁ ଠାରୁ ଜିଲ୍ଲାର ସଦର ମହକୁମା ଛତ୍ରପୁର ଅଂଚଳକୁ ଯାତାୟତ ସକାଶେ ପ୍ରତ୍ୟହ ସକାଳ ୯ ଟା, ୧୧ଟା, ଅପରାହ୍ନ ୧ଘଂଟା ଓ ୩ଘଂଟା ସମୟରେ ସିଟି ବସ୍ ସେବା ରହିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳକୁ ସିଟି ବସ ସେବା ବନ୍ଦ ରହିଛି । ଅନୁରୂପ ଭାବେ କରୋନା ମହାମାରୀ ଯୋଗୁଁ ବିବାହ, ବ୍ରତ ଓ ସାମାଜିକ କାର୍ଯ୍ୟକ୍ରମରେ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବର୍ତମାନ ସମୟରେ ସଂପୃକ୍ତ ମାଙ୍ଗଳିକ ଓ ସାମାଜିକ କାର୍ଯ୍ୟକ୍ରମ ସକାଶେ ୨ଶହ ଲୋକ ପର୍ଯ୍ୟନ୍ତ ଉପସ୍ଥିତି ରହିପାରିବେ ବୋଳି ସରକାର ଘୋଷଣା କରିଛନ୍ତି । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳରେ ବିବାହ, ବ୍ରତ ଓ ଅନ୍ୟାନ ସାମାଜିକ ଓ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ସକାଶେ ସ୍ଥାନର ଅଭାବ ରହିଛି । ଏପରି ସ୍ଥଳେ ପ୍ରଶାସନ ପକ୍ଷରୁ ସହର ମଧ୍ୟରେ ରହିଥିବା କଲ୍ୟାଣ ମଣ୍ଡପ ଗୁଡ଼ିକ ବ୍ୟବହାର ସକାଶେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁମତି ପ୍ରଦାନ କରାଯିବା ଲାଗି ଦାବୀ ହୋଇଛି । ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ସହରରେ କ୍ରମବଦ୍ଧିଷ୍ଣୁ ଜନସଂଖ୍ୟା ବୃଦ୍ଧି ସହ ଅଂଚଳର ଆବଶ୍ୟକତା ଅନୁଯାୟୀ ସ୍ଥାନୀୟ ବିକାଶ ମଂଚ ପକ୍ଷରୁ ଗତ ୨୦୧୯ ମସିହା ୨୭ ଅଗଷ୍ଟରେ ସ୍ଥାନୀୟ ସହର ପ୍ୱାଶ୍ୱର୍ ଦେଇ ଏକ ବାଇପାସ୍ ରାସ୍ତା ନିର୍ମାଣ ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ, ଜାତୀୟ ୀରାଜପଥ ପ୍ରାଧିକରଣ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କୁ ପତ୍ର ପ୍ରେରଣ କରାଯାଇଥିଲା । କିନ୍ତୁ ଅଂଚଳର ବୃହତର ସ୍ୱାର୍ଥ ପ୍ରତି ଅଣଦେଖା କରାଯାଇ ଅଧ୍ୟାବଧି ଉକ୍ତ ଦାବି ପ୍ରତି ଗୁରୁତ୍ୱ ପ୍ରଦାନ କରାଯାଇ ନଥିବା ଜଣାପଡ଼ିଛି । ଯାହାକି ଆସନ୍ତା ସମୟରେ ସହର ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ପ୍ରଦାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ ସକାଶେ ବିକାଶ ମଂଚ ସଭାପତି ପଣ୍ଡା ଏକ ପ୍ରେସ ବିବୃତିରେ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ